Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ଆସନ୍ତା ସପ୍ତାହେ ଯାଏଁ ସାରା ରାଜ୍ୟରେ ଶୁଖିଲା ପାଗ

ମାର୍ଚ୍ଚ ୭ ପରେ ବଢିବ ତାତି

ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ଖରାଟିଆ ପାଗ ହେବା ସହିତ ତାପମାତ୍ରା ବଢ଼ିବ । ଆଭ୍ୟନ୍ତରୀଣ ଦକ୍ଷିଣ ସବୁଠୁ ଉତ୍ତପ୍ତ ହେବ । ଚଳିତ ମାସ ୭ରୁ ୧୨ ତାରିଖ ମଧ୍ୟରେ ଗରମ ଦ୍ରୁତ ଗତିରେ ବୃଦ୍ଧି ପାଇବ । ସେହିପରି ସର୍ବାଧିକ ତାପମାତ୍ରା ଉପକୂଳ ଜିଲ୍ଲାରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ୨ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ବଢ଼ିବ । ୭ରୁ ୧୨ ମଧ୍ୟରେ ପ୍ରାୟ ୩ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ବଢ଼ିପାରେ । ଅନୁଗୁଳ ସମେତ କେନ୍ଦ୍ରୀୟ ଓଡ଼ିଶା ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ୭ରୁ ୧୨ ଭିତରେ ପ୍ରାୟ ୪ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ବଢିବା ବେଳେ ଆଭ୍ୟନ୍ତରୀଣ ଉତ୍ତରରେ ୩ ଡିଗ୍ରୀ ସେଲସିୟସରୁ ଅଧିକ ବଢିବାର ସମ୍ଭାବନା ରହିଛି ବୋଲି କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି, ୧୧ ବା ୧୨ ତାରିଖରେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୮.୫ ଡିଗ୍ରୀ ସେଲସିୟସ୍‌, ଅନୁଗୁଳ, ତାଳଚେର, ସୋନପୁର, ଭବାନୀପାଟଣା, ଟିଟିଲାଗଡ଼, କାଲିମେଳାରେ ୩୯ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ଏବଂ ଝାରସୁଗୁଡ଼ାରେ ୩୭.୫ ଡିଗ୍ରୀ ସେଲସିୟସ, ଚାନ୍ଦବାଲିରେ ୩୭ ଡିଗ୍ରୀ ସେଲସିୟସ୍‌ ହୋଇପାରେ । ହୁଏତ କେତେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଛୁଇଁପାରେ । ଭୁବନେଶ୍ୱର ସମେତ ଉପକୂଳରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବଢ଼ିବା ହେତୁ ଦିନରେ ଗରମ ଓ ରାତିରେ ସାମାନ୍ୟ ଥଣ୍ଡା ଅନୁଭୂତ ହେବ । କୁହୁଡ଼ି ଚାଲୁ ରହିବ । ଆଭ୍ୟନ୍ତରୀଣ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ। କୁହୁଡ଼ି ସମ୍ଭାବନା ନାହିଁ । ୧୨ ତାରିଖ ବେଳକୁ ବାଷ୍ପୀକରଣର ଦ୍ରୁତ ବୃଦ୍ଧି ହେତୁ ଫସଲରେ ଜଳସେଚନର ଆବଶ୍ୟକତା ପ୍ରାୟ ୬୦ ପ୍ରତିଶତ ବଢିବ । ତେଣୁ ପନିପରିବା ଓ ରବି ଫସଲ ଆବଶ୍ୟକ ମତେ ଜଳସେଚନ କରିବାକୁ ସେ ପରାମର୍ଶ ଦେଇଛନ୍ତ । ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ମୁଖ୍ୟ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ଶୁକ୍ରବାର ପାଗ ଶୁଖିଲା ରହିବ ।

ଆକାଶରେ କାଁ ଭାଁ ବାଦଲ ରହିବ । ଏଭଳି ପାଗ ୬-୭ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ଡ. ସାହୁ ଆକଳନ କରିଛନ୍ତି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌. ବିଶ୍ୱାସ ପୂର୍ବାନୁମାନ କରିଛନ୍ତି, ଆସନ୍ତା ୨-୪ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତର ପ୍ରଭାବ ଓଡ଼ିଶାରେ ବିଶେଷ ପଡ଼ିବ ନାହିଁ । ଏହାର ପ୍ରଭାବ ତାମିଲନାଡୁରେ ପଡ଼ିବ । କୁହୁଡ଼ି ପଡ଼ିବ ବୋଲି ସେ ଆକଳନ କରିଛନ୍ତି । ଗୁରୁବାର ରାଜ୍ୟର ୧୦ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍‌ ଉପରେ ରହିଥିଲା । ଟିଟିଲାଗଡ଼ରେ ସର୍ବାଧିକ ୩୭ ଡିଗ୍ରୀ ସେଲସିୟସ୍‌ ଥିବା ବେଳେ ବଲାଙ୍ଗୀରରେ ୩୬.୮, ସୋନପୁରରେ ୩୬, ଝାରସୁଗୁଡ଼ାରେ ୩୫.୬, ଭବାନୀପାଟଣା ଓ ବୌଦ୍ଧରେ ୩୫.୫, ସମ୍ବଲପୁରରେ ୩୫.୨, ଅନୁଗୁଳରେ ୩୫.୧ ଏବଂ ନୟାଗଡ଼ ଓ ଛତ୍ରପୁରରେ ୩୫ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।

Show More

Related Articles

Back to top button