ଓଡ଼ିଶାରାଜନୀତି

ଗାନ୍ଧି ଜୟନ୍ତୀରୁ ବିଜେଡି ଆରମ୍ଭ କଲା କରୋନା ସଚେତନତା ଅଭିଯାନ

ଗାଁ ଗାଁ ବୁଲି ଜନସାଧାରଣଙ୍କୁ ସଚେତନ କରାଇବେ ନେତା ଓ କର୍ମୀ

ଗାନ୍ଧି ଜୟନ୍ତୀରୁ ବିଜେଡି ଆରମ୍ଭ କରିଛି କରୋନା ସଚେତନତା ଅଭିଯାନ । ଆଗମୀ ମାସେ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ଗାଁଠୁ ସହର ସବୁଠି ପଦଯାତ୍ରା କରି ଲୋକଙ୍କୁ କରୋନା ସଚେତନତାର ବାର୍ତ୍ତାବାଣ୍ଟିବେ ବିଜେଡି ନେତା ଆଉ କର୍ମୀ । ସେପଟେ କେନ୍ଦ୍ର ସରକାରଙ୍କ କୃଷି ବିଲ୍‌ ପ୍ରତ୍ୟାହାର ଦାବିରେ ଆଜିଠୁ ସାରା ଦେଶରେ ଦସ୍ତଖତ ଅଭିଯାନ ସହ ଚାଷୀ ପଦଯାତ୍ରା ଆରମ୍ଭ କରିଛି କଂଗ୍ରେସ ।

ଉଭୟ ଦଳର ପଦଯାତ୍ରା ପଲିଟିକ୍‌ସ୍‌ ବାବଦରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ।ଗାନ୍ଧି ଜୟନ୍ତୀରୁ ଆରମ୍ଭ ହୋଇଛି ପଦଯାତ୍ରା ପଲିଟିକ୍‌ସ । ଆଜିଠୁ ରାଜ୍ୟବ୍ୟାପୀ କରୋନା ସଚେତନତା ବର୍ତ୍ତା ବାଣ୍ଟିବାକୁ ବାହାରିଛି ବିଜେଡି । ଏହି ଅଭିଯାନରେ ଗାଁଠୁ ସହର ସବୁଠି ପଦଯାତ୍ରା କରି ଲୋକଙ୍କୁ କରୋନା ସତର୍କତା ସମ୍ପର୍କରେ ସଚେତନ କରାଇବା ସହ କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ସଫଳତା ବାର୍ତ୍ତା ବାଣ୍ଟିବେ ନେତା ଓ କର୍ମୀ । ଆଗାମୀ ମାସେ ପର୍ଯ୍ୟନ୍ତ ଚାଲିବ ବିଜେଡିର ଏହି ଅଭିଯାନ । ଲୋକଙ୍କୁ ମାସ୍କ ବାଣ୍ଟିବା ସହ, ସାମାଜିକ ଦୂରତା ନିୟମ ପାଳନ କରିବା, ଗୁରୁତର କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଦାନ କରିବାକୁ ଅପିଲ୍‌ କରୁଛି ବିଜେଡି । ଏଥି ସହ କରୋନା ସଂକ୍ରମିତଙ୍କ ପାଇଁ ରାଜ୍ୟ ସରକାର କିଭଳି ସମ୍ପୂର୍ଣ୍ଣ ମାଗଣାରେ ଟେଷ୍ଟିଂ, ଚିକିତ୍ସା, ରହିବା ଓ ଖାଇବା ବ୍ୟବସ୍ଥା କରିଛନ୍ତି ସେ ସମ୍ପର୍କରେ ଅବଗତ କରାଉଛନ୍ତି ।

ରାଜ୍ୟରେ ବିଜେଡି କୋଭିଡ୍‌ ସଚେତନତାକୁ ନେଇ ପଦଯାତ୍ରା ଆରମ୍ଭ କରିଥିବା ବେଳେ ସେପଟେ ଦେଶବ୍ୟାପୀ ଚାଷୀ ପଦଯାତ୍ରା ଆରମ୍ଭ କରିଛି କଂଗ୍ରେସ । କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ବିରୋଧ କରିବା ସହ ଏହାର ପ୍ରତ୍ୟାହାର ଦାବିରେ ଆଜିଠୁ ସାରା ଦେଶରେ ଦସ୍ତଖତ ଅଭିଯାନ ଆରମ୍ଭ କରିଛି ଦଳ । ଏଥି ସହ ବିଜେଡି ଓ ବିଜେପି ଉଭୟଙ୍କୁ ସମାଲୋଚନା କରିଛନ୍ତି ଦଳୀୟ ନେତା । ସେପଟେ କଂଗ୍ରେସ ଓ ବିଜେଡିର ପଦଯାତ୍ରାକୁ ପ୍ରହସନ କହି ନିଶାନା ସାଧିଛି ବିଜେପି ।
ପ୍ରତିବର୍ଷ ଗାନ୍ଧି ଜୟନ୍ତୀ ଆସିଲେ ପଦଯାତ୍ରା ପଲିଟିକ୍‌ସ୍‌ ଆରମ୍ଭ ହୁଏ । ଆଗକୁ ଦୁଇ ଦୁଇଟି ଆସନରେ ଉପନିର୍ବାଚନ ସହ ପୌର ନିର୍ବାଚନ ଥିବାରୁ ସିଧାସଳକ ଲୋକଙ୍କ ପାଖରେ ପହଞ୍ଚିବାକୁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି ।

Show More

Related Articles

Back to top button