ଓଡ଼ିଆ ଗଳ୍ପଓଡ଼ିଶା

ପ୍ରେତାତ୍ମାର କୋଠି

ଆସନ୍ତୁ ପଢିବା ଆଜିର ରାତ୍ରି କାହାଣୀ

ଏ ଘଟଣାଟା ଅନେକ ଦିନ ତଳର କଥା। ସେତେବେଳେ ମୋର ପାଠପଢା ସରିଥାଏ। ବେକାର ଜୀବନର ଗତିଶୀଳତାରେ ମନ୍ଦ ମନ୍ଦ ଅନୁଭୂତିର ଆସ୍ତରଣ ମୋ ଉପରେ ପଡି ଆସୁଥାଏ।
ମୋର ପାଠ ଭଲ ନଥିବାରୁ କିଛି ଗୋଟାଏ ଭଲ ଚାକିରୀ ମିଳିଯିବ ବୋଲି ମୋ ଉପରେ କେହି ଆଶା ରଖି ନଥାନ୍ତି। ତେଣୁ ଅନେକ ଲୋକଙ୍କର ଉପଦେଶ ଶୁଣି ହଜମ କରିବାକୁ ପଡୁଥାଏ। କାହାର କଟୁତା ରେ ମୋର ଭୃକ୍ଷେପ ନଥାଏ କି କାହାର କପଟତା ମୋତେ ଭୂପତିତ କରୁ ନଥାଏ। ମୁଁ ଜାଣିଛି ମୋତେ କଣ କରିବାକୁ ହେବ ଏବଂ ସେୟା ହିଁ କରୁଥାଏ। ତେଣୁ ମୋତେ ପ୍ରାୟ କେହି ଦୁଃଖୀ ହେବାର ଦେଖି ପାରନ୍ତି ନାହିଁ। ମୋର ଦୁଃଖୀ ନହେବାଟା ବି ଅନ୍ୟ ମାନଙ୍କ ପାଇଁ ଚିନ୍ତା ର କାରଣ ହେଇଯାଏ କାରଣ ସେମାନେ ଏହାକୁ ଖାମଖିଆଲି ମନୋଭାବ ପୋଷଣ କରୁଛି ବୋଲି ଆରୋପ କରନ୍ତି। ସିରୟସନେସ୍ ଶବ୍ଦ କୁ ଏପରି ଭାବରେ ଉଚ୍ଚାରଣ କରି ପ୍ରୟୋଗ କରନ୍ତି ଯେ ମନେହୁଏ ସେମାନେ ମୋ ପାଇଁ ବହୁତ ଚିନ୍ତିତ। କିନ୍ତୁ ମୋର ପାଠ ପଢିବା ଠାରୁ ଆରମ୍ଭ କରି ଚାକିରି ଅନ୍ଵେଷଣ ପର୍ଯ୍ୟନ୍ତ କୋଉଥିରେ ପରୋକ୍ଷ ବା ପ୍ରତ୍ଯକ୍ଷ ଭାବରେ ସହଯୋଗ କରିବା ମୁଁ କାହାଠାରେ ଅନୁଭବ କରି ପାରିନାହିଁ। ଯାହା ବି ହେଉ ମୁଁ ସମସ୍ତଙ୍କ କଥା ଶୁଣେ କିନ୍ତୁ କାହାକୁ କିଛି କୁହେ ନାହିଁ। ସେଥିପାଇଁ ବୋଧେ ସେମାନେ ଉତ୍ସାହିତ ହୋଇ ଟିକିଏ ଅଧିକ ଉପଦେଶ ଦେଇ ଦିଅନ୍ତି।
ଦିନେ ମୁଁ ଅନୁଭବ କଲି ତାଙ୍କର ମୋ ପାଇଁ ଚିନ୍ତା ପ୍ରକଟ କରିବା ଦ୍ଵାରା ପ୍ରଭାବିତ ହୋଇ ମୁଁ ନିଜ ବିଷୟରେ ଚିନ୍ତା କରିବାକୁ ଲାଗିଲିଣି। ଧିରେ ଧିରେ ତାଙ୍କ ଚିନ୍ତା ଓ ମୋ ଚିନ୍ତା ମିଶି ମୋତେ ବ୍ୟତିବ୍ୟସ୍ତ କରି ପକାଉଥାଏ। ଏତିକିବେଳେ ମୋର ଭାଗ୍ୟକୁ ଉଦୟ କରିବା ପାଇଁ ମୋର ପ୍ରିୟ ଜେଜେ ଛୁଟି କଟାଇବା ପାଇଁ ଗାଁ ରୁ ଆସି ପହଞ୍ଚି ଗଲେ। ମାତ୍ର ଦିନେ ଦୁଇଦିନରେ ସେ ମୋ ଅବସ୍ଥା ବୁଝି ପାରି କହିଲେ – ତୁ କାହିଁକି ଚିନ୍ତା କରୁଛୁ! ଯାହା ମନକୁ ଭଲ ଲାଗୁଛି କର। ଯାହା ଅନ୍ୟକୁ ସୁଖ ବା ଆନନ୍ଦ ଦେଉଛି କର। ବାକି ସବୁ ଜିନିଷ ଆପେ ଆପେ ହେଇଯିବ।
ତାପର ଦିନ ଆମ ପଡିଶା ଘର ମାଉସୀ ମୋତେ ଡାକି କହିଲେ – ବାପା ଟିକେ ଗଲୁ ବଲାଙ୍ଗୀର ଯିବା ପାଇଁ ବସ୍ ଟିକଟ ଗୋଟେ ନେଇ ଆସିବୁ।

ମୋ ପାଟିରୁ ବାହାରି ପଡ଼ିଲା – ମାଉସୀ ତମ ପୁଅ ରାଜୁ ନାହିଁ କି?

– ହଁ ଅଛି ଯେ, ସେ ଏସବୁ କାମ ପାରିବନି।

– ହୋଉ ତାହେଲେ ତାକୁ ଡାକ। ସେ ମୋ ସାଙ୍ଗରେ ଯିବ। ମୋ ସାଙ୍ଗରେ ଗଲେ ସବୁ ଜାଣିଯିବ।

– ନାଇ, ସେ ଯିବନି। ତାର ଅନ୍ୟ କାମ ଅଛି।

ମୁଁ ଜାଣି ପାରିଲି ସେ ତାଙ୍କ ପୁଅକୁ ପଠାଇବା ପାଇଁ ଚାହୁଁ ନାହାନ୍ତି ତେଣୁ ସେ ମୋତେ ବ୍ୟବହାର କରୁଛନ୍ତି। ମୁଁ ହୋଉ ଆସୁଛି କହି ପଳେଇ ଆସିଲି। ଯିବା ପାଇଁ ଆସୁଥିବା ଆଗ୍ରହ ନଷ୍ଟ ହେଇ ଯାଇଥିଲା। ଜେଜେ କିନ୍ତୁ ପାଖକୁ ଆସି କହିଲେ – ଅନ୍ୟର ଉପକାର କଲାବେଳେ ନିଜକୁ ଖୁସି ଲାଗୁଛି କି ନାହିଁ ଦେଖାଯାଏ ନାହିଁ। ଏହା ସମ୍ପୂର୍ଣ୍ଣ ଭାବେ ସମର୍ପିତ। ଏଥିରେ ନିଜର ସ୍ଵାର୍ଥ ରହିଲା ମାନେ ପରୋପକାର ରେ ଯେଉଁ ନୈସ୍ଵର୍ଗିକତା ଅଛି ତାହା ନଷ୍ଟ ହେଇଯିବ। ମନରେ ଦ୍ୱେଷଭାବ ଜାତ ହେଲେ ଉପକାର କରୁଥିବା ବ୍ୟକ୍ତିର ଅଯଥା ଦାମ୍ଭିକତା ସୃଷ୍ଟି ହୁଏ। ତାଙ୍କର ଧର୍ମାଚରଣ ଲୋକ ଦେଖାଣିଆ ହେଇଯାଏ। ସେମାନେ କେବଳ ନିଜର ଶୋର୍ଯ୍ୟ ପାଇଁ ପରୋପକାର କରିଥାନ୍ତି, କାହାର ମଙ୍ଗଳ ଉଦ୍ଦେଶ୍ୟରେ ନୁହେଁ। ବାହ୍ୱିକ ଦୃଷ୍ଟିରୁ ଏମାନେ ଭଲ ବୋଲି ମନେ ହେଉଥିଲେ ବି ଏମାନେ ଭଲ ହେଇ ପାରନ୍ତି ନାହିଁ। ତେଣୁ କାହାର ଉପକାର କଲାବେଳେ ଅନ୍ତର ମଧ୍ୟ ଅମଳିନ ରହିବା ଦରକାର।
ଜେଜେଙ୍କ ବକ୍ତବ୍ୟକୁ ମୁଁ ସମ୍ମାନ ଦେଉଥିଲି। ମନ ମଧ୍ୟରେ ଆଉକିଛି ନଭାବି ଚୁପ୍ ଚାପ୍ ଯାଇ ତାଙ୍କ କାମ କରିଦେଇ ଆସିଲି।
ମୋ ଦିନ ଗୁଡିକ ପ୍ରାୟ ଏମିତି କଟି ଯାଉଥିଲା।
ଥରେ ରାତିଖିଆ ସାରି ଦଶଟା ବେଳେ ବାହାରେ ଠିଆ ହୋଇଥାଏ, ମୋର ଜଣେ ସ୍କୁଲ ସାଥି ରବି ମୋ ପାଖକୁ ଆସି କହିଲା ଆମ ଘରକୁ ଆସ୍। ବହୁତ ଜରୁରୀ କାମ ଅଛି। ମୁଁ କାବା ହେଲି। ତା ସହ ଏତେ ଚିହ୍ନା ଜଣା ନଥାଇ ବି ଏତେ ବାଧ୍ୟ କରି ଜରୁରୀ କାମ ପାଇଁ ଡାକୁଛି।
ମୁଁ ପଚାରିଲି – କଣ କାମ !

