
କରୋନା ସଂକ୍ରମଣ କମ୍ ଥିବା ଜିଲ୍ଲାରେ ବସ୍ ଚଳାଚଳ ସ୍ୱାଭାବିକ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହେବା ପରେ ସମ୍ବଲପୁରରେ ସିଟି ବସ୍ ଚଳାଚଳ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସୋମବାର ସନ୍ଧ୍ୟା ସୁଦ୍ଧା ୧୧ଟି ବସ୍ ପ୍ରସ୍ତୁତ ହୋଇଥିବା ବେଳେ ମଙ୍ଗଳବାରଠାରୁ ଉକ୍ତ ଗାଡ଼ିଗୁଡ଼ିକ ଗଡ଼ିବ ବୋଲି ପରିଚାଳନାକାରୀ ସଂସ୍ଥା ଉଟ୍ସେଲ୍ ପକ୍ଷରୁ କୁହାଯାଇଛି ।ପ୍ରଥମ ପର୍ଯ୍ୟାୟରେ ୫ଟି ରୁଟ୍ରେ ଏହି ବସ୍ ଗଡ଼ିବାକୁ ସ୍ଥିର କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଯାତ୍ରୀ ସଂଖ୍ୟାକୁ ଆଖି ଆଗରେ ରଖି ଅଧିକ ରୁଟ୍ ଖୋଲାଯିବା ସହ ଅଧିକ ଗାଡ଼ି ବାହାରିବ ବୋଲି ଉଟ୍ସେଲ୍ ପକ୍ଷରୁ ବିପିନ ଭାଟିଆ କହିଛନ୍ତି । ଏହାବାଦ୍ ସହରରେ ସିଟି ବସ୍ ଚଳାଚଳ ପାଇଁ ରହିଥିବା ସମସ୍ୟା ଗୁଡ଼ିକର ମଧ୍ୟ ସମାଧାନ କରାଯାଇଥିବା ସେ ସୂଚନା ଦେଇଛନ୍ତି ।ଘରୋଇ ବସ୍ ମାଲିକମାନେ ନିଜ ନିଜ ଗାଡ଼ି ରିଲିଜ୍ କରିବାରେ ଲାଗି ପଡ଼ିଛନ୍ତି । ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ସିଟି ବସ୍ ରିଲିଜ୍ ହୋଇପାରିନଥିବା ବେଳେ ଗାଡ଼ି ଛିଡ଼ା ହେଲେ ବି କେଉଁ ବାଟ ଦେଇ ଗଡ଼ିବ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ରହିଥିଲା ।
ସହରର ଗୁରୁତ୍ୱପୂର୍ଣ୍ଣ ମୁଦିପଡ଼ା-ଲକ୍ଷ୍ମୀଟକିଜ ରାସ୍ତାରେ ଏସ୍ଏମ୍ସି ପକ୍ଷରୁ ଅସ୍ଥାୟୀ ପରିବା ବଜାର ବସିବାକୁ ଅନୁମତି ଦିଆଯାଇଥିଲା । କିଛି ପରିବା ଦୋକାନୀଙ୍କୁ ବସ୍ ଷ୍ଟାଣ୍ଡ ପଛପଟେ ଯାଇ ବସିବାକୁ ଅନୁମତି ଦିଆଯାଇଥିବା ବେଳେ ଏବେ ବି କିଛି ପରିବା ଦୋକାନୀ ରାସ୍ତାରେ ବସୁଛନ୍ତି । ତେବେ ବଜାର ସମ୍ପୂର୍ଣ୍ଣ ନଉଠିବା ଯାଏ ଏହି ରାସ୍ତା ଦେଇ ବସ୍ ଚଳାଚଳରେ ବାଧା ସୃଷ୍ଟି ହେବ ବୋଲି କୁହାଯାଉଛି ।ଏନେଇ ଉଟ୍ସେଲ୍ ପକ୍ଷରୁ ସମ୍ବଲପୁର ମହାନଗର ନିଗମ ସହ ଆଲୋଚନା ମଧ୍ୟ କରାଯାଇଛି । ତେବେ ଏନେଇ ଏସ୍ଏମ୍ସି ପ୍ରବର୍ତ୍ତନ ଅଧିକାରୀ ଶୁଭଙ୍କର ମହାନ୍ତିଙ୍କୁ ପଚାରିବାରେ, ବର୍ତ୍ତମାନ ହାତଗଣତି କିଛି ବେପାରୀ ଫାୟାର ଷ୍ଟେସନ ନିକଟରେ ବସୁଥିବାରୁ ସମସ୍ୟା ହେଲେ ସେମାନଙ୍କୁ ସ୍ଥାନାନ୍ତର ନେଇ ଯୋଜନା କରାଯିବ ବୋଲି କହିଥିଲେ ।ପ୍ରଥମ ପର୍ଯ୍ୟୟରେ ମଙ୍ଗଳବାରଠୁ ୫ଟି ରୁଟ୍ରେ ସିଟି ବସ୍ ଚଳାଚଳ କରିବ । ଲଇଡା, ଚିପିଲିମା, ହୀରାକୁଦ, ଝାରସୁଗୁଡ଼ା ଓ ବରଗଡ଼କୁ ଏହି ପର୍ଯ୍ୟାୟରେ ୧୧ଟି ସିଟି ବସ୍ ଗଡ଼ିବା ନେଇ ଯୋଜନା କରାଯାଇଛି । ଯଦି ଗାଡ଼ି ଠିକ୍ରେ ଚାଲେ ତେବେ ଦ୍ୱିତୀୟ ପର୍ଯ୍ୟାୟରେ କୁଚିଣ୍ଡା, ପଡ଼ିଆବାହାଲ ଓ ସହର ମଧ୍ୟରେ ଚାଲିଥିବା ଫିଡର ବସ୍ ସେବା ମଧ୍ୟ ଆରମ୍ଭ ହେବ ବୋଲି ଉଟ୍ସେଲ୍ ପକ୍ଷରୁ କୁହାଯାଇଛି ।