ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

କବାଟ ଭିତରେ ଲୁଚାଇ ଚାଲାଣ ହେଉଛି ମାଳ ମାଳ ମଦ ବୋତଲ

ନୂଆଦିଲ୍ଲୀ: କିଏ ପରିବା ଗାଡି ଭିତରେ ଲୁଚାଇ ମଦ ଚାଲାଣ କରୁଛି ତ ଆଉ କିଏ ବିଭିନ୍ନ ସାମଗ୍ରୀ ଆଳରେ ଚୋରା ଚାଲାଣ କରୁଛନ୍ତି ମଦ। କେତେବେଳେ ଟ୍ରକ୍‌ରେ, କେତେବେଳେ ବାଇକ୍ ଡିକିରେ ତ ଆଉ କେତେବେଳେ ଗ୍ୟାସ୍ ସିଲିଣ୍ଡର ଭିତରେ ମଦ ଲୁଚାଇ ହେଉଛି ଚୋରା ଚାଲାଣ। ଏବେ ସାମ୍ନାକୁ ଆସିଛି ବେଆଇନ ମଦ ଚାଲାଣର ଆଉ ଏକ ନୂଆ ଫଣ୍ଡା। କବାଟ ଭିତରେ ଲୁଚାଇ ଚାଲାଣ ହେଉଛି ମାଳ ମାଳ ମଦ ବୋତଲ। ବିହାରକୁ ମଦ ମୁକ୍ତ ରାଜ୍ୟ ଭାବେ ଘୋଷଣା କରାଯାଇଛି। ରାଜ୍ୟରେ ମଦ ବିକ୍ରି ଉପରେ କଟକଣା ଲଗାଇଛନ୍ତି ସରକାର। ମଦ ବିକ୍ରି ଉପରେ ଏଠାରେ ବ୍ୟାନ୍ ଲାଗିଥିଲେ ମଧ୍ୟ ବିହାରକୁ ବିଭିନ୍ନ ରାଜ୍ୟରୁ ବେଧଡକ ଭାବେ ମଦ ସପ୍ଲାଏ ହେଉଛି। ଏଥର ରାଜଧାନୀ ଦିଲ୍ଲୀରୁ ଏଠାକୁ ମଦ ଚାଲାଣ ହେଉଥିବା ମାମଲା ସାମ୍ନାକୁ ଆସିଛି। ଜନତା ଫ୍ଲାଟ ସେକ୍ଟର-୨୫ ରୋହିଣୀ ନିକଟରେ ଏକ ଅଟୋ ଜବତ ହୋଇଥିଲା। ଚେକିଂ ବେଳେ ଅଟୋ ଭିତରୁ ବାହାରିଥିଲା କିଛି କାଠ କବାଟ। ଆଉ କାଠ କବାଟ ଭିତରୁ ପୁଲିସ ହାତରେ ଲାଗିଥିଲା ମାଳ ମାଳ ମଦ ବୋତଲ। ଏକ ନୂଆ ଢ଼ଙ୍ଗରେ ଅଭିଯୁକ୍ତମାନେ ୬ଟି କାଠ କବାଟ ଭିତରେ ଗ୍ରୀନ୍ ବ୍ରାଣ୍ଡ ହ୍ୱିସ୍କିର ପ୍ରାୟ ୨୧୧୨ ମଦ ବୋତଲ ଲୁଚାଇ ରଖିଥିଲେ। ଏନେଇ ଦିଲ୍ଲୀ ପୁଲିସର ଏକ ସ୍ପେଶାଲ ଟିମ୍ ସୂଚନା ପାଇ ଚଢ଼ାଉ କରିଥିଲା। ପୁଲିସ ଏହି ମାମଲାରେ ଅଟୋ ଡ୍ରାଇଭରଙ୍କ ସମେତ ଆଉ ଜଣଙ୍କୁ ଗିରଫ କରିଛି। ପଞ୍ଜାବ ବ୍ରାଣ୍ଡର ଏହି ମଦକୁ ଦିଲ୍ଲୀରୁ କିଣା ଯାଇ ବିହାରକୁ ଚାଲାଣ ହେଉଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

Show More

Related Articles

Back to top button