
ହାଇଦ୍ରାବାଦ: ଅଷ୍ଟ୍ରେଲିଆକୁ ହରାଇ ଟି-୨୦ ସିରିଜ୍ ଜିତିଛି ଭାରତ । ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍କୁ ୨-୧ରେ ଜିତି ନେଇଛି ଟିମ୍ ଇଣ୍ଡିଆ। ଘରୋଇ ମାଟିରେ ୧୦ଟି ସିରିଜ୍ ଜିତିବାର ରେକର୍ଡ ଏବେ ରୋହିତ ଶର୍ମା ଏବଂ କୋ କରିଛନ୍ତି। ଚଳିତ ବର୍ଷ ଭାରତର ଟି-୨୦ରେ ତା’ର ୨୧ତମ ବିଜୟ ହାସଲ କରିଛି। ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚ୍ରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୧୮୬ ରନ କରିଥିଲା। ଏହାର ଜବାବରେ ଭାରତ ୪ ୱିକେଟ ହରାଇ ଗୋଟିଏ ବଲ ପୂର୍ବରୁ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି। ସୂର୍ଯ୍ୟ କୁମାର ଯାଦବଙ୍କ ୬୯ ଓ ବିରାଟ କୋହଲିଙ୍କ ୬୩ ରନ ବଳରେ ଭାରତ ଦମଦାର ବିଜୟ ସହ ସିରିଜ୍ ହାସଲ କରିଛି। ଏହି ବିଜୟ ପରେ ଟିମ୍ ଇଣ୍ଡିଆ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର ଟି-୨୦ ରେକର୍ଡକୁ ଭାଙ୍ଗି ଦେଇଛି। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଭାରତ ଏଯାଏ ୨୧ଟି ବିଜୟ ହାସଲ କରିଛି। ପୂର୍ବରୁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ପାକିସ୍ତାନ ସର୍ବାଧିକ ଟି-୨୦ ମ୍ୟାଚ୍ ଜିତିବାର ରେକର୍ଡ କରିଥିଲା। ପାକିସ୍ତାନ ୨୦ଟି ମ୍ୟାଚ୍ ଜିତିଥିବା ବେଳେ ଭାରତ ୨୧ଟି ମ୍ୟାଚ୍ ଜିତି ଏହି ରେକର୍ଡକୁ ଅତିକ୍ରମ କରିଛି। ପାକିସ୍ତାନ ୨୯ଟି ମ୍ୟାଚ୍ ଖେଳି ୨୦ଟିରେ ଜିତିଥିଲା। ହେଲେ ଭାରତ ସମାନ ସଂଖ୍ୟକ ମ୍ୟାଚ ଖେଳି ରବିବାର ୨୧ତମ ବିଜୟ ହାସଲ କରିଛି। ଏସିଆ କପ ଓ ୨୦୨୧ ବିଶ୍ୱକପ ଟି-୨୦ରେ ଭାରତର ସଅଳ ବିଦାୟ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଦଳର ବିଜୟ ଖେଳାଳିଙ୍କ ପାଇଁ ବୁଷ୍ଟର ସଦୃଶ ହୋଇଛି। ସେହିପରି ସ୍ଥାୟୀ ଅଧିନାୟକ ଭାବେ ଘରୋଇ ମାଟିରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ନ ହାରିବାର ରେକର୍ଡ ମଧ୍ୟ ରୋହିତ ଶର୍ମା ବଜାୟୀ ରଖିଛନ୍ତି। ୨୦୨୧ ବର୍ଷରେ ପାକିସ୍ତାନ ୨୯ଟି ମ୍ୟାଚରୁ ୨୦ରେ ଜିତିଥିଲା। ୨୦୨୧ ପାକିସ୍ତାନ ପାଇଁ ଅତ୍ୟନ୍ତ ଶୁଭଙ୍କର ଥିଲା। ଦଳ ଟି-୨୦ ବିଶ୍ୱକପରରେ ଭାରତକୁ ହରାଇବା ସହ ସେମି ଫାଇନାଲରେ ପ୍ରବେଶ କରିଥିଲା। କୌଣସି ବିଶ୍ୱକପରେ ଭାରତ ପ୍ରଥମଥର ପାଇଁ ୨୦୨୧ରେ ପାକିସ୍ତାନ ଠାରୁ ହାରିଥିଲା। ଏହି ପରାଜୟ ଭାରତୀୟ ଟିମ ଓ ଫ୍ୟାନମାନଙ୍କୁ ନିରାଶ କରିଥିଲା ଏସିଆ କପରେ ଭାରତ ଲିଗ୍ ପର୍ଯ୍ୟାୟରେ ପାକିସ୍ତାନକୁ ହରାଇଥିଲା। ହେଲେ ସୁପର ୪ରେ ପାକିସ୍ତାନ ପୁଣିଥରେ ଭାରତକୁ ହରାଇ ଦେଇଥିଲା। ଏହି ପରାଜୟକୁ ଭୁଲି ଭାରତ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ୍ ଖେଳିବାକୁ ପଡ଼ିଆକୁ ଓହ୍ଲାଥିଲେ। ଏଥିସହ ଦଳ ୨-୧ରେ ସିରିଜ୍ ମଧ୍ୟ ଭାରତ କବଜା କରିବାକୁ ସକ୍ଷମ ହୋଇପାରିଛି।