ଓଡ଼ିଶାମୁଖ୍ୟ ଖବର

ରାଜ୍ୟର ୮ ଜିଲ୍ଲାରେ ଶତପ୍ରତିଶତ ପ୍ରବେଶ କରିଛି ମୌସୁମୀ

୧୪ ଯାଏ ପ୍ରବଳ ବର୍ଷିବ, ସତର୍କ ସୂଚନା ଜାରି

ଓଡ଼ିଶା ଛୁଇଁଲା ମୌସୁମୀ। ଆଜି ରାଜ୍ୟର ୮ଟି ଜିଲ୍ଲା ( ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ନୂଆପଡା, ଗଜପତି ଓ ଗଞ୍ଜାମ)ରେ ମୌସୁମୀ ଶତପ୍ରତିଶତ ପ୍ରବେଶ କରିଛି। ଏହାର ପ୍ରଭାବରେ କେତେକ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି । ଅନ୍ୟପଟେ ପୂର୍ବ କେନ୍ଦ୍ରୀୟ ଉତ୍ତରପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ଏବେ ଓଡ଼ିଶା ଉପକୂଳର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉତ୍ତର-ପଶ୍ଚିମବଙ୍ଗୋପସାଗର ଅଞ୍ଚଳରେ ଏହା ସକ୍ରିୟ ରହିଛି। ଆଗାମୀ ୨୪ ଘଣ୍ଟାରେ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଉପନିର୍ଦ୍ଦେଶକ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।ଏହାର ପ୍ରଭାବରେ ୧୪ ତାରିଖ ଯାଏ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।

ବର୍ଷା ଯୋଗୁ ବାତ୍ୟା ଓ ଭୂସ୍ଖଳନ ହେବାର ଆଶଙ୍କା ଥିବାରୁ ଏଥିପାଇଁ ପ୍ରଭାବିତ ଜିଲ୍ଲାଗୁଡ଼ିକ ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ଉପକୂଳବର୍ତ୍ତୀ ସମସ୍ତ ଜିଲ୍ଲାକୁ ସତର୍କ କରାଯିବା ସହିତ ୨୦ଟି ଦୁର୍ବଳ ନଦୀବନ୍ଧ ଚିହ୍ନଟ କରାଯାଇଛି। ସବୁ ନଦୀବନ୍ଧକୁ ୨୪ ଘଣ୍ଟିଆ ପାଟ୍ରୋଲିଂ କରିବା ସହିତ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହା ସହିତ ଜଳସମ୍ପଦ ବିଭାଗ କଣ୍ଟ୍ରୋଲ ରୁମ ଖୋଲି ଘଟଣା ଉପରେ ନଜର ରଖିଛି। ତେବେ ସମସ୍ତ ଜଳଭଣ୍ଡାରରେ ଜଳସ୍ତର କମ୍‌ ଥିବାରୁ ବଡ଼ଧରଣର ବନ୍ୟା ହେଇନପାରେ । ତେବେ ନଦୀରେ ବର୍ଷା ଜନିତ ବନ୍ୟା ଆସିପାରେ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି। ଅନ୍ୟପଟେ ବାଲେଶ୍ବର, ଭଦ୍ରକ, ଯାଜପୁର,କଟକ, ଢେଙ୍କାନାଳ, ଅନୁଗୁଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜରେ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇପାରେ ବୋଲି ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଭାଗ।

Show More

Related Articles

Back to top button