ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣମୁଖ୍ୟ ଖବର

ପୁରୀ ଲୋକନାଥ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ ଅନୁଷ୍ଠିତ

ଏହି ଅବସରରେ ଲୋକନାଥ ଦେବଙ୍କ ଗମ୍ଭିରାରୁ ବର୍ଷ ତମାମ ଜମା ହୋଇ ରହିଥିବା ବେଲପତ୍ର, ପୁଷ୍ପ, ନୈବେଦ୍ୟ ଇତ୍ୟାଦିକୁ ପଙ୍କ ହିସାବରେ ପରମ୍ପରା ଅନୁସାରେ କଢ଼ା ଯାଇଥିଲା।

ପୁରୀର ଶ୍ରୀ ଲୋକନାଥଙ୍କ ପୀଠରେ ଆଜି ପଙ୍କୋଦ୍ଧାର ଏକାଦଶୀ ପାଳିତ ହୋଇଯାଇଛି। ଲୋକନାଥ ଦେବ ବର୍ଷ ତମାମ ପୁଷ୍ପ ନୈବେଦ୍ୟରେ ଲୁକାୟିତ ଥିବାବେଳେ ଆଜିର ଦିନରେ ବିଶେଷ ଦର୍ଶନ ଦେଇଥାନ୍ତି। ଅନ୍ୟପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପୁରୀର ଶ୍ରୀ ଲୋକନାଥ ଦେବଙ୍କ ପୀଠରେ ଆଜି ଦିନର ବିଶେଷ ମହତ୍ୱ ରହିଛି। ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ବିଳମ୍ୱିତ ରାତିରୁ ଦ୍ୱାରଫିଟା ହୋଇ ସକାଳ ଧୂପ ଓ ଦ୍ୱିପ୍ରହର ଧୂପ ପରେ ମନ୍ଦିର ଗମ୍ଭୀରାରେ ବର୍ଷ ତମାମ ଭକ୍ତମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ବେଲପତ୍ର, ଫୁଲ, ଫଳ, ସୁନା, ରୁପା ଓ ନୈବେଦ୍ୟକୁ କଢ଼ାଯାଇଥିଲା। ପ୍ରାୟ ଏକବର୍ଷ ପରେ ଆଜି ପ୍ରଭୁ ଶ୍ରୀ ଲୋକନାଥଦେବଙ୍କ ସମ୍ପୁର୍ଣ୍ଣ ଲିଙ୍ଗ ଦର୍ଶନ କରିବାର ସୌଭାଗ୍ୟ ଭକ୍ତଙ୍କୁ ମିଳିଥିଲା।

ଶ୍ରୀ ଲୋକନାଥ ଦେବଙ୍କ ପ୍ରତିଷ୍ଠା ପ୍ରଭୁ ଶ୍ରୀରାମଚନ୍ଦ୍ର କରିଥିବାର କିମ୍ୱଦନ୍ତୀରୁ ଜଣାଯାଏ। ଲକ୍ଷେ ଶିବଲିଙ୍ଗ ପୂଜା କଲେ ଯେଉଁ ଫଳ ପ୍ରାପ୍ତି ମିଳିଥାଏ ଆଜିର ଦିନରେ ଯଦି ଶ୍ରୀ ଲୋକନାଥଙ୍କୁ ଦର୍ଶନ ସହିତ ପୂଜାର୍ଚ୍ଚନା କଲେ ସେହି ସମାନ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଅନ୍ୟପକ୍ଷରେ ଜିଲ୍ଲାପ୍ରଶାସନ ଓ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନୀତିକୁ ଶୃଙ୍ଖଳିତ କରାଯାଇ ସକାଳରୁ ସମସ୍ତ କାର୍ଯ୍ୟ ସମାପ୍ତ କରା ଯାଇଥିଲା। ପରେ ପଙ୍କୋଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ସେବକ, ପୂଜକ ଓ ଭକ୍ତମାନେ ଏହି ପଙ୍କୋଦ୍ଧାର କାର୍ଯ୍ୟରେ ଯୋଗଦାନ କରିଥିଲେ। ଆଜି ବିଶେଷ ଦର୍ଶନ ଥିବାରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ଭକ୍ତ ମାନଙ୍କର ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

 

Show More

Related Articles

Back to top button