୮୩ ବର୍ଷ ବୟସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ପରଲୋକ
ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଶୁକ୍ରବାର ସନ୍ଧ୍ୟାରେ ପରଲୋକ

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଶୁକ୍ରବାର ସନ୍ଧ୍ୟାରେ ପରଲୋକ ଘଟିଛି I ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ହେମାନନ୍ଦ ବିଶ୍ବାଳଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ।
କିଛିଦିନ ପୂର୍ବରୁ ଶ୍ରୀ ବିଶ୍ୱାଳ ଝାରସୁଗୁଡ଼ାର ନିଜ ଗାଁ ଠାକୁରପଡ଼ାରେ ପ୍ରାତଃ ଭ୍ରମଣ କରୁଥିଲା ବେଳେ ତଳେ ପଡ଼ିଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । କିନ୍ତୁ ପରେ ତାଙ୍କୁ ଜ୍ୱର ହୋଇଥିଲା ଓ ସେ ଅତ୍ୟନ୍ତ ଦୁର୍ବଳ ଅନୁଭବ କରିଥିଲେ । ପରେ ତାଙ୍କୁ ଭୁବନେଶ୍ୱର ଅଣାଯାଇ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ସୂଚନାଯୋଗ୍ୟ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଝାରସୁଗୁଡ଼ା ଜିଲ୍ଲାର ଠାକୁରପଡ଼ାରେ ୧୯୩୯ ଡିସେମ୍ବର୧ ରେ ଜନ୍ମଗ୍ରହଣ କରିଥିଲେ । ହେମାନନ୍ଦ ଓଡ଼ିଶାର ଦୁଇଥର ମୁଖ୍ୟମନ୍ତ୍ରୀ ଦ୍ୱାୟିତ୍ୱ ସମ୍ଭାଳିଥିଲେ । ୧୯୮୯ ମସିହା ଡିସେମ୍ବର ୭ରୁ ୧୯୯୦ ମସିହା ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଓ ୧୯୯୯ ମସିହା ଡିସେମ୍ବର ମାସ ୬ରୁ ୨୦୦୦ ମସିହା ମାର୍ଚ୍ଚ ମାସ ୫ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ । ସେ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସୁନ୍ଦରଗଡ଼ର ଲୋକସଭା ସାଂସଦ ରହିଥିଲେ । ଶ୍ରୀ ବିଶ୍ବାଳ ୧୯୭୪ରୁ ୧୯୭୭ ଓ ୧୯୮୦ ରୁ ୨୦୦୪ ପର୍ଯ୍ୟନ୍ତ ୬ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୫ ରୁ ୧୯୮୬ ପର୍ଯ୍ୟନ୍ତ ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଥିଲେ । ସେ ହେଉଛନ୍ତି ରାଜ୍ୟର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ।