Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ରାଜ୍ୟରେ ଆସନ୍ତା ଦୁଇଦିନ ପ୍ରବଳ ଖରା ଓ ଗୁଳୁଗୁଳି

ଡେରିରେ ଆସିବ ମୌସୁମୀ

ରାଜ୍ୟକୁ ମୌସୁମୀ ପହଞ୍ଚିବା ବିଳମ୍ବ ହେବ । ଡେରିରେ ପହଞ୍ଚିବ । ନିଅଣ୍ଟିଆ ବର୍ଷା ବି ହେବ । ମୌସୁମୀ ଆସିଲେ ବି କେଉଁଠି ହାଲୁକା ଆଉ କେଉଁଠି ମଧ୍ୟମ ଧରଣର ବର୍ଷା ହେବ । ଭାରୀ ବର୍ଷାର ସମ୍ଭାବନା ନାହିଁ । ପାଣିପାଗ ବିଶେଷଜ୍ଞ ପ୍ରଫେସର ଡା. ସୁରେନ୍ଦ୍ରନାଥ ପଶୁପାଳକ ଏହା କହିଛନ୍ତି । ଗୁରୁବାର ଓ ଶୁକ୍ରବାର ରାଜ୍ୟରେ ପ୍ରଚଣ୍ଡ ତାତି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଆସନ୍ତା ୯ ଓ ୧୦ ତାରିଖ ଦୁଇ ଦିନ ଗ୍ରୀଷ୍ମ ଲହରୀ ଜାରି ରହିବ । ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରେ ପ୍ରଚଣ୍ଡ ତାତି ଅନୁଭୂତ ହେବ । ଏଥିପାଇଁ ସତର୍କତାମୂଳକ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି । ତାତି ସହ ଅସହ୍ୟ ଗୁଳୁଗୁଳି ମଧ୍ୟ ହେବ ବୋଲି କୁହାଯାଇଛି ।

ବୁଧବାର ଟିଟିଲାଗଡ଼ରେ ସର୍ବାଧିକ ୪୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସୋନପୁରର ୪୪.୬, ଭବାନୀପାଟଣାର ୪୪.୬, ବଲାଙ୍ଗୀରର ୪୪.୨, ଝାରସୁଗୁଡ଼ାର ୪୪.୨, ବଲାଙ୍ଗୀରର ୪୪.୨, ବରଗଡ଼ର ୪୪ ଓ ବରଗଡରେ ୪୪ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ରାଜ୍ୟର ୧୯ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ସେହିଭଳି ୯ଟି ସ୍ଥାନର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଛି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ସ୍ଥାନରେ ପ୍ରବଳ ତାତି ରହିଥିଲା । ଉପକୂଳ ଓଡିଶାରେ ଅସହ୍ୟ ଗୁଳୁଗୁଳି ହୋଇଥିଲା । ପ୍ରଫେସର ପଶୁପାଳକ କହିଛନ୍ତି, ଏବର୍ଷ ରାଜ୍ୟରେ ବିଳମ୍ବରେ ମୌସୁମୀ ପହଞ୍ଚିବ । ଆସନ୍ତା ୫ ଦିନ ଯାଏ ପାଗ ଶୁଖିଲା ରହିବ । ୧୩ ତାରିଖରୁ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବ । ଏହାର ପ୍ରଭାବରେ ଦିନ ତାପମାତ୍ରା କମିବ । ୧୦ରୁ ପଶ୍ଚିମ ଓଡ଼ିଶାରେ ତାତି କମିବ । ଏଠାରେ ଦିନ ତାପମାତ୍ରା ପ୍ରାୟ ୩୯ ଡିଗ୍ରୀକୁ ଖସିଆସିବ । ୧୬ ଓ ୧୭ରେ କେତେକ ସ୍ଥାନରେ ମୌସୁମୀ ଛୁଇଁବା ସମ୍ଭାବନା ଅଛି । କିନ୍ତୁ ସ୍ୱାଭାବିକ ବର୍ଷା ହେବନି । କେଉଁଠି ହାଲୁକା ଆଉ କେଉଁଠି ମଧ୍ୟମ ବର୍ଷା ହେବ । ଆଭ୍ୟନ୍ତରୀଣ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା,ମାଲକାନଗିରି, ଫୁଲବାଣୀ, କେନ୍ଦୁଝର, ସୁନ୍ଦରଗଡ, ଦେବଗଡ, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ହାରାହାରି ୫୦ମିଲିମିଟର ବର୍ଷା ହେବ । ୧୮ରୁ ୨୧ ଭିତରେ ବର୍ଷା ବଢ଼ିବ । କିନ୍ତୁ ମୌସୁମୀ ସ୍ୱାଭାବିକକୁ ଫେରିବନି । ଜୁନ୍‌ ମାସର ମୌସୁମୀ ବର୍ଷା ନିଅଣ୍ଟିଆ ରହିବ ବୋଲି ସେ କହିଛନ୍ତି । ବଙ୍ଗୋପସାଗରର ପୂର୍ବ ଉପକୂଳରେ ମୌସୁମୀ ସକ୍ରିୟ ଅଛି । କିନ୍ତୁ ପଶ୍ଚିମରେ ଆଦୌ ସକ୍ରିୟ ନାହିଁ । ଏଥିପାଇଁ ତାମିଲନାଡୁରୁ ପଶ୍ଚିମବଙ୍ଗ ଯାଏ ଭାରତର ପୂର୍ବ ଉପକୂଳରେ ପାଗ ଶୁଖିଲା ରହିଛି । ତେବେ ଜୁନ୍‌ରେ ଓଡ଼ିଶାର ପଡ଼ୋଶୀ ରାଜ୍ୟରେ ଅଧିକ ବର୍ଷା ହେବ । ଝାଡଖଣ୍ଡ, ପଶ୍ଚିମବଙ୍ଗ, ବିହାର ଓ ଉତ୍ତରପ୍ରଦେଶରେ ଜୁନ୍‌ ତୃତୀୟ ସପ୍ତାହରେ ମୌସୁମୀ ଛୁଇଁବା ସହ ଭାରୀ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

Show More

Related Articles

Back to top button