Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଗାଜାରେ ସ୍ଥଳଭାଗରେ ପ୍ରବେଶ କରି ଆକ୍ରମଣ ଆରମ୍ଭ କଲା ଇସ୍ରାଏଲ ସେନା

ଦୀର୍ଘ ତିନି ସପ୍ତାହ ଧରି ଗାଜା ପଟି ଉପରେ ଆକାଶ ମାର୍ଗରୁ ଆକ୍ରମଣ ଜାରି ରଖିଥିବା ଇସ୍ରାଏଲ ସେନା ବୁଧବାର ରାତିରେ ସ୍ଥଳ ପଥରୁ ଆକ୍ରମଣ ଆରମ୍ଭ କରିଛି। ଏଥିପାଇଁ ଇସ୍ରାଏଲ ସେନା ଆଇଡିଏଫ୍‌ ସମସ୍ତ ପ୍ରସ୍ତୁତି ଶେଷ କରିଥିଲା। ବୁଧବାର ରାତିରେ ଇସ୍ରାଏଲର ବହୁ ସଂଖ୍ୟକ ଟ୍ୟାଙ୍କ ଗାଜା ସୀମା ଅତିକ୍ରମ କରିଥିଲାବେଳେ ବହୁ ସଂଖ୍ୟକ ସୈନିକ ଗାଜାରେ ପ୍ରବେଶ ସହ ଘରକୁ ଘର ଯାଞ୍ଚ ଆରମ୍ଭ କରିଛନ୍ତି। ଉପଗ୍ରହ ଓ ଗୁଇନ୍ଦା ମାଧ୍ୟମରେ ସଂଗୃହୀତ ସୂଚନା ଆଧାରରେ ହମାସ୍‌ ଆତଙ୍କବାଦୀ ଓ ସମର୍ଥକ ଲୁଚିଥିବା ସ୍ଥାନରେ ଚଢ଼ଉ କରାଯାଇଛି। ରାତି ସାରା ଚଢ଼ଉ ପରେ ଆଇଡିଏଫ୍‌ ବାହିନୀ ଫେରିଆସିଛି; ତେବେ ଭୂପୃଷ୍ଠରୁ ଏହା ବିଧିବଦ୍ଧ ଆକ୍ରମଣ ନୁହେଁ; ଯଥା ସମୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ ଏବଂ ଏହାର ସମୟ ପ୍ରକାଶ କରାଯିବ ନାହିଁ। ଗାଜା ଉପରେ ସମନ୍ବିତ ଆକ୍ରମଣ ପୂର୍ବରୁ ଏହା କେବଳ ଅଭ୍ୟାସ ବୋଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କହିଛନ୍ତି। ଅକ୍ଟୋବର ୭ରେ ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ହମାସ୍‌ର ଅତର୍କିତ ଆକ୍ରମଣ ଇସ୍ରାଏଲ ଭୁଲିବ ନାହିଁ। ଏହା ଦେଶର ଇତିହାସରେ ଏକ କଳାଦାଗ ଏବଂ ଏହା ଲିଭାଇବାକୁ ଇସ୍ରାଏଲ ବଦ୍ଧ ପରିକର ବୋଲି ସେ କହିଛନ୍ତି। ଆଇଡିଏଫ୍‌ ନିଶାଣରେ ହମାସ୍‌ର ଗୁପ୍ତ ଆଡ୍ଡା ଥିବା ସୁଦୀର୍ଘ ସୁଢ଼ଙ୍ଗ ରହିଛି। ଏହାକୁ ଧ୍ବଂସ କରିବା ନେଇ ଆଇଡିଏଫ୍‌ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି। ଗାଜା