ଦେଶ ବିଦେଶମୁଖ୍ୟ ଖବର

ଆସନ୍ତୁ ଜାଣିବା କେଉଁ ରାଜ୍ୟରେ କେବେଠୁ ଖୋଲିବ ସ୍କୁଲ

କରୋନା ଭାଇରସ ମହାମାରୀ ଲାଗି ଗତ ମାର୍ଚ୍ଚ ମାସରୁ ସାରା ଦେଶରେ ବିଦ୍ୟାଳୟ ବନ୍ଦ ରହିଛି। ତେବେ ସରକାର ଘୋଷଣା କରିଥିବା ଲକଡାଉନର ଅନଲକ ପର୍ଯ୍ୟାୟରେ ସ୍କୁଲ ଖୋଲିବା ଲାଗି ମଧ୍ୟ ଅନୁମତି ପ୍ରଦାନ କରିଛନ୍ତି। ସରକାରଙ୍କ ଅନୁମତି ମିଳିବା ପରେ କେତେକ ରାଜ୍ୟ ଅନଲକ୍‌ ୪ରୁ ସ୍କୁଲ ଖୋଲିସାରିଲେଣି। ଏଥିରେ ଏହି ସବୁ ରାଜ୍ୟରେ ନବମରୁ ଉଚ୍ଚ ଶ୍ରେଣୀମାନଙ୍କରେ ଶିକ୍ଷାଦାନ ଆରମ୍ଭ ହୋଇଗଲାଣି

ଅନଲକ୍‌ ୫ରେ ସରକାର ଅକ୍ଟୋବର ୧୫ ତାରିଖରୁ ସବୁ ରାଜ୍ୟଙ୍କୁ ସ୍କୁଲ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି। ତେବେ ଏଥିରେ ନିଷ୍ପତ୍ତି ନେବାର କ୍ଷମତା ରାଜ୍ୟ ସରକାରଙ୍କ ଉପରେ ଅର୍ପଣ କରିଥିବାରୁ ସ୍କୁଲ ଖୋଲିବା ନେଇ କେଉଁ ରାଜ୍ୟଙ୍କ ନିଷ୍ପତ୍ତି କଣ ଆସନ୍ତୁ ଜାଣିବା।
ପଞ୍ଜାବ
ଅକ୍ଟୋବାର ୧୫ ତାରିଖରୁ ପଞ୍ଜାବ ସରକାର ରାଜ୍ୟରେ ସ୍କୁଲ ଖୋଲିଦେଇଛନ୍ତି। ଏଥିରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ନିୟମିତ କ୍ଲାସ୍‌ ମଧ୍ୟ କରାଯାଉଛି। ତେବେ ଗୋଟିଏ ସେକ୍ସନରେ ୨୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବସି ପଢିବା ଲାଗି ଅନୁମତି ଦିଆଯାଉ ନାହିଁ। କେନ୍ଦ୍ର ସରକାରଙ୍କ ଗୃହମନ୍ତ୍ରାଳୟ ଜାରି କରିଥିବା ଏସଓପିକୁ କଡାକଡି ପାଳନ କରାଯାଉଛି।
ମହାରାଷ୍ଟ୍ର
କରୋନା ଭାଇରସ ମହାମାରୀରେ ମହାରାଷ୍ଟ୍ର ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ। ତେବେ ସରକାର ଅନଲକ୍ ୫ରେ ସ୍କୁଲ ଖୋଲିବା ଲାଗି ଅନୁମତି ଦେଇଥିବାରୁ ସରକାର ଆଗାମୀ ଦିପାବଳୀ ପରେ ଏ ନେଇ ଯାହା ବିଚାର କରିବେ ବୋଲି କହିଛନ୍ତି। ରାଜ୍ୟର କରୋନା ପରିସ୍ଥିତି ସମୀକ୍ଷା କରିବା ପରେ ସ୍କୁଲ ଖୋଲାଯିବ କି ନା ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି।
ଉତ୍ତରପ୍ରଦେଶ
ଆସନ୍ତା ସୋମବାର ୧୯ ତାରିଖରୁ ଉତ୍ତର ପ୍ରଦେଶରେ ସମସ୍ତ ବିଦ୍ୟାଳୟ ଖୋଲିବାକୁ ଯୋଗୀ ଆଦିତ୍ୟ ନାଥଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଏଥିରେ କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଯିବାକୁ ଅନୁମତି ମିଳିବ। କଣ୍ଟେନମେଣ୍ଟ ଜୋନର କୌଣସି ବିଦ୍ୟାଳୟ ଖୋଲିବ ନାହିଁ। ତେବେ ଜୋନ ବାହାରର ସ୍କୁଲ ଖୋଲିବାରେ କୌଣସି ଅସୁବିଧା ନାହିଁ ବୋଲି ଘୋଷଣା କରାଯାଇଛି।
ଆନ୍ଧ୍ରପ୍ରଦେଶ
ଆନ୍ଧ୍ରପ୍ରଦେଶରେ ସରକାର ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏ ନେଇ କୌଣସି ନିଷ୍ପତ୍ତି ନିଆଯିବ ନାହିଁ ବୋଲି କହିଥିଲେ। ଏଥିରେ ବଙ୍ଗୋପସାଗରରେ ଗଭୀର ଅବପାତ ଯୋଗୁ ଉପୁଜିଥିବା ପ୍ରାକୃତିକ ବିପର୍ଯୟ ପରେ ସରକାରଙ୍କ ନିଷ୍ପତ୍ତି ଏ ନେଇ କଣ ହେବ ତାହା ସ୍ପଷ୍ଟ ହୋଇପାରିନାହିଁ। ବର୍ଷା ଓ ବନ୍ୟାରେ ଆନ୍ଧ୍ରପ୍ରଦେଶ ସମେତ ତେଲେଙ୍ଗାନା ରାଜ୍ୟ ଗୁରୁତର ପ୍ରଭାବିତ ହୋଇଛି।

