Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ସୋମବାରଠୁ ହାଡଭଙ୍ଗା ଶୀତ, ୧୦ରୁ ବର୍ଷା

ସୋମବାର ଓ ମଙ୍ଗଳବାର ରାଜ୍ୟରେ ପୁଣି ଶୀତ ଲହରି ବହିବ । ଅସମ୍ଭାଳ ଶୀତ ଲୋକଙ୍କୁ ଥରାଇ ଦେବ । ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ କମିପାରେ । ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଶୀତ ଲହରି ବହିବ ବୋଲି ଆଶଙ୍କା କରି ୪ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

ସୋମବାର ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼ ଓ ବଲାଙ୍ଗୀର ଜିଲ୍ଲାର କିଛି ସ୍ଥାନରେ ଶୀତ ଲହରି ବହିବ ବୋଲି ବିଭାଗ ପୂର୍ବାନୁମାନ କରିଛି । ସେହିଭଳି ୪ରେ ଏହି ସବୁ ଜିଲ୍ଲାରେ ଶୀତ ଲହରି ଜାରି ରହିବ । ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ଖସିଛି । ଦାରିଙ୍ଗିବାଡି ତାପମାତ୍ରା ୮ ଡିଗ୍ରୀକୁ ଖସିଛି । କେନ୍ଦୁଝରରେ ୯.୬, ଝାରସୁଗୁଡାରେ ୧୦.୪, ଟିଟିଲାଗଡରେ ୧୦.୮, ଫୁଲବାଣୀରେ ୧୧, ଭବାନୀପାଟଣାରେ ୧୧, ବାରିପଦାରେ ୧୧.୮ ଓ ଚାନ୍ଦବାଲିରେ ରାତି ତାପମାତ୍ରା ୧୨ ଡିଗ୍ରୀ ରେକର୍ଡ ହୋଇଛି ।

ତେବେ ଆସନ୍ତା ୫ ତାରିଖରୁ ରାଜ୍ୟରେ ଶୀତ କମିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଉତ୍ତର ଉପକୂଳରେ ୩ରୁ ୪ ଡିଗ୍ରୀ ବଢିବ । ଦକ୍ଷିଣ ଉପକୂଳରେ ୨ରୁ ୩ ଡିଗ୍ରୀ ବଢ଼ିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪ ଡିଗ୍ରୀ ବଢ଼ିଯିବ ବୋଲି ସେ କହିଛନ୍ତି । ଆସନ୍ତା ୧୦ ଓ ୧୧ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟ ବର୍ଷା ହେବ ବୋଲି ମଧ୍ୟ ସେ ଆକଳନ କରିଛନ୍ତି ।

Show More

Related Articles

Back to top button