ଦେଶ ବିଦେଶବାଣିଜ୍ୟ

୨୦୨୧ରେ ଚମକ ହରାଇଛି ସୁନା, ୯ ହଜାର ଟଙ୍କା କମିଛି ଦର

ଗତ ୬ ମାସରେ ଚମକ ହରାଇଛି ସୁନା । ସୁନାର ଦର ରେକର୍ଡ ସ୍ତରରେ କମିଛି । ତେବେ ୨୦୨୧ ଦ୍ୱିତୀୟ ଭାଗରେ କିଛିଟା ଫିକା ପଡ଼ିଥିବା ସୁନା ନୂଆବର୍ଷରେ ପୁଣି ଚମକିବ । ମହାମାରୀ ଭୟ, ମୁଦ୍ରାସ୍ଫୀତି ଆଶଙ୍କା ଏବଂ ସବଳ ଡଲାର ଯୋଗୁ ଏହା ୫୫,୦୦୦ ଟଙ୍କା ଟପିଯାଇପାରେ ବୋଲି ବଜାର ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ।

ବଜାରର ଦୋଳାୟମାନ ସ୍ଥିତିରେ ସୁନା ନିବେଶର ଏକ ନିରାପଦ ମାଧ୍ୟମ ଭାବେ ବିବେଚିତ ହୋଇଥାଏ । ସମ୍ଭାବ୍ୟ ଆଶଙ୍କାଗୁଡ଼ିକ ମଧ୍ୟରେ ଆଗକୁ ପୁଣି ଥରେ ଏହାର ଚାହିଦା ବଢ଼ିଚାଲିବ ଏବଂ ୨୦୨୨ରେ ଏହା ଊଦ୍ଧ୍ୱର୍ମୁଖୀ ହେବ ବୋଲି ଅନୁମାନ କରାଯାଇଛି । ସୂଚନାଯୋଗ୍ୟ, ୨୦୨୦ରେ କୋଭିଡ୍‌-୧୯ ଯୋଗୁ ବଜାରରେ ଦେଖାଦେଇଥିବା ଅସ୍ଥିରତା ମଧ୍ୟରେ ସୁନା ଚାହିଦା ପ୍ରବଳ ମାତ୍ରାରେ ବଢ଼ିଥିଲା । କ୍ରମାଗତ ଭାବେ ଏହା ଉପରମୁହାଁ ହୋଇ ଚାଲିଥିଲା । ଅଗଷ୍ଟରେ ଏମ୍‌ସିଏକ୍ସ(ମଲ୍ଟି କମୋଡିଟି ଏକ୍ସଚେଞ୍ଜ)ରେ ଏହା ରେକର୍ଡ ୫୬,୨୦୦ ଟଙ୍କାରେ ପହଞ୍ଚିଯାଇଥିଲା । ତାପରେ ଦାମ୍ କମିଥିଲା । ୬ ମାସରେ ସର୍ବନିମ୍ନ ସ୍ତରକୁ ପହଁଚି ଯାଇଥିଲା ସୁନା । ଗତ ୬ ବର୍ଷ ତୁଳନାରେ ୨୦୨୧ରେ ସୁନା ଦର ସବୁଠାରୁ କମ୍ ଥିଲା । ସମ୍ପ୍ରତି ୧୦ ଗ୍ରାମ ପିଛା ଦର ୪୮,୦୦୦ ଟଙ୍କା ନିକଟତର ରହିଛି । ଯାହା ପୂର୍ବ କାରବାର ଦିନ ତୁଳନାରେ ୦.୪ ପ୍ରତିଶତ କମ୍ । ସେହିପରି ସର୍ବକାଳୀନ ରେକର୍ଡ ଉଚ୍ଚ ସ୍ତର ତୁଳନାରେ ଏହା ୧୪% କମ୍‌ ଏବଂ ୨୦୨୧ ଜାନୁଆରୀ ତୁଳନାରେ ୪% କମ୍‌ । ସର୍ବାଧିକ ଦର ଅପେକ୍ଷା ଏବେ ପାଖାପାଖି ୯ ହଜାର ଟଙ୍କା ଶସ୍ତା ହୋଇଛି ସୁନା । ତେବେ ବର୍ତ୍ତମାନ ଦର ଯାହା ରହିଛି ତାହା ଅନ୍ତର୍ଜାତୀୟ ବଜାରରେ ଥିବା ହାରାହାରି ଦର ତୁଳନାରେ ୩% ଅଧିକ ରହିଛି । ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଫଳରେ ଏହା ହେଉଛି ।

କମ୍‌ଟ୍ରେଣ୍ଡ୍‌ଜ ସହ-ପ୍ରତିଷ୍ଠାତା ତଥା ସିଇଓ ଜ୍ଞାନଶେଖର ଥ୍ୟାଗରାଜନ କହିଛନ୍ତି ଯେ, ଓମାଇକ୍ରନ ସଂକ୍ରମଣ ରୋକିବା ପାଇଁ ସମ୍ପ୍ରତି ବିଭିନ୍ନ ସ୍ଥାନରେ ନୂଆ କଟକଣାମାନ ଲଗାଗଲାଣି । ୟୁରୋପୀୟ ରାଷ୍ଟ୍ରରେ ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ସେଲିବ୍ରେସନ ଫିକା ପଡ଼ିଯାଇଛି । ଏସବୁ ମଧ୍ୟରେ ବଜାରରେ ଆଗକୁ ଅସ୍ଥିରତା ଦେଖାଦେବା ନେଇ ଆଶଙ୍କା କରାଯାଉଛି । ଇକ୍ୱିଟି ବଜାରରେ ଅସ୍ଥିରତା ମଧ୍ୟରେ ଆଗକୁ ସୁନାରେ ନିବେଶ ବଢ଼ିପାରେ । ଫଳରେ ଏହି ଧାତୁ ଆଗକୁ ମହଙ୍ଗା ହେବ ।ଅନ୍ତର୍ଜାତୀୟ ବଜାରରେ ଆଉନ୍ସ ପିଛା ସୁନା ଦର ୧,୭୯୧ ଡଲାରରୁ ଅଧିକ ରହିଛି । ଅନ୍ୟପକ୍ଷରେ, ଭାରତରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ(ଏମ୍‌ସିଏକ୍ସ)ରେ ୧୦ ଗ୍ରାମ ପିଛା ସୁନା ୪୭,୭୪୦ ଟଙ୍କାରେ କାରବାର କରୁଛି । ଥିଆଗରାଜନ କହିଛନ୍ତି ଯେ, ୨୦୨୨ ପ୍ରଥମାର୍ଦ୍ଧରେ ଅନ୍ତର୍ଜାତୀୟ ବଜାରରେ ଆଉନ୍ସ ପିଛା ସୁନା ଦର ୧,୭୦୦ରୁ ୧,୯୦୦ ଡଲାର ମଧ୍ୟରେ ରହିପାରେ । ଦ୍ୱିତୀୟାର୍ଦ୍ଧରେ ଏହା ୨,୦୦୦ ଡଲାର ଅତିକ୍ରମ କରିପାରେ । ଘରୋଇ ବଜାରରେ ବର୍ଷ ପ୍ରଥମାର୍ଦ୍ଧରେ ୧୦ ଗ୍ରାମ ପିଛା ସୁନା ଦର ୪୫,୦୦୦ରୁ ୫୦,୦୦୦ ଟଙ୍କା ମଧ୍ୟରେ ରହିପାରେ ଏବଂ ଦ୍ୱିତୀୟାର୍ଦ୍ଧରେ ୫୫,୦୦୦ ଟଙ୍କା ପାର୍‌ କରିପାରେ ।

Show More

Related Articles

Back to top button