ଦେଶ ବିଦେଶମୁଖ୍ୟ ଖବରରାଜନୀତି

ବିହାରରେ ମଦ ବ୍ୟାନ ସଫଳ ହୋଇନି ବୋଲି ସ୍ୱୀକାର କଲେ ଜେଡିୟୁ ନେତା ଉପେନ୍ଦ୍ର କୁଶୱା

ପାଟନା: ବିହାରରେ ଦୀର୍ଘ ବର୍ଷ ହେଲା ମଦ ବ୍ୟାନ ହୋଇଛି। ହେଲେ ସରକାରଙ୍କ ଏହି ନିଷ୍ପତ୍ତି ଆଦୌ ସଫଳ ହୋଇନି ବୋଲି ସ୍ୱୀକାର କରିଛନ୍ତି ଖୋଦ୍‌ କ୍ଷମତାରେ ଥିବା ଜେଡିୟୁ ଦଳର ଜାତୀୟ ସଂସଦୀୟ ବୋର୍ଡର ଅଧ୍ୟକ୍ଷ ଉପେନ୍ଦ୍ର କୁଶୱା। ସେ ସମସ୍ତଙ୍କ ସାମ୍ନାରେ ମଦ ବ୍ୟାନ ସଫଳ ହୋଇ ପାରି ନଥିବା କହି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଜେଡିୟୁ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି। ଏଥିସହ ସେ ଏଭଳି ବୟାନ ଦେଇ ସରକାରଙ୍କ ପାରିବା ପଣିଆ ଉପରେ ମଧ୍ୟ ପରୋକ୍ଷରେ ପ୍ରଶ୍ନ ଉଠାଇଛନ୍ତି।

ବୈଶାଳୀ ଜିଲ୍ଲାରେ ଗଣମାଧ୍ୟମ ସହ ଆଲୋଚନା ବେଳେ କୁଶୱା କହିଛନ୍ତି ଯେ “କେବଳ ସରକାରଙ୍କ ପଦକ୍ଷେପ ପାଇଁ କେବେ ହେଲେ ମଦ ବ୍ୟାନ ସଫଳତା ହାସଲ କରିପାରିବ ନାହିଁ। ମୁଁ କେମିତି ସିଧାସଳଖ କହିବି ଯେ, ମଦ ବ୍ୟାନ ସଫଳତା ହାସଲ କରିଛି? ଏହା ବିହାରରେ ଆଦୌ ସଫଳ ହୋଇନି। କିନ୍ତୁ ଏହା ସାମୂହିକ ଭାବେ ସମାଜକୁ କିଛି ମାତ୍ରାରେ ଫାଇଦା ଦେଇଛି।

ସାମ୍ବାଦିକମାନେ ତାଙ୍କୁ ସିଧାସଳଖ ପଚାରିଥିଲେ ଯେ, କ’ଣ ବିହାରରେ ମଦ ବ୍ୟାନ ସଫଳ ହୋଇନି? ଏହାର ଉତ୍ତରରେ କୁଶୱା ଆଶ୍ଚର୍ଯ୍ୟ ଚକିତ ହୋଇ କହିଛନ୍ତି ଯେ, “ମଦ ବ୍ୟାନ-ସଫଳ? କ’ଣ ଆପଣମାନେ ସ୍ଥିତିକୁ ଦେଖୁ ନାହାନ୍ତି? ଲୋକମାନେ ନ ଚାହିଁଲା ଯାଏ କେବେ ହେଲେ ମଦ ବ୍ୟାନ ସଫଳତା ହାସଲ କରିପାରିବ ନାହିଁ।

ମଦ ପିଉଥିବା ଲୋକ ଓ ନକଲି ମଦ ବିକ୍ରି କରୁଥିବା ବ୍ୟବସାୟୀଙ୍କ ମଧ୍ୟରେ ଗୋଟିଏ ଭଲ ସମ୍ପର୍କ ରହିଛି। ଯଦି ଏହି ସମ୍ପର୍କର ଚେନକୁ ଆମେ ଭାଙ୍ଗି ପାରିବା, ତା’ହେଲେ ମଦ ସପ୍ଲାଏର ମୂଳଦୂଆକୁ ବନ୍ଦ କରିପାରିବା। ସମାଜରେ ରହୁଥିବା ଲୋକମାନେ ଆଗକୁ ଆସି ମଦ ବ୍ୟାନକୁ ସଫଳ କରିବା ଉଚିତ।

କୁଶୱାଙ୍କ ଏପରି ବୟାନ ଶାସକ ଜେଡିୟୁ ଓ ଏହାର ସୁପ୍ରିମୋ ନୀତୀଶ କୁମାରଙ୍କୁ ଅଡ଼ୁଆରେ ପକାଇଛି। ୨୦୧୬ ଏପ୍ରିଲ ମାସରୁ ନୀତୀଶ କୁମାର ସରକାର ବିହାରରେ ମଦ ବ୍ୟାନ କରିଛନ୍ତି। ଏହି ବ୍ୟାନ ନିଷ୍ପତ୍ତି ବେଶ ସଫଳ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବାରମ୍ବାର କହି ଆସୁଛନ୍ତି।

ଏଥିସହ ସେ ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀଙ୍କୁ ମଦ ବ୍ୟାନ ନିଷ୍ପତ୍ତିକୁ ସଫଳତାର ସହ କାର୍ଯ୍ୟକାରୀ କରିଥିବାରୁ ଅନେକ ଥର ପ୍ରଶଂସା ବି କରିଛନ୍ତି। ହେଲେ ଖୋଦ ତାଙ୍କ ଦଳର ଜଣେ ବରିଷ୍ଠ ନେତା ମଦ ବ୍ୟାନ ସଫଳ ହୋଇ ନଥିବା କହିଛନ୍ତି।

Show More

Related Articles

Back to top button