ଗୁଜରାଟ
ଗୁଜରାଟରେ ସରକାର ସ୍କୁଲ ଖୋଲିବା ଅଥବା ନ ଖୋଲିବା ନେଇ ଦିପାବଳୀ ପରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ଏଣୁ ରାଜ୍ୟରେ ବିଦ୍ୟାଳୟ ଶିକ୍ଷାଦାନକୁ ନେଇ ଏବେବି ଅନିଶ୍ଚିତତା ଜାରି ରହିଛି।
ପଶ୍ଚିମବଙ୍ଗ
ମମତା ବାନାର୍ଜୀଙ୍କ ସରକାର ରାଜ୍ୟରେ କୋଭିଡ-୧୯ ଜନିତ ପରିସ୍ଥିତିରେ ଏପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ବିଚାର କରିନାହାନ୍ତି। ତେବେ ନଭେମ୍ବର ୧୫ ତାରିଖ ପରେ ଏ ନେଇ କିଛି ସ୍ପଷ୍ଟ ନିଷ୍ପତ୍ତି ନିଆଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ହରିୟାଣା
ରାଜ୍ୟ ଶିକ୍ଷାମନ୍ତ୍ରୀ କମ୍ବର ପାଲ ଏ ନେଇ ସୂଚନା ଦେଇ କହିଛନ୍ତି ଯେ ଯଦି ସବୁ ଯୋଜନା ମୁତାବକ ଚାଲେ ତେବେ ଅକ୍ଟୋବର ୧୫ରୁ ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଶିକ୍ଷକଙ୍କ ଠାରୁ ବିଷୟ ସମ୍ପର୍କରେ ଜାଣିବା ଲାଗି ସ୍କୁଲକୁ ଯାଇପାରିବେ। ହେଲେ ଏହି ସବୁ ଶ୍ରେଣୀର ପିଲାଙ୍କୁ ଏବେ ନିୟମିତ କ୍ଲାସ କରିବାକୁ ଅନୁମତି ଦିଆଯାଇପାରିବନି। ତେବେ ୧୦ମରୁ ଦ୍ୱାଦଶ ଶ୍ରେଣୀରେ ଏବେ ପାଠପଢା ଆରମ୍ଭ ହୋଇସାରିଲାଣି ବୋଲି କହିଛନ୍ତି।
ଉତ୍ତରାଖଣ୍ଡ
ରାଜ୍ୟରେ ସରକାର ନଭେମ୍ବର ୧ରୁ ୧୦ମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ଆରମ୍ଭ କରିବାକୁ ବିଚାର କରୁଛନ୍ତି। ସ୍କୁଲ ଖୋଲିବା ପରେ ନିଷ୍ପତ୍ତିର ସମୀକ୍ଷା କରାଯିବା ସହ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ସ୍କୁଲ ଖୋଲିବା ପରେ ଯଦି କୋଭିଡକୁ ନେଇ ସନ୍ତୋଷଜନକ ଫଳାଫଳ ମିଳେ ତେବେ ଅନ୍ୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ନେଇ ବିଚାର କରାଯିବ ବୋଲି କହିଛନ୍ତି।
ତାମିଲନାଡୁ
ରାଜ୍ୟ ଶିକ୍ଷାମନ୍ତ୍ରୀ କେ.ଏ.ସୋଙ୍ଗତେୟାଁ ଏବେ ରାଜ୍ୟରେ ସ୍କୁଲ ଖୋଲିବାର ସମ୍ଭାବନା ନଥିବା କହିଛନ୍ତି। ଏ ନେଇ ରାଜ୍ୟ ଶିକ୍ଷା ବିଭାଗ ଓ ରାଜସ୍ୱ ବିଭାଗ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ତେବେ ସ୍କୁଲ ଖୋଲିବ କି ନା ସେ ନେଇ ନିଷ୍ପତ୍ତି ଏବେ ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର କରୁଛି ବୋଲି ସେ କହିଛନ୍ତି।

Show More

Related Articles

Back to top button