
ଗେମିଂ ଷ୍ଟାର୍ଟଅପ୍ ଓ୍ଵିଞ୍ଜୋ(Winzo) ଆଗାମୀ ଗୋଟିଏ ବର୍ଷରେ ଏକ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତ ଦେବ ବୋଲି ଆଶା ପ୍ରକାଶ କରିଛି। କମ୍ପାନୀର ବରିଷ୍ଠ ଅଧିକାରୀ ହିଁ ଏହାର ସୂଚନା ଦେଇଛନ୍ତି। କମ୍ପାନୀର ସହ ସଂସ୍ଥାପକ ସୌମ୍ୟା ସିଂହ ଠାକୁର କହିଛନ୍ତି, ଗେମ୍ ସଂଖ୍ୟାରେ ବୃଦ୍ଧି ସହିତ କମ୍ପାନୀ କାମ ଆଧାରରେ ବେତନ ଦେବାର ବ୍ୟବସ୍ଥା କରିବ। ବିଭିନ୍ନ ପ୍ରକାର କାର୍ଯ୍ୟରେ ଗୃହିଣୀ, ଶିକ୍ଷକ ଏବଂ ବିଭିନ୍ନ ବର୍ଗର ଲୋକଙ୍କ ଏଥିରେ ସାମିଲ୍ କରିବ। ଆଗାମୀ ବର୍ଷମାନଙ୍କରେ ଏହି ସଂଖ୍ୟା ଆହୁରି ବଢିବ। ସେ କହିଛନ୍ତି, ୨ ବର୍ଷ ପୂର୍ବେ ଓ୍ଵିଞ୍ଜୋ ୨୫୦୦୦ ମାଇକ୍ରୋ ଇନଫ୍ଲୁଏନ୍ସରଙ୍କ ସହିତ କାମ କରୁଥିଲା। ପ୍ରତି ବ୍ୟକ୍ତି ମାସିକ ପ୍ରାୟ ୩୦ ରୁ ୪୦ ହଜାର ଟଙ୍କା ଆୟ କରୁଥିଲେ। ଏବେ ଏହି ସଂଖ୍ୟା ବଢି ଏକ ଲକ୍ଷରେ ପହଞ୍ଚିଛି। ଆଉ ମାସିକ ଆୟ ହାର ହାରି ୭୫ ହଜାର ଟଙ୍କାରୁ ଏକ ଲକ୍ଷ ପର୍ଯ୍ୟନ୍ତ ହେଉଛି।
ଆମେ ଆଶା କରୁଛୁ ଯେ, ଏହି ସଂଖ୍ୟା ଆସନ୍ତା ବର୍ଷ ଦୁଇ ଗୁଣ ଅର୍ଥାତ ଦୁଇ ଲକ୍ଷରେ ପହଞ୍ଚିବ ଏବଂ ସେମାନଙ୍କର ଆୟ ମଧ୍ୟ ଅଢେଇ ଗୁଣ ବଢିଯିବ। ଓ୍ଵିଞ୍ଜୋ ଇଂରାଜୀ, ହିନ୍ଦୀ, ଗୁଜରାତି, ମରାଠୀ, ବଙ୍ଗଳା ଏବଂ ଭୋଜପୁରୀ ସମେତ ୧୨ରୁ ଅଧିକ ଭାଷାରେ ଗେମ୍ସ ଉପଲବ୍ଧ କରାଉଛି। ଏସବୁକୁ ମିଶାଇ ଏହାର ପଞ୍ଜୀକୃତ ବ୍ୟବହାରକାରୀଙ୍କ ସଂଖ୍ୟା ୮ କୋଟିରୁ ଅଧିକ ହେବ ବୋଲି କମ୍ପାନୀ ଦାବି କରିଛି। ପ୍ଲାଟଫର୍ମରେ ଅନେକ ଅନୁବାଦକଙ୍କୁ ସାମିଲ୍ କରାଯାଇଛି। ଏମାନେ ପ୍ରୋଜେକ୍ଟ ଆଧାରରେ କାମ କରୁଛନ୍ତି। ଦୁଇ ବର୍ଷ ପୂର୍ବେ ଓ୍ଵିଞ୍ଜୋ ୩୦୦ ରୁ ୪୦୦ ଅନୁବାଦକଙ୍କ ସହିତ କାମ କରୁଥିଲା। ଏବେ ସମଗ୍ର ଦେଶରେ ଅନୁବାଦକଙ୍କ ସଂଖ୍ୟା ୭ ହଜାରକୁ ବୃଦ୍ଧି ଘଟିଛି। କମ୍ପାନୀ ଆଶା ରଖିଛି ଯେ, ଆସନ୍ତା ବର୍ଷ ଅନୁବାଦକଙ୍କ ସଂଖ୍ୟା ୧.୫ରୁ ୨ ଗୁଣ ଅଧିକ ବଢିବ। ଅନୁବାଦକମାନେ ମାସିକ ହାରାହାରି ୩୫ ରୁ ୫୦ ହଜାର ଟଙ୍କା ଆୟ କରୁଛନ୍ତି।