ଦେଶ ବିଦେଶବାଣିଜ୍ୟ

ଓଡ଼ିଶାରେ ଋଷ୍‌-ୟୁକ୍ରେନ୍‌ର ଯୁଦ୍ଧ ପ୍ରଭାବ

୪୦-୬୦ ଟଙ୍କା ବଢ଼ିଲାଣି ଖାଇବା ତେଲ, ଚିନ୍ତାରେ ଖାଉଟି

ସେଠି ଯୁଦ୍ଧ ଏଠି ପ୍ରଭାବ। ଏଠାରେ ଧିରେ ଧିରେ ତେଲ ଦର ବଢ଼ିଲାଣି। ଖାଇବା ତେଲ ଦର ଉପରେ ଯୁଦ୍ଧ ମାଡ଼ ପଡ଼ିଲାଣି। କିନ୍ତୁ ଚର୍ଚ୍ଚା ହେଉଛି କିଛି ମହଜୁଦକାରୀ ଏଠାରେ କୃତ୍ରିମ ଅଭାବ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଯେଉଁଥିପାଇଁ ଖାଇବା ତେଲର ଦର ବଢ଼ିଛି। ଯୋଗାଣ ବିଭାଗ ମହଜୁଦକାରୀଙ୍କ ଉପରେ ନଜର ରଖିବା ଲାଗି ଶକ୍ତ ନିର୍ଦ୍ଦେଶ ଦେଇଥିବା ସତ୍ତ୍ବେ ଏହାର ପ୍ରଭାବ କିନ୍ତୁ ପଡୁନାହିଁ ବରଂ ଦୋକାନୀଙ୍କ ମୁହଁରୁ ଶୁଣିବାକୁ ମିଳୁଛି- ଯୁଦ୍ଧ ପାଇଁ ସପ୍ଲାଏ ବନ୍ଦ ହେଲାଣି। କେଉଁଥିପାଇଁ ବଜାରରେ ତେଲ ଦର ବଢ଼ିଲା? କଣ ସତରେ ୟୁକ୍ରେନ ଯୁଦ୍ଧ ପାଇଁ ସପ୍ଲାଏ ବନ୍ଦ ହୋଇଗଲାଣି ? ସୂର୍ଯ୍ୟମୁଖୀ ତେଲର ଦର ବଢ଼ିଲା, ନା ମହଜୁଦକାରୀ ଯୁଦ୍ଧ ନାଁରେ ପାରି ହେଉଛନ୍ତି ଆଉ ମାଲ ଚାପି ଦେଇଛନ୍ତି ? ଏମିତି ଅନେକ ପ୍ରଶ୍ନ ଉଠିଛି । ଖାଇବା ତେଲର ମୂଲ୍ୟ ଦିନକୁ ଦିନ ବଢିବାରେ ଲାଗିଛି । କେତେକ ଡିଲର କହିଛନ୍ତି ଯେ ତେଲ ପ୍ୟାକେଟରେ ସର୍ବାଧିକ ଖୁଚୁରା ମୂଲ୍ୟ ବା MRP ଅପରିବର୍ତ୍ତିତ ରହିଛି । କିନ୍ତୁ ପ୍ରତି ପ୍ୟାକେଟ ପିଛା ୧୫ ରୁ ୨୦ ଟଙ୍କା ଅଧିକାରେ ସେମାନେ କିଣୁଛନ୍ତି । ତେଣୁ ନିଜ ଲାଭ କମ କରି ସେମାନେ ଖୁଚୁରାରେ ବିକ୍ରି କରିଛନ୍ତି । ଖୁଚୁରା ଦୋକାନରେ ଏହାର ଦର ସେହି ଅନୁସାରେ ବୃଦ୍ଧି ପାଇଛି। ଗତ ସପ୍ତାହରେ ହୋଲସେଲ ମୂଲ୍ୟରେ ବୃଦ୍ଧି ହେତୁ ଅନେକ ରନ୍ଧନ ତେଲ କ୍ରୟ ବନ୍ଦ କରି ଦେଇଛନ୍ତି। ତେଣୁ ଆଗକୁ ବଜାରରେ ଏହାର ଅଭାବ ଦେଖାଦେବାର ସଙ୍କେତ ମିଳିଲାଣି।

ଗତ ସପ୍ତାହରେ ସୂର୍ଯ୍ୟମୁଖୀ ଏବଂ ପାମ୍‌ ତେଲର ମୂଲ୍ୟ ଯଥାକ୍ରମେ ୪୦ ଏବଂ ୬୦ ଟଙ୍କା ବୃଦ୍ଧି ପାଇଛି। ଓଡ଼ିଶାରେ କୌଣସି ଖାଇବା ତେଲ ଉତ୍ପାଦନ ହେଉ ନଥିବାବେଳେ ପ୍ରତ୍ୟେକ ଦିନ ବ୍ୟବହାର ୧,୫୦୦ ରୁ ୨,୦୦୦ ଟନ୍ ତେଲ ଖର୍ଚ୍ଚ ହେଉଛି । ଏପରିକି ଅନେକ ପରିବାର ଆଗୁଆ ଖାଇବା ତେଲ ଷ୍ଟକ୍ କରିବା ଆରମ୍ଭ କଲେଣି। ପ୍ରତି ପରିବାର ଯଦି ଗୋଟିଏ ଲିଟର ଅଧିକ କିଣନ୍ତି ଏହାର ପ୍ରଭାବ କେତେ ପରିମାଣରେ ବଜାର ଉପରେ ପଡ଼ିବ ଅନୁମାନ କରନ୍ତୁ। ପୂର୍ବରୁ ବ୍ରାଣ୍ଡେଡ୍ ସୂର୍ଯ୍ୟମୁଖୀ ତେଲର ମୂଲ୍ୟ ଗତ ସପ୍ତାହ ପର୍ଯ୍ୟନ୍ତ ଲିଟର ପିଛା ୧୩୦ ଟଙ୍କାଥିବା ବେଳେ ଏବେ କିଛି ସ୍ଥାନରେ ଲିଟର ପିଛା ୧୭୫ ଟଙ୍କା ହୋଇଛି। ଗତ ସପ୍ତାହରେ ପାମୋଲିନ ତେଲ ଲିଟର ପିଛା ୧୨୨ ଟଙ୍କା ଥିବା ବେଳେ ଏବେ ଏହା ୧୫୬ ମାରିଲାଣି। ଯେତେବେଳେକି ରୁଷ ବା ୟୁକ୍ରେନରୁ ସୂର୍ଯ୍ୟମୁଖୀ ତେଲ ଆସିଥାଏ କିନ୍ତୁ ପାମ ତେଲ ମାଲେସିଆରୁ ଆସିଥାଏ। ତେଣୁ ପାମୋଲିନର ଅଭାବ ଆସିବା ଅର୍ଥ ଏହା ମହଜୁଦକାରୀଙ୍କ ପାଇଁ ହେଉଛି ଏମିତି କିଛି ଅନୁମାନ କରାଯାଇପାରେ।

Show More

Related Articles

Back to top button