ସୀମାନ୍ତରେ ହମାସ୍‌ର ପ୍ରାୟ ୧୩୦୦ ସୁଢ଼ଙ୍ଗ ରହିଛି; ଯାହାକି ପ୍ରାୟ ୫୦୦କିଲୋମିଟର ଦୀର୍ଘ। ମାଟି ତଳେ ରହିଥିବା ଏହି ସୁଢ଼ଙ୍ଗ ପ୍ରାୟ ୨ମିଟର ଗୋଲେଇ ବିଶିଷ୍ଟ ହୋଇଥିବାବେଳେ ଏଥିରେ ହମାସ୍‌ର ଅସ୍ତ୍ରଶସ୍ତ୍ର ସହ ହମାସ୍‌ କମାଣ୍ଡରମାନେ ଲୁଚି ରହିଛନ୍ତି।
ଅପରପକ୍ଷରେ ଆଇଡିଏଫ୍‌ ପଣବନ୍ଦୀଙ୍କ ସାନି ସଂଖ୍ୟା ପ୍ରକାଶ କରିଛି। ହମାସ୍‌ ମୋଟ ୨୨୪ ଜଣଙ୍କୁ ପଣବନ୍ଦୀ ରଖିଥିବା ଏହା ଦର୍ଶାଇଛି। ଅପରପକ୍ଷରେ ଇସ୍ରାଏଲ ଆକ୍ରମଣରେ ୫୦ ପଣବନ୍ଦୀଙ୍କର ମୃତ୍ୟୁ ଘଟିଥିବା ହମାସ୍‌ ଦାବି କରିଛି। ଗାଜାରେ ମୃତ୍ୟୁ ସଂଖ୍ୟା ୬ ହଜାର ୭୦୦ରେ ପହଞ୍ଚିଛି। ଇରାନ୍‌ ପୁଣି ଥରେ ଇସ୍ରାଏଲକୁ ଧମକ ଦେଇଛି। ଗାଜାରେ ଭୂପୃଷ୍ଠରୁ ଆକ୍ରମଣ କଲେ ଇସ୍ରାଏଲ ସେଠାରେ ସମାଧି ନେବ ବୋଲି ଇରାନ୍‌ କହିଛି। ସେପଟେ ଲେବାନନ୍‌ରୁ ଦକ୍ଷିଣାଞ୍ଚଳ ସୀମାରୁ ଆତଙ୍କବାଦୀ ସଂଗଠନ ହେଜ୍‌ବୋଲ୍ଲା ରକେଟ ମାଡ଼ କରିବା ପରେ ଇସ୍ରାଏଲ ଏହାର କଡ଼ା ଜବାବ ଦେଇଛି। ଆଇଡିଏଫ୍‌ ହେଜ୍‌ବୋଲ୍ଲାର ସାମରିକ ଘାଟିକୁ ବିମାନ ଆକ୍ରମଣରେ ଧ୍ବଂସ କରିଦେଇଛି। ଆଇଡିଏଫ୍‌ ସେନା ହମାସ୍‌ର ଏକ ଘାଟିକୁ ଧ୍ବଂସ କରିଦେବା ସହ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଦକ୍ଷିଣ ସୀମାନ୍ତ କିବୁସ୍‌ ବେରିଠାରେ ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବାକୁ ଯାଇ ଆଇଡିଏଫ୍‌ ସୈନ୍ୟ ହମାସ୍‌ ଆତଙ୍କବାଦୀଙ୍କୁ ଏକ ଗାଡ଼ିରେ ଗୋଡ଼ାଇ ଆକ୍ରମଣ କରିଥିଲେ। ଏଥିରେ ଆତଙ୍କବାଦୀଙ୍କ ମୃତ୍ୟୁ ସହ ସେମାନଙ୍କର ଏକ ଆଡ୍ଡା ଧ୍ବଂସ ପାଇଥିଲା। ପରେ ଇସ୍ରାଏଲ ଟ୍ୟାଙ୍କ ସୀମାନ୍ତରେ ଥିବା ହମାସ୍‌ର ଏକାଧିକ ଆଡ୍ଡାକୁ ଧ୍ବଂସ କରିଦେଇଛି।

Show More

Related Articles

Back to top button