
ନୂଆଦିଲ୍ଲୀ: ଆଗକୁ ଆସୁଛି ଗୁଜରାଟ ନିର୍ବାଚନ। ଏଥିପାଇଁ ଅଣ୍ଟା ଭିଡିଲେଣି ସମସ୍ତ ଦଳ। ଗୁଜରାଟ ଦଖଲ କରିବାକୁ ହେଲାଣି ପ୍ରସ୍ତୁତି। ସମସ୍ତ ଦଳ ଜୋରସୋର୍ରେ ଆରମ୍ଭ କରିଦେଲେଣି କସରତ। ଏହାରି ଭିତରେ ଏକ ବଡ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆଗାମୀ ଗୁଜରାଟ ନିର୍ବାଚନରେ ସେ ସମସ୍ତ ଆସନରେ ଲଢ଼ିବେ ବୋଲି କହିଛନ୍ତି। ଏଥିହସ ‘ ଆସନ୍ତା ଦୁଇ ମାସ ଭିତରେ ବିଜେପି ଯାଉଛି ଆଉ ଆପ୍ ଆସୁଛି’ ବୋଲି କେଜ୍ରିୱାଲ ଏଭଳି ନାରା ଦେଇଛନ୍ତି।ବର୍ତ୍ତମାନ ଗୁଜରାଟ ଗସ୍ତରେ ଅଛନ୍ତି ଅରବିନ୍ଦ କେଜ୍ରିୱାଲ। ଏଠାରୁ ସେ ବିଜେପିକୁ ଜୋରଦାର ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ‘ମୁଁ ଏଠାରେ ଦୁଇମାସ ହେବ ବୁଲି ବୁଲି ସବୁ ବର୍ଗର ଲୋକଙ୍କ ସହ ମିଶୁଛି। ଜଣେ ବି ବ୍ୟକ୍ତି ବିଜେପି ଶାସନରେ ସନ୍ତୁଷ୍ଟ ଥିବା କଥା କହି ନାହାଁନ୍ତି। ଗୁଜରାଟରେ ଭ୍ରଷ୍ଟାଚାର ଭରି ରହିଛି। ଯେ କୌଣସି ସରକାରୀ ବିଭାଗରେ କାମ କରିବାକୁ ପଡିଲେ ଲାଞ୍ଚ ଦେବାକୁ ପଡୁଛି। ତଳସ୍ତରରୁ ଆରମ୍ଭ କରି ଉପରସ୍ତର ସବୁଠି ଦୁର୍ନୀତି ଭରି ରହିଛି। ଏହା ବିରୋଧରେ ସ୍ୱର ଉଠାଇଲେ ଡରାଇବା ଓ ଧମକାଇବା ପାଇଁ ଚାଲିଆସୁଛନ୍ତି। ବ୍ୟବସାୟୀ ଓ ଶିଳ୍ପପତୀଙ୍କୁ ରେଡ୍ ଧମକ ମିଳିଛୁ ଓ ତୁମର ଧନ୍ଦା ବନ୍ଧ କରିଦେବୁ ବୋଲି ବିଜେପି ଧମକ ଦେଉଥିବା କେଜ୍ରିୱାଲ କହିଛନ୍ତି।’ କେଜ୍ରିୱାଲ ଗୁଜରାଟର ଭୋଟରଙ୍କୁ ପ୍ରତିଶ୍ରୁତି ବି ଦେଇଛନ୍ତି। ସେ କହିଛନ୍ତି ରାଜ୍ୟରେ ଆମ୍ ଆଦମୀ ପାର୍ଟିର ସରକାର ଗଠନ ହେବା ପରେ ଏଠାରେ କୌଣସି ସରକାରୀ କାମ ପାଇଁ ଲୋକଙ୍କୁ ଲାଞ୍ଚ ଦେବାକୁ ପଡିବ ନାହିଁ । ସରକାରୀ କାମ କରିବାକୁ ଲୋକଙ୍କୁ ସରକାରୀ କାର୍ଯ୍ୟାଳୟ ଯିବାକୁ ପଡିବ ନାହିଁ ବରଂ ସରକାରୀ କର୍ମଚାରୀ ଲୋକଙ୍କ ପାଖକୁ ଆସିଯିବେ। ଏହାସହ ବିଜେପି କାର୍ଯ୍ୟକାଳରେ ହୋଇଥିବା ସମସ୍ତ ଦୁର୍ନୀତିର ତଦନ୍ତ ହେବ। ରାଜ୍ୟକୁ ଦୁର୍ନୀତି ଓ ଭୟ ମୁକ୍ତ ଶାସନ ଦିଆଯିବ ବୋଲି ପ୍ରତିଶ୍ରୃତି ଦେଇଛନ୍ତି କେଜ୍ରିୱାଲ।