
ହର୍ଣ୍ଣବିଲ ପଷୀକୁ ନିର୍ମମ ଭାବେ ହତ୍ୟା କରି ଗିରଫହେଲେ ୩ ଅଭିଯୁକ୍ତ । ଏପରି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନାଗାଲ୍ୟାଣ୍ଡରେ । ନାଗାଲ୍ୟାଣ୍ଡରେ ଏକ କୋଚିଲାଖାଇ ପକ୍ଷୀକୁ ପ୍ରଥମେ ପିଟି ତା’ର ବେକ ଉପରେ ଛିଡା ହୋଇଯାଇଥିଲେ ଦୁର୍ବୃତ୍ତ । ଏହି ଭିଡିଓ ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ପରେ ପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ତୀବ୍ର ବିରୋଧ ଯୋଗୁଁ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।
ମିଳିଥିବା ସୂଚନା ମୁତାବକ, ସ୍ଥାନୀୟ ଅଧିବାସୀମାନେ ଉକ୍ତ କୋଚିଳାଖାଇକୁ ନିର୍ଯ୍ୟାତନା ଦେଉଥିବା ଦୃଶ୍ୟ ସମ୍ବଳିତ ଏକ ଭିଡିଓ ବୁଧବାର ଦିନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଭିଡିଓରେ ଦେଖାଯାଉଛି, ଜଣେ ସ୍ଥାନୀୟ ବାସିନ୍ଦା ସେ କୋଚିଳାଖାଇକୁ ପିଟାପିଟି କରିବା ସହ ତା’ ବେକକୁ ପାଦରେ ଦଳି ଦେଉଛନ୍ତି । ଭିଡିଓ ଦେଖିବା ପରେ ଇଣ୍ଟର୍ନେଟ୍ ବ୍ୟବହାରକାରୀ ଏବଂ ପ୍ରାଣୀ ଅଧିକାର କର୍ମୀମାନେ ଭୀଷଣ ପ୍ରତିକ୍ରିୟା ବ୍ୟକ୍ତ କରିବା ସହିତ ପ୍ରଶାସନକୁ ତୀବ୍ର ସମାଲୋଚନା କରିଥିଲେ।
ଏହାପରେ ନାଗାଲାଣ୍ଡ ପୁଲିସ ‘ବନ୍ୟପ୍ରାଣୀ ଏବଂ ଅସ୍ତ୍ରଶସ୍ତ୍ର ଆଇନ’ ବଳରେ ପକ୍ଷୀକୁ ନିର୍ୟାତନା ଦେଇ ହତ୍ୟା କରିଥିବା କାରଣରୁ ୩ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଅଧିକ ତଦନ୍ତ ନିମନ୍ତେ ଗିରଫ ହୋଇଥିବା ୩ଜଣଙ୍କୁ ‘ୱାଇଲ୍ଡ୍ଲାଇଫ୍ ଡିଭିଜନ୍ ଟିମ୍’କୁ ହସ୍ତାନ୍ତର କରାଯାଇଛି।ବନ୍ୟପ୍ରାଣୀ ସୁରକ୍ଷା ବିଚାର ଆରମ୍ଭ କରାଯିବା ଆଗରୁ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ଏବଂ ସେମାନେ ୨୪ ଘଣ୍ଟା ପର୍ୟ୍ୟନ୍ତ ଥାନା ହାଜତରେ ରହିବେ। ସେମାନଙ୍କୁ ଜାମିନରେ ବି ଛଡ଼ାଯିବ ନାହିଁ। କୋଚିଳାଖାଇର ଦେହାବଶେଷ ଉଦ୍ଧାର କରାଯିବା ସହ ତାକୁ ହତ୍ୟା କରିବାରେ ବ୍ୟବହୃତ ଅସ୍ତ୍ରକୁ ମଧ୍ୟ ଜବତ କରାଯାଇଛି।
ସୂଚନାଯୋଗ୍ୟ, ୨୦୧୮ରୁ ବିଲୟମୁଖୀ ପକ୍ଷୀ ଭାବେ କୋଚିଳାଖାଇକୁ ‘ଆଇୟୁସିଏନ୍’ର ‘ରେଡ୍ ଲିଷ୍ଟ୍’ଭୁକ୍ତ କରାଯାଇଛି।