– ତୁ ଆସ। ଘରକୁ ଆସିଲେ ଜାଣିବୁନି। ହଁ! ଘରେ କହି ଥା ଯେ ଫେରିଲା ବେଳକୁ ଡେରି ହେବ।
ମୋତେ ଟିକେ କେମିତି କେମିତି ଲାଗିଲା। ମୁଁ ପଚାରିଲି – କାମ କଣ କହ। ଘରେ ପଚାରିଲେ ମୋତେ ପୁଣି କହିବାକୁ ପଡିବ ।
ସେ ବାଧ୍ୟ ହୋଇ କହିଲା ଯେ ତା ଜେଜୀମା ହଠାତ୍ ଚାଲିଗଲେ। ତାଙ୍କୁ ନେଇ ମଶାଣି ଯିବାକୁ ପଡ଼ିବ। ସାଇ ପଡିଶା କେହି ବାହାରୁ ନାହାନ୍ତି। ଆମେ ତିନି ଜଣ ଅଛୁ। ତୁ ଆସିଲେ ଚାରି ଜଣ ହେବ। ଚାରିଟା କାନ୍ଧ ନିହାତି ଦରକାର।
ମୁଁ ଜେଜେଙ୍କୁ କହିଦେଇ ବାହାରି ଆସିଲି। ଶ୍ମଶାନରେ ପହଞ୍ଚି ସବୁ କାମ ଭଲରେ ଭଲରେ ଚାଲିଥିଲା। ଦାହ କ୍ରିୟା ଆରମ୍ଭ ହେବା ପରେ ପରେ ରବି ମୋତେ ଯୂଇ ପାଖରେ ଜଗେଇ ଦେଇ ସିଗାରେଟ୍ ଟାଣିବା ପାଇଁ ଅନ୍ୟମାନଙ୍କ ସହିତ ଚାଲିଗଲା ।

