Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ରସ୍ୱାସ୍ଥ୍ୟ

‘କମଳା ପୂଜାରୀଙ୍କୁ’ ନଚାଯିବା ଘଟଣାର ଦୃଢ କାର୍ଯ୍ୟାନୁଷ୍ଠାନ ନ ନିଆଗଲେ, ରାଜରାସ୍ତାକୁ ଓହ୍ଲାଇବେ ‘ଭୂମିଆ ସମାଜ’

ଜୟପୁର : ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀଙ୍କୁ କଟକ ଏସ୍‌ସିବି ଆଇସିୟୁରେ ନଚାଇବା ଘଟଣା ଅତ୍ୟନ୍ତ ଲଜ୍ଜାଜନକ । ଜଣେ ଗୁରୁତର ରୋଗୀ ଆଇସିୟୁରେ ଥିବା ବେଳେ ଅନ୍ୟମାନଙ୍କୁ ପ୍ରବେଶ ଅନୁମତି ଦେବା ଧର୍ତ୍ତବ୍ୟ ଅପରାଧ । ଏହାର ନିରପେକ୍ଷ ତଦନ୍ତ ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ନଚେତ ରାଜରାସ୍ତାକୁ ଓହ୍ଲାଇବ ଭୂମିଆ ସମାଜ, ଆନ୍ଦୋଳନକୁ ଜୋରଦାର କରିବ ।’କମଳା ପୂଜାରୀଙ୍କୁ ନଚାଯିବା ଘଟଣାକୁ ଦୃଢ ନିନ୍ଦା କରି ଏପରି ଚେତାବନୀ ଦେଇଛନ୍ତି କୋରାପୁଟ ଜିଲ୍ଲା ଭୂମିଆ ଯୁବ ସମାଜ । ଭୂମିଆ ସମାଜ ପକ୍ଷରୁ ଏକ ୨୦ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୫ଦଫା ବିଶିଷ୍ଟ ଦାବିପତ୍ର ପ୍ରଦାନ କରିଛନ୍ତି। କମଳା ପୂଜାରୀଙ୍କ ସହ ଏପରି ବ୍ୟବହାରକୁ ନିନ୍ଦା କରିବା ସହ ଏକ ନିରପେକ୍ଷ ତଦନ୍ତ ଦାବି କରି ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ପ୍ରତିନିଧି ଦଳ । ଦାବିପତ୍ରରେ ଉଲ୍ଲେଖ ରହିଛି, ଏସସିବି ମେଡିକାଲ କଲେଜରେ ଦୀର୍ଘ ୫ଦିନ ସ୍ୱତନ୍ତ୍ର ଚିକିତ୍ସା ପରେ ଗତ ସୋମବାର ଦିନ ଡିସଚାର୍ଜ ହୋଇ ଘରକୁ ଫେରିଥିଲେ କମଳା ପୂଜାରୀ । ହେଲେ ସମାଜସେବୀ ମମତା ବେହେରା ଜୋରଜବରଦସ୍ତ ଆଇସିୟୁରେ କମଳାଙ୍କ ସହ ନୃତ୍ୟ କରି ସାମାଜିକ ଗଣମାଧ୍ୟମରେ ଭିଡିଓ ଛାଡିବାରୁ ଆଦିବାସୀ ସମାଜ ଲଜ୍ଜିତ ହୋଇଛି ବୋଲି କହିଛନ୍ତି କୋରାପୁଟ ଜିଲ୍ଲା ଭୂମିଆ ଯୁବ ସମାଜ ସଭାପତି ନରେନ୍ଦ୍ର କାନ୍ଦଲିଆ  । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ସମସ୍ତ ଦିଗରୁ ତଦନ୍ତ କରାଯିବ ବୋଲି ଉପଜିଲ୍ଲାପାଳ ବେଦବର ପ୍ରଧାନ କହିଛନ୍ତି । ଏପରି ଘଟଣାକୁ ନିନ୍ଦା କରିଛନ୍ତି ଓଡ଼ିଶା ତଥା କୋରାପୁଟ ଜିଲ୍ଲାର ଗୌରବ ତଥା ବିଶିଷ୍ଟ ବୁଣାକାର ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଗୋବର୍ଦ୍ଧନ ପାନିକା। ସୂଚନାଯୋଗ୍ୟ, ୧୫ଦିନ ତଳେ କମଳା ପୂଜାରୀ ଗୁରୁତର ଅସୁସ୍ଥ ହୋଇ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସ୍ୱତନ୍ତ୍ର ଚିକିତ୍ସା ପାଇଁ ତାଙ୍କୁ କଟକ ଏସସିବି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ସୁଧୁରିବାରୁ ଗତ ସୋମବାର ଦିନ ତାଙ୍କୁ ଏସ୍‌ସିବିରୁ ଡିସଚାର୍ଜ କରାଯାଇଥିଲା।

 

Show More

Related Articles

Back to top button