Breaking PLUSଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଲିଙ୍ଗାୟତ ମଠର ପ୍ରମୁଖ ସାଧୁ ଶିବମୂର୍ତ୍ତି

ବେଙ୍ଗାଲୁରୁ: ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି  କର୍ଣ୍ଣାଟକ ଲିଙ୍ଗାୟତ ମଠର ପ୍ରମୁଖ ସାଧୁ ଶିବମୂର୍ତ୍ତି ମୁରୁଗା ଶାରନାରୁ। ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଆଜି ତାଙ୍କୁ ଗିରଫ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। କର୍ଣ୍ଣାଟକର ଚିତ୍ରଦୁର୍ଗରେ ଥିବା ପ୍ରସିଦ୍ଧ ମୁରୁଗା ମଠର ମୁଖ୍ୟ ମହନ୍ତ ହେଉଛନ୍ତି ଶିବମୂର୍ତ୍ତି। ଉକ୍ତ ମଠଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନର ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଶିବମୂର୍ତ୍ତିଙ୍କ ନାଁରେ ଅଭିଯୋଗ ହୋଇଥିଲା। ଏହାପରେ ଆଜି ତାଙ୍କୁ ପୁଲିସ ହାବେରି ଜିଲ୍ଲାରୁ ଗିରଫ କରିଛି। ସୂଚନାନୁସାରେ, ଗତ କିଛି ଦିନ ପୂର୍ବେ ମଠର ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଦୁଇ ଛାତ୍ରୀ ସାଧୁଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏହି ନାବାଳିକା ଦୁଇ ଜଣ ‘ଓଦାନାଦି ସେବା ସଂସ୍ଥା’ ନାମକ ‘ଏନ୍‌ଜିଓ’ରେ ପହଞ୍ଚି ସବୁ କଥା ଜଣାଇଥିଲେ। ଉକ୍ତ ‘ଏନ୍‌ଜିଓ’ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ଘଟଣା ସଂକ୍ରାନ୍ତରେ ଅବଗତ କରାଇବା ପରେ ସାଧୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଭିଯୋଗ ଅନୁସାରେ, ମୁରୁଗା ମଠଦ୍ୱାରା ପରିଚାଳିତ ଛାତ୍ରାବାସରେ ରହୁଥିବା ୧୫ ଓ ୧୬ ବର୍ଷୀୟ ଉକ୍ତ ନାବାଳିକା ଦୁଇଜଣ ସାଢ଼େ ୩ ବର୍ଷରୁ ଅଧିକ କାଳ ହେବ ଯୌନ ନିର୍ଯାତନାର ଶିକାର ହୋଇଆସୁଥିଲେ। ଅଭିଯୋଗ ଆଧାରରେ ମୌସୁର ପୁଲିସ ଶିବମୂର୍ତ୍ତି ମୁରୁଗା ଶାରନାରୁଙ୍କ ନାମରେ ଏଫ୍‌ଆଇଆର୍‌ ରୁଜୁ କରିଥିଲା। ‘ପୋକ୍‌ସୋ’ ଆଇନ୍‌ ଆଧାରରେ ଏହି ମାମଲା ରୁଜୁ କରାଯାଇଥିଲା। ଯୌନ ନିର୍ଯାତନା କେବଳ ଏହି ଦୁଇ ଛାତ୍ରୀଙ୍କ ସମସ୍ୟା ନୁହେଁ। ଉକ୍ତ ଶିକ୍ଷାନୁଷ୍ଠାନରେ ପଢୁଥିବା ଆହୁରି ଅନେକ ନାବାଲିକାଙ୍କୁ ମଧ୍ୟ ସାଧୁ ଏହି ଭଳି ଅତ୍ୟାଚାର କରୁଛନ୍ତି। ଅନେକ ବର୍ଷ ହେଲାଣି ମଠରେ ଏଭଳି ଅପକର୍ମ ଚାଲିଛି। କିନ୍ତୁ, ଭୟରେ ପିଲାମାନେ କିଛି କହି ପାରୁନାହାନ୍ତି। ଆମେ କୌଣସି ଚାପ ଅଥବା ଧମକ ଭୟରେ ଦୁର୍ବଳ ହୋଇପଡ଼ିବୁ ନାହିଁ। ପିଲାମାନଙ୍କର ଅଧିକାର ସୁରକ୍ଷିତ ରଖିବା ସମାଜର କର୍ତ୍ତବ୍ୟ। ଆମେ ଏଥିପ୍ରତି ପ୍ରତିବଦ୍ଧ ବୋଲି ଏନ୍‌ଜିଓ ସଂସ୍ଥା ‘ଓଦାନାଦି ସେବା ସମିତି’ର ମୁଖ୍ୟ ଷ୍ଟେନ୍‌ଲି କହିଛନ୍ତି।

Show More

Related Articles

Back to top button