ଦେଶ ବିଦେଶବାଣିଜ୍ୟ

ଦୀପାବଳିରେ ଚୀନ୍‌ ୪୦ ହଜାର କୋଟି ଟଙ୍କାର କ୍ଷତି

ଚଳିତ ବର୍ଷ ଦୀପାବଳିରେ ଚୀନ୍‌ର ରପ୍ତାନିକାରୀ‌ମାନେ ୪୦ ହଜାର କୋଟି ଟଙ୍କାର କ୍ଷତି ସହିବା ଆଶଙ୍କା ରହିଛି

ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ଆକଳନ ଅନୁସାରେ ପ୍ରତିବର୍ଷ ‌ଦୀପାବଳିରେ ସାରା ଦେଶରେ ପ୍ରାୟ ୭୦ ହଜାର କୋଟି ଟଙ୍କାର କାରବାର ହୋଇଥାଏ। ସେଥି ମଧ୍ୟରୁ ୪୦ ହଜାର କୋଟି ଟଙ୍କାର ସାମଗ୍ରୀ ଚୀନ୍‌ରୁ ଆମଦାନି କରାଯାଉଥିଲା। ‌ଚଳିତ ବର୍ଷ ଲଦାଖ୍‌ରେ ଚୀନ୍ ସେନା ସହ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଚୀନ୍‌ ସାମଗ୍ରୀ ବର୍ଜନ କରିବା ଲାଗି ଆହ୍ବାନ ଦିଆଯାଇଛି। ସ୍ଥାନୀୟ ବିକ୍ରେତାମାନେ ସେହି ଆହ୍ବାନକୁ ଗମ୍ଭୀରତାର ସହ ନେଇ ଚୀନ୍ ସାମଗ୍ରୀ ଆମଦାନି କରିନାହାନ୍ତି। ବ୍ୟବସାୟୀ ମହାସଂଘର ସଭାପତି ବି ସି ଭର୍ତିଆ ଓ ପ୍ରବୀଣ ଖଣ୍ଡେଲ୍‌ୱାଲ କହିଛନ୍ତି ଯେ ବ୍ୟବସାୟୀମାନଙ୍କ ପାଖରେ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ସାମଗ୍ରୀ ରହିଛି।

ଦୀପାବଳି ସମୟରେ ମୁଖ୍ୟତଃ ମୋବାଇଲ୍ ଫୋନ୍, ଇଲେ‌କ୍‌ଟ୍ରୋନିକ୍ସ, ଇଲେକ୍‌ଟ୍ରିକାଲ୍, ଖେଳନା, ହୋମ୍ ଫର୍ଣ୍ଣିସିଂ, କିଚେନ୍ ସାମଗ୍ରୀ, ଉପହାର ସାମଗ୍ରୀ, ହାତଘଣ୍ଟା, ରେଡିମେଡ୍ ପୋଷାକ, ‌ଜୋତା, ପ୍ରସାଧନ ସାମଗ୍ରୀ, ବିଉଟି ଉତ୍ପାଦ, ଏଫ୍ଏମ୍ଏସିଜି ଉତ୍ପାଦ, କଞ୍ଜ୍ୟୁମର ଡ୍ୟୁରେବଲ୍, ଷ୍ଟେସନାରି ଓ ସାଜ୍ଜସଜା ଆଲୋକ ମାଳା ଏବଂ ସାମଗ୍ରୀ ଅଧିକ ବିକ୍ରି ହୋଇଥାଏ। ଦୀପାବଳି ବଜାର ଲାଗି ସାମଗ୍ରୀ ତିଆରି କରିବା ପାଇଁ ମହାସଂଘ ପକ୍ଷରୁ କ୍ଷୁଦ୍ର କାରଖାନା ଓ ସ୍ଥାନୀୟ କାରିଗରମାନଙ୍କୁ କୁହାଯାଇଥିଲା। ରେହ୍‌ସିୟର୍‌ ନାମକ ସଂସ୍ଥାର ରିପୋର୍ଟ ଅନୁସାରେ ଚଳିତ ବର୍ଷ ଅନ୍‌ଲାଇନ୍ କାରବାରରେ ୭୦ ପ୍ରତିଶତ ବୃଦ୍ଧି ଘଟିବ। ଗତବର୍ଷ ଅକ୍ଟୋବରରେ ପ୍ରାୟ ୨୮ ନିୟୁତ ଲୋକ କିଣାକିଣି କରିଥିଲେ। ଚଳିତ ବର୍ଷ ସେମାନଙ୍କ ସଂଖ୍ୟା ୫୦ ନିୟୁତ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଚଳିତ ବର୍ଷ ଉତ୍ସବ ସମୟରେ ପ୍ରାୟ ୪୦୦ କୋଟି ଡଲାରର ସାମଗ୍ରୀ ବିକ୍ରି ହେବ ବୋଲି ଆଶା କରାଯାଉଛି ଯାହା ଗତବର୍ଷର ୨୭୦ କୋଟି ଡଲାର ବିକ୍ରି ତୁଳନାରେ ପ୍ରାୟ ଦୁଇ ଗୁଣ ଅଧିକ।

Show More

Related Articles

Back to top button