
ଚଳିତ ମାସଠୁ ଜୟପୁରରୁ ଭୁବନେଶ୍ୱର ଦେଇ ଭାଇଜାଗ ଉଡିବ ବିମାନ । ଏଥିପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅଧୀନସ୍ଥ ବ୍ୟୁରୋ ଅଫ ସିଭିଲ୍ ଏଭିଏସନ୍ ସିକ୍ୟୁରିଟିଜ୍ ପକ୍ଷରୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଛି। ଷ୍ଟାଣ୍ଡିଂ କମିଟିର ସୁପାରିସ ଅନୁସାରେ ଏହି ଅନୁମତି ପ୍ରଦାନ କରାଯାଉଛି। ତେବେ ବିସିଏଏସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ପାଇଁ କେତେକ ସର୍ତ୍ତ ରଖାଯାଇଛି।
ବିସିଏଏସ୍ ପକ୍ଷରୁ ଜାରି ହୋଇଥିବା ସର୍ତ୍ତ ମଧ୍ୟରେ ରହିଛି, ଟର୍ମିନାଲ ବିଲ୍ଡିଂରୁ ପ୍ରବେଶ ରାସ୍ତାରେ ସିସିଟିଭି ଲଗାଇବା, ଟର୍ମିନାଲ କୋଠା ସମ୍ମୁଖରେ ବୁଲେଟ୍ ପ୍ରୁଫ୍ ମୋର୍ଚ୍ଚା ପ୍ରସ୍ତୁତ କରିବା ଏବଂ ଦକ୍ଷିଣ ପାର୍ଶ୍ୱରେ ୨୭୦ ମିଟର ପାଚେରୀ ନିର୍ମାଣ । BCASର ଅଧିକାଂଶ ସର୍ତ୍ତ ପୂରଣ ହୋଇଥିବାରୁ ଚଲିତ ମାସରୁ ଜୟପୁରକୁ ବିମାନ ଉଡିବ ବୋଲି ଆଶା କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ କମ୍ପାନୀ ୯ ସିଟ୍ ବିଶିଷ୍ଟ ବିମାନ ଚଳାଇବ। ଭୁବନେଶ୍ୱରରୁ ଜୟପୁର ମଧ୍ୟରେ ବିମାନ ଭଡ଼ା ୨ ହଜାର ଟଙ୍କା ମଧ୍ୟରେ ରହିବ। ଅକ୍ଟୋବର ୧୨ ଓ ୧୩ ତାରିଖରେ ଡିଜିସିଏ ଟିମ୍ ବିମାନବନ୍ଦରର ଭିତ୍ତିଭୂମି ସମୀକ୍ଷା କରିବା ପରେ ବିମାନ ଚଳାଚଳ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଜୟପୁରରୁ ବିମାନ ଉଡାଣ କମ୍ପାନୀର କ୍ଷତିପୂରଣ ବାବଦରେ ରାଜ୍ୟ ସରକାର ସହାୟତା ରାଶି ଦେବେ।