ରାତି ପାଖାପାଖି ଗୋଟାଏ ହେବ। ଯୂଇ ନିଆଁ ପାଖରେ ମୁଁ ଏକୁଟିଆ ବସିଥାଏ। ଅନ୍ୟକୁ ସାହାଯ୍ୟ କରିବାର ନିଶା କୁ ମନେ ମନେ ଗାଳି ଦେଉଥାଏ ଓ ପୁଣି ଭାବୁଥାଏ ଜେଜେଙ୍କ କହିଥିବା କଥା ଯେ ଉପକାର କାର୍ଯ୍ୟ ରେ ସମର୍ପଣ ଭାବ ଲୋଡା। ଦ୍ୱେଷଭାବ ଉପକାର ଭାବନାକୁ ନଷ୍ଟ କରିଦିଏ।
ଯେତେ ଯାହା ହେଲେ ବି ମୋତେ ସାଙ୍ଗରେ ଡାକି ନେଇ ଏକୁଟିଆ ଶ୍ଶସାନ ଛାଡି ଦେଇ ଏତେ ସମୟ ଯିବାଟା ମୋର ମୋଟେ ସହ୍ୟ ହେଉ ନଥାଏ। ଉପକାର କରିବି ବୋଲି କଣ ମୋ ସହିତ ଏମିତି ଆଚରଣ କରିବେ! ସିଗାରେଟ୍ ଟାଣିବା ନାଁରେ ମୋତେ ମଶାଣିରେ ଏକୁଟିଆ ଛାଡି ଘଣ୍ଟାଏ ହେବ ଅନୁପସ୍ଥିତ ରହିବା ନିଶ୍ଚିତ ଭାବରେ ଅଶୋଭନୀୟ ଓ ଅସଦାଚରଣ।
ସେଥିପାଇଁ ବୋଧେ ସେମାନଙ୍କର ସାଇପଡିଶାରେ ଭଲ ସମ୍ପର୍କ ନାହିଁ। ନହେଲେ କାହାଘରେ କିଏ ମରିଗଲେ କେମିତି ଯେ ବାହାରିକି ଆସିବେନି!

ମୁଁ ଯୁଇ ଭିତରକୁ ଅନେଇଲି। ଶବର ଖପୁରି ଏପର୍ଯ୍ୟନ୍ତ ପୋଡି ନଥାଏ। କାଠ ଖଣ୍ଡିଏ ଧରି ନିଆଁ ଟିକେ ଖେଞ୍ଚି ଖେଳାଇବାକୁ ଲାଗିଲି ଯେମିତି ଜଲଦି ପୋଡିଯିବ। କାଠ ଖଣ୍ଡିକ ଭିତରେ ଭର୍ତ୍ତି କରିଥାଏ, ହଠାତ ଯେତେ ଚେଷ୍ଟା କଲେ ବି ଆଉ କାଠଟିକୁ ଟାଣି ଆଣି ପାରିଲି ନାହିଁ। ଭୟରେ ସେଇଠି ଛାଡି ଦେଲି। ପୁଣି ସାହସ ସଞ୍ଚୟ କରି ଆଉ ଖଣ୍ଡିଏ କାଠ ଗୋଟାଇ ଯୁଇ ଭିତରେ ଭର୍ତ୍ତି କଲି। ପୁଣି ଯେତେ ଚେଷ୍ଟା କଲି ଆଉ କାଠ ଖଣ୍ଡିକ ବାହାର କରି ପାରିଲି ନାହିଁ। ଏଥରକ ମନ ଭିତରେ ଭୟ ଜମାଟ ବାନ୍ଧିବାକୁ ଲାଗିଲା। ଚାରିଆଡକୁ ଅନାଇଲି। କୁଆଡେ କାହାର ଚିହ୍ନ ବର୍ଣ୍ଣ ଦିଶୁ ନଥାଏ। ମଝିରେ ମଝିରେ ପେଚା କୁକୁରଙ୍କ ରଡି ମୋ ଭୟକୁ ବହୁଗୁଣିତ କରି ଦେଉଥାନ୍ତି। ଘରକୁ ଫେରି ଯିବାର ମଧ୍ଯ କୌଣସି ଉପାୟ ଦିଶୁ ନଥାଏ। ଭାବିଲି ପାଖରେ କାହା ଘରକୁ ଯାଇ ବାରଣ୍ଡାରେ ଶୋଇ ପଡିବି। ଉଠି ଠିଆ ହେଲି। ଅନାଉ ଅନାଉ ଆଖି ଆଗରେ ସୁନ୍ଦର କୋଠା ଗୋଟିଏ ନଜରରେ ଆସିଗଲା। ପୋର୍ଟିକୋ ତଳେ ସିମେଣ୍ଟ ବେଞ୍ଚ ପଡିଛି। ଖରା ଦିନ ଶାନ୍ତି ରେ ଶୋଇ ହେବ। କାଳେ କିଏ କଣ ଭାବିବ ଚିନ୍ତା କରି କବାଟ ଖଟଖଟ କରି ଡାକିଲି। ଜଣେ ବୁଢୀ ଲୋକ କବାଟ ଖୋଲି ମୋତେ ଚାହିଁଲା।
ମୁଁ କହିଲି – ମାଉସୀ ମୁଁ ଟିକେ ଏଇ ବାହାରେ ଶୋଇଛି। ଆପଣ କବାଟ ବନ୍ଦ କରି ଭିତରେ ଶୁଅନ୍ତୁ। ସକାଳ ହେଲେ ମୁଁ ପଳେଇବି।

