ଓଡ଼ିଶା

ରାଜ୍ୟରେ ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ କାଁ ଭାଁ ବର୍ଷା

ବଜ୍ରପାତ ନେଇ ସତର୍କତା ଜାରି

ଆସନ୍ତା ଦୁଇ ଦିନ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । କାଁ ଭାଁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ତେବେ ଏହି ସମୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗବିତ୍‌ ଆକଳନ କରିଛନ୍ତି ।ସେହିପରି ଗତକାଲିର ସମୁଦ୍ର ପତ୍ତନରେ ଥିବା ନିମ୍ନ ଚାପ ରେଖା ଆଜି ଉତ୍ତର-ପଶ୍ଚିମ ଉତ୍ତର ପ୍ରଦେଶରୁ ପୂର୍ବ ଉତ୍ତର ପ୍ରଦେଶ, ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଓଡିଶା ମଧ୍ୟ ଦେଇ ଉତ୍ତର-ପଶ୍ଚିମ ବଙ୍ଗାପସାଗର ଯାଏଁ ଲମ୍ବିଛି । ତାଛଡା ଉତ୍ତର ଛତିଶଗଡ ଏବଂ ତାର ଆଖପାଖ ଅଞ୍ଚଳରେ ଗାଟିଏ ଘୁର୍ଣ୍ଣିବଳୟ ସମୁଦ୍ର ପତ୍ତନରୁ ୩.୧ କିମି ଯାଏଁ ସକ୍ରିୟ ରହିଛି । ଆନ୍ଧ୍ର ଉପକୂଳ ଓ ତା’ର ଆଖ-ପାଖ ଅଞ୍ଚଳରେ ସମୁଦ୍ର ପତ୍ତନରୁ ୪.୫ କିମି ଯାଏଁ ଗାଟିଏ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି । ତେବେ ଏହାର ପ୍ରଭାବରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ଗଜପତି ଓ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ରାଜ୍ୟର ଅନ୍ୟ ସ୍ଥାନଗୁଡିକରେ କାଁ ଭାଁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଅପରପକ୍ଷେ, ଚଳିତ ମାସ ୧ରୁ ୨୭ ତାରିଖ ସୁଦ୍ଧା ରାଜ୍ୟରେ ୧୭୪.୯ ମିଲିମିଟର ବର୍ଷା ହୋଇଛି ଯାହା ସ୍‌ବାଭାବିକ ବର୍ଷା ୧୮୬.୧ ମିମିରୁ ୬ ପ୍ରତିଶତ କମ ରହିଛି । ବଲାଙ୍ଗୀର, ବୌଦ୍ଧ, ରାୟଗଡା, ଗଞ୍ଜାମ, ଗଜପତି, ଯାଜପୁର, ଭଦ୍ରକ, କନ୍ଧମାଳ, ମୟୁରଭଞ୍ଜ ଏବଂ କେନ୍ଦୁଝରରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ସୁନ୍ଦରଗଡ, ଝାରସୁଗୁଡା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଏବଂ କୋରାପୁଟରେ ସ୍ୱାଭାବିକରୁ ୨୦ ରୁ ୫୯ ପ୍ରତିଶତ ଅଧିକ ବର୍ଷା ହୋଇଛି । ଅବଶିଷ୍ଠ ୧୩ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ଆଜି ସୁଦ୍ଧା ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୨୫୭.୪ ମିଲିମିଟର ବର୍ଷା ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୭୯.୫ ମିଲିମିଟର ବର୍ଷା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି । ତେବେ ଆସନ୍ତା ଦୁଇ ତିନି ଦିନ ରାଜ୍ୟରେ ସ୍ୱଳ୍ପ ବର୍ଷା ହେବ । ମାତ୍ର ଦିନ ବେଳେ ବର୍ଷା ହେବାର ସମ୍ଭାବନା ଥିବାରୁ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ।ରବିବାର ସକାଳ ୮ଟା୩୦ରୁ ସନ୍ଧ୍ୟା ୫ଟା୩୦ ମଧ୍ୟରେ କୋରପୁଟରେ ୨୫ ମିଲିମିଟର, ପାରଳାଖେମୁଣ୍ଡିରେ ୧୪ ମିଲିମିଟର, ପାରାଦୀପ ଓ ବାରିପଦାରେ ୯ ମିଲିମିଟର, ଭୁବନେଶ୍ୱରରେ ୫ ମିଲିମିଟର, ବାଲେଶ୍ୱର ଓ ଫୁଲବାଣୀରେ ୩ ମିଲିମିଟର ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି । ସେହିପରି ସକାଳ ୮ଟା୩୦ ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ କୋଟ୍ରାଗୁଡାରେ ୮୦ମିଲିମିଟର, ମୋହନାରେ ୭୩ ମିଲିମିଟର,ପାଲଲହଡାରେ ୪୦ ମିଲିମିଟର, ଦାରିଙ୍ଗବାଡିରେ ୩୩ ମିଲିମିଟର, ରାୟଗଡ଼ାରେ ୨୯ ମିଲିମିଟର, ଟାଙ୍ଗି, ରାଜକନିକା ଓ ବାଲିମେଳାରେ ୨୮ ମିଲିମିଟର ବର୍ଷା ହୋଇଥିବା ରାଜ୍ୟ ଜଳସମ୍ପଦ ବିଭାଗ ରେକର୍ଡ କରିଛି ।

Show More

Related Articles

Back to top button