ଖେଳମୁଖ୍ୟ ଖବରସ୍ୱତନ୍ତ୍ର

ଫିଫା ବିଶ୍ୱକପରେ ବଡ଼ ବିପର୍ଯ୍ୟୟ: ମେସିଙ୍କ ଆର୍ଜେଣ୍ଟିନାକୁ ୨-୧ ଗୋଲରେ ହରାଇଛି ସାଉଦି ଆରବ

ଦୋହା: କତାରରେ ଚାଲିଥିବା ଫିଫା ବିଶ୍ୱକପର ତୃତୀୟ ଦିନରେ ବଡ଼ ବିପର୍ଯ୍ୟୟ ଘଟିଛି। ସମସ୍ତଙ୍କୁ ଚକିତ କରି ସାଉଦି ଆରବ ଷ୍ଟାର ଖଚିତ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନାକୁ ୨-୧ ଗୋଲରେ ହରାଇ ଦେଇଛି। ଗ୍ରୁପ ସି’ର ପ୍ରଥମ ମ୍ୟାଚ୍‌ରେ ଆର୍ଜେଣ୍ଟିନା ଝୁଣ୍ଟିବା ଘଟଣା ପୂରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି।

ଏହାକୁ ବିଶ୍ୱକପ ଇତିହାସର ସବୁଠାରୁ ବଡ଼ ବିପର୍ଯ୍ୟ ଭାବେ ଅବିହିତ କରାଯାଉଛି। ମ୍ୟାଚ୍‌ ଆରମ୍ଭରୁ ସାଉଦିକୁ ଅଣ୍ଡରଡଗ ଭାବେ ବିବେଚନା କରାଯାଉଥିଲା। ହେଲେ ଗ୍ରୀନ ଫାଲକନ୍ସ ସମସ୍ତଙ୍କୁ ଭୁଲ ପ୍ରମାଣ କରି ଲୁସାଇଲ ଷ୍ଟାଡିୟମରେ ଇତିହାସ ରଚିଛି।

ଫୁଟବଲର ସବୁଠାରୁ ବଡ଼ ମହାକୁମ୍ଭରେ ପ୍ରଥମ ଏସିଆନ ଦେଶ ଭାବେ ସାଉଦି ଆରବ ମେସିଙ୍କ ଆର୍ଜେଣ୍ଟିନାକୁ ହରାଇଛି। ଏହି ମ୍ୟାଚ୍‌ରେ ମେସି ଗୋଟିଏ ଗୋଲ ସ୍କୋର କରିଥିଲେ ମଧ୍ୟ ଏହା ବେକାର ହୋଇଯାଇଛି।

ଆଜି ମେସିଙ୍କ ଆର୍ଜେଣ୍ଟିନା ଦମଦାର ଆରମ୍ଭ କରିଥିଲା। ମ୍ୟାଚ୍‌ର ୧୦ତମ ମିନିଟ୍‌ରେ ଦଳକୁ ମିଳିଥିବା ପେନାଲ୍ଟିକୁ ମେସି ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରି ଦେଇଥିଲେ। ପ୍ରଥମ ହାଫ ଯାଏ ପୂରା ମ୍ୟାଚ୍‌ ଆର୍ଜେଣ୍ଟିନା ସପକ୍ଷରେ ରହିଥିଲା।

ହେଲେ ସେକେଣ୍ଡ ହାଫ ଆରମ୍ଭ ହେବା ମାତ୍ରେ ସବୁ କିଛି ବଦଳି ଯାଇଥିଲା। ସାଉଦି ଆରବର ଖେଳାଳିମାନେ ଆଟାକିଂ ମୁଡକୁ ଆସି ଯାଇଥିଲେ। ୫ ମିନିଟ ଭିତରେ ୨ଟି ଗୋଲ ସ୍କୋର କରି ଆର୍ଜେଣ୍ଟିନାକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ହାଫଟାଇମର କିଛି ମିନିଟ ପରେ ସାଲେ ଅଲଶେହରି ଗୋଲ ସ୍କୋର କରି ପ୍ରଥମ ସ୍ଥିତିକୁ ୧-୧ରେ ବରାବର କରିଥିଲେ।

ଏହାପରେ ସାଲେମ ଅଲ ଡାୱସୱରି ଚମତ୍କାର ଗୋଲ କରି ସ୍ଥିତିକୁ ୨-୧ କରି ଦେଇଥିଲେ। ଏହି ଗୋଲ ପରେ ଆର୍ଜେଣ୍ଟିନାର ଖେଳାଳିମାନେ ମଧ୍ୟ ଭାଙ୍ଗି ପଡ଼ିଥିଲେ। ଷ୍ଟାଡିମୟରେ ଥିବା ଆର୍ଜେଣ୍ଟିନା ସମର୍ଥକଙ୍କ ହୋଶ ମଧ୍ୟ ଉଡ଼ି ଯାଇଥିଲା।

୧-୨ରେ ପଛରେ ଥିବା ଆର୍ଜେଣ୍ଟିନା ସ୍ଥିତି ବରାବର କରିବାକୁ ଚେଷ୍ଟା କରିଥିଲା। ହେଲେ ଦଳର ସବୁ ଉଦ୍ୟମକୁ ସାଉଦି ଖେଳାଳି ପଣ୍ଡ କରି ଦେଇଥିଲେ। ଏପରି କି କିଛି ଶଟ ଅପସାଇଡ ମଧ୍ୟ ହୋଇଥିଲା। ଶେଷରେ ସାଉଦି ୨-୧ରେ ମ୍ୟାଚ୍‌ ଜିତି ଗ୍ରୁପ୍‌ ସି’ର ପ୍ରଥମ ସ୍ଥାନରେ ପହଞ୍ଚି ଯାଇଛି। ଏହି ଗ୍ରୁପରେ ଆର୍ଜେଣ୍ଟିନା, ସାଉଦି ଆରବ, ମେକ୍ସିକୋ ଓ ପୋଲାଣ୍ଡ ରହିଛନ୍ତି।

Show More

Related Articles

Back to top button