– ତୋତେ ପୁଅ କଣ ଏଠି ନିଦ ହେବ

– ନିଦ କିଛି ଦରକାର ନାହିଁ ମାଉସୀ। ରାତିଟା ପାହିଗଲେ ହେଲା।

– ତୁ କଣ ଶବ ପୋଡିବା ପାଇଁ ଆସିଥିଲୁ କି?
ମୁଁ ଡରିଗଲି। କାଳେ ମୃତକ କ୍ରିୟା ପାଇଁ ଛୁଆଁ ଛୁଇଁ ହେବ କହି ବାହାର କରି ଦେବ।
ମୁଁ କିଛି କହିବା ଆଗରୁ ବୁଢୀ ପୁଣି କହିଲା – ତୁ ମଶାଣି ରେ ଡରିଗଲୁ ବୋଧେ।

ମୁଁ ଡରରେ ହଁ କହିଲି।
ବୁଢୀ ଭିତରକୁ ଯାଇ ଉଷୁମ କ୍ଷୀର ଗୋଟିଏ ଗିଲାସରେ ପିଇବାକୁ ଦେଲା। ମୋର ଯେତେ ବାରଣ ତାର ବାଧ୍ୟତା ଆଗରେ ହାର ମାନିଗଲା। ପିଇସାରି ଗିଲାସଟା ପାଖରେ ରଖିଦେଲି। ବୁଢୀ ଅଣ୍ଟିରୁ ଗୋଟିଏ ସୁନା ମୁଦୀ କାଢି ମୋତେ ଦେଲା ଓ କହିଲା – ଏଇଟା ପିନ୍ଧି ଥା। ଆଉ ଜମାରୁ ଡର ଲାଗିବ ନାହିଁ। ତାପରେ ମୁଁ ଶୋଇ ପଡିଲି।
ଉଠିଲା ବେଳକୁ ଦେଖିଲି, ରବି ଓ ବାକି ଦୁଇଜଣ ଯୁଇ ଯାଗାଟା ଏପଟ ସେପଟ ଆଡାଉଛନ୍ତି। ମୋତେ ମୋ ଶୋଇବା ଯାଗାରୁ ଏଠିକି କିଏ ଆଣିଲା ଭାବୁଥାଏ କିନ୍ତୁ ସେ ବିଷୟରେ ପଚାରି ନପାରି ପଚାରିଲି – ତମେମାନେ କଣ ଖୋଜୁଛ!
ରବି କହିଲା – ବୁଢୀ ଗୋଟେ ସୁନାମୁଦୀ ପିନ୍ଧି ଥିଲା। ସେଥିରେ ଓଁ ଲେଖାଥିଲା। ନିଶ୍ଚୟ ତରଳି ଏଇଠି ପଡିଥିବ।
ମୁଁ ତୁରନ୍ତ ବୁଢୀ ମୋତେ ଦେଇଥିବା ମୁଦିକୁ ଲୁଚେଇ ଲୁଚେଇ ଦେଖିଲି। ସେଥିରେ ଓଁ ଲେଖା ଥିଲା। ଚାରିଆଡକୁ ଅନାଇଲି। କାରଣ ଏବେ ମୁଁ ଶ୍ମଶାନରେ ହିଁ ଥିଲି। କାଲି ରାତିର କୋଠା ଓ ପୋର୍ଟିକୋ ତଳର ସେହି ଯାଗା ଆଉ ଦୃଶ୍ୟମାନ ହେଉ ନଥିଲା। ମୋ ଦେହରେ ଶିହରଣ ଖେଳିଗଲା, ଭୟରେ ନିଜ ଦେହକୁ ଲକ୍ଷକରି ଦେଖିଲି ଲୋମଗୁଡିକ ଠିଆ ହେଇ ଯାଇଛନ୍ତି। ମନେମନେ ଭାବୁଥାଏ ସେଇ କୋଠାଟା କଣ ପ୍ରେତାତ୍ମାର କୋଠି !

ରଚନା: ପ୍ରଶାନ୍ତ କୁମାର ହୋତା

Show More

Related Articles

Back to top button