
ଭୂକମ୍ପରେ ଥରିଲା ଗୁଜୁରାଟ । ଗୁରୁବାର ସକାଳେ ଗୁଜୁରାଟରେ ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି ସୁରଟଠାରୁ ୬୧ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୫ ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି ।
ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ସୁରଟର ୬୧ କିଲୋମିଟର ଦକ୍ଷିଣ-ପୂର୍ବରେ ଆଜି ସକାଳ ପ୍ରାୟ ୧୦.୨୬ ସମୟରେ ଏହି ଭୂକମ୍ପ ଘଟିଛି। ଭୂକମ୍ପର ଗଭୀରତା ଭୂମିଠାରୁ ୭ କିଲୋମିଟର ତଳେ ଥିଲା। ଏହି ଭୂକମ୍ପ ବିଶେଷ ଶକ୍ତିଶାଳୀ ନ ଥିଲା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏଥିରେ କୌଣସି କ୍ଷୟକ୍ଷତି ବାବଦରେ ସୂଚନା ମିଳିନାହିଁ ।
ଏହାପୂର୍ବରୁ ବୁଧବାର ନେପାଳରେ ହୋଇଥିବା ଭୂକମ୍ପ ଯୋଗୁ ବିହାର ସମେତ ଭାରତର ଅନେକ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଥିଲା।