ଖେଳମୁଖ୍ୟ ଖବରସ୍ୱତନ୍ତ୍ର

ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା

ପର୍ଥ: ଆସନ୍ତାକାଲି ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା। ପର୍ଥରେ ଭାରତୀୟ ସମୟ ଅପରାହ୍ନ ୪.୩୦ରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ଗ୍ରୃପ ୨ରେ ଥିବା ଉଭୟ ଦଳ ଏଯାଏ ୨ଟି ଲେଖାଏଁ ମ୍ୟାଚ୍‌ ଖେଳିଛନ୍ତି। ଭାରତ ଦୁଇଟି ମ୍ୟାଚ୍‌ରୁ ୨ଟି ଯାକ ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା ଗୋଟିଏ ଜିତିଛି ଓ ଗୋଟିଏ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ଏହାର ଅର୍ଥ ଉଭୟ ଦଳ ଏଯାଏ ଟୁର୍ଣ୍ଣାମେଣ୍ଟରେ ହାରି ନାହାନ୍ତି। ଦକ୍ଷିଣ ଆଫ୍ରିକା ପାଖରେ ୩ ପଏଣ୍ଟ ରହିଛି। ସେହିପରି ଭାରତ ୪ ପଏଣ୍ଟ ସହ ଶୀର୍ଷରେ ରହିଛି। ତେଣୁ ଆସନ୍ତାକାଲି ଦୁଇ ଦଳ ଶୀର୍ଷ ସ୍ଥାନ ଦାଖଲ ପାଇଁ ଲଢ଼େଇ କରିବେ। ଭାରତ ଠାରୁ ହାରିଥିବା ପାକିସ୍ତାନର ନଜର ମଧ୍ୟ ଏହି ମ୍ୟାଚ୍‌ ଉପରେ ରହିବ। କାରଣ ଦକ୍ଷିଣ ଆଫ୍ରିକା ହାରିଲେ ହିଁ ପାକିସ୍ତାନର ସେମି ଫାଇନାଲରେ ଖେଳିବା ଆଶା ଉଜ୍ଜୀବିତ ରହିବ। ନଚେତ ପାକିସ୍ତାନକୁ ଟପ୍‌ ୪ରେ ସ୍ଥାନ ପାଇବା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିବ। ପାକିସ୍ତାନ ପ୍ରଥମ ମ୍ୟାଚ୍‌ରେ ଭାରତ ଠାରୁ ଓ ଦ୍ୱିତୀୟ ମ୍ୟାଚ୍‌ରେ ଜିମ୍ବାୱେ ଭଳି ଦଳ ଠାରୁ ହାରିଛି। ତେଣୁ ଆସନ୍ତାକାଲି ଭାରତର ବିଜୟ ପାଇଁ ପାକିସ୍ତାନ ପ୍ରାର୍ଥନା କରିବ। ପେନପେପର ଓ ନିକଟ ପ୍ରଦର୍ଶନକୁ ଦେଖିଲେ ଦକ୍ଷିଣ ଆଫ୍ରିକା ତୁଳନାରେ ଭାରତର ପଲ୍ଲା ଭାରି ରହିଛି। ଟି-୨୦ ବିଶ୍ୱକପ ପୂର୍ବରୁ ଭାରତ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକାର ସମାନ ଟିମକୁ ମାତ ଦେଇଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକା ପାଇଁ ପର୍ଥର ପରିବେଶ ବେଶୀ ଅନୁକୂଳ। ଭାରତ ଭଳି ଦକ୍ଷିଣ ଆଫ୍ରିକା ମଧ୍ୟ ବିଶ୍ୱକପ ଜିତିବା ଭୋକରେ ରହିଛି। ଜିମ୍ବାୱେ ବିପକ୍ଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବିସ୍ଫୋରକ ବ୍ୟାଟିଂ କରିଥିଲା। ଅବଶ୍ୟ ବର୍ଷା ଯୋଗୁଁ ମ୍ୟାଚ୍‌ ଅଧାରୁ ବାତିଲ ହୋଇଯାଇଥିଲା। ସେହିପରି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲ୍ୟାଣ୍ଡ ପରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦଳ ଭାବେ ୨୦୦ରୁ ଅଧିକ ରନ କରିଛି। ବାଂଲାଦେଶ ବିପକ୍ଷରେ ରିଲି ରୁସୋଙ୍କ ବିସ୍ଫୋରକ ଶତକ ଦଳୀୟ ଖେଳାଳିଙ୍କୁ ଉତ୍ସାହିତ କରିଛି। ଏହା ଚଳିତ ବିଶ୍ୱକପରେ ପ୍ରଥମ ଶତକ ଥିଲା। ସେହିପରି ରୁସୋ ଦକ୍ଷିଣ ଆଫ୍ରିକାର ପ୍ରଥମ କ୍ରିକେଟର ଭାବେ ଟି-୨୦ ବିଶ୍ୱକପରେ ପ୍ରଥମ ଶତକ ହାସଲ କରିଛନ୍ତି।

 

Show More

Related Articles

Back to top button