ଲୋକାର୍ପିତ ହେଲା ‘ନିମନ୍ତ୍ରଣ-ଖାଣ୍ଟି ଓଡ଼ିଆ ଖାଦ୍ୟ ରେଷ୍ଟୁରାଣ୍ଟ’

ଓଡ଼ିଶାର ଚାଲି ଚଳଣି, ସଂସ୍କୃତି, ପରମ୍ପରା ପ୍ରାୟ ସବୁ ଯାଗାରେ ଲୋକପ୍ରିୟତା ଲାଭ କରିଛି । ତା ସହିତ ଓଡିଆ ଖାଦ୍ୟ ମଧ୍ୟ ସବୁଠି ବେଶ୍ ପରିଚିତ । ଓଡ଼ିଶାର ପଖାଳ କୁହନ୍ତୁ ବା ପୋଡପିଠା ସମସ୍ତଙ୍କୁ ଏହାର ସ୍ବାଦ ବେଶ୍ ଭଲଲାଗେ । ଏଥି ସହିତ ଓଡ଼ିଶାର ବାର ମାସରେ ତେର ପର୍ବର ଖାଦ୍ୟ ବି ବେଶ୍ ପରିଚିତ । ଏସବୁକୁ ସୁବିଧାରେ ପାଇବା ପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ‘ନିମନ୍ତ୍ରଣ-ଖାଣ୍ଟି ଓଡ଼ିଆ ଖାଦ୍ୟ ରେଷ୍ଟୁରାଣ୍ଟ’ ଆରମ୍ଭ ହେଉଛି ଏବଂ ଆଜି ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି ।
ଏହି ଅବସରରେ ଓଟିଡିସି ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ ପ୍ରଥମ କରି ଭୁବନେଶ୍ୱରରେ ଖୋଲିଛି । ରାଜଧାନୀର ବ୍ୟସ୍ତବହୁଳ ସ୍ଥାନ ସହିଦ ନଗରରେ ଏହା ଶୁଭାରମ୍ଭ ହୋଇଥିବା ବେଳେ ଆଗକୁ ପୁରୀ ଓ ସମ୍ବଲପୁରରେ ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ସ୍ୱତନ୍ତ୍ର ଭାବେ ବାହାର ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟର ଘରୋଇ ଖାଦ୍ୟ ମିଳିବ ବୋଲି କହିଛନ୍ତି । ୧୨୫ କେଜି ଓଡିଶା ମାନଚିତ୍ର ପ୍ରତିକୃତିର ସବୁ ଜିଲ୍ଲାର ସ୍ୱତନ୍ତ୍ର ଖାଦ୍ୟକୁ ନେଇ ପୋଡ଼ ପିଠା ନିର୍ମିତ ସ୍ୱତନ୍ତ୍ର କେକ୍ କାଟି ଏହାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । କାର୍ଯକ୍ରମରେ ସଂସ୍କୃତି ଓ ପର୍ଯଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ, ମନ୍ତ୍ରୀ ପଦ୍ମନାଭ ବେହେରା, ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବ ଉପସ୍ଥିତ ଥିଲେ ।