ଗିରଫ ହେଲେ ନକଲି ଶିକ୍ଷକ, ଜାଲ ସାର୍ଟିଫିକେଟ ଦେଇ କରୁଥିଲେ ଚାକିରୀ

ଗିରଫ ହେଲେ ନକଲି ଶିକ୍ଷକ। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ। ରବୀନ୍ଦ୍ର ସ୍ୱାଇଁ ନାମକ ଜଣେ ଶିକ୍ଷକ ନକଲି ବିଇଡି ସାର୍ଟିଫିକେଟ ଦେଇ ଦୀର୍ଘ ବର୍ଷ ହେବ ଚାକିରୀ କରୁଥିଲେ। ବର୍ତମାନ ସାର୍ଟିଫିକେଟ ଯାଞ୍ଚ ପରେ ଶିକ୍ଷକଙ୍କ ବିଇଡି ସାର୍ଟିଫିକେଟ ନକଲି ବୋଲି ଜଣାପଡିଥିଲା । ବର୍ତ୍ତମାନ ଶିକ୍ଷକଙ୍କୁ ଉମରକୋଟ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନରେ ଥିବା ଉମରଗାଁ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଗତ ଚାରି ବର୍ଷ ହେବ ଶିକ୍ଷକତା କରୁଥିଲେ । ତେବେ ଚାକିରୀ ବୈଧକରଣ ପାଇଁ ରବୀନ୍ଦ୍ରଙ୍କ ଶିକ୍ଷାଗତ ପ୍ରମାଣ ପତ୍ର ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇଥିଲା। ତେବେ ରବିନ୍ଦ୍ରଙ୍କର ବିଇଡି ସାର୍ଟିଫିକେଟଟି ହରିୟାଣା ରାଜ୍ୟର ଏକ ବିଶ୍ଵ ବିଦ୍ୟାଳୟରେ ଥିବା ଜାଣିବାପରେ ନବରଙ୍ଗପୁର ଜିଲ୍ଲାପାଳ ଉକ୍ତ ବିଶ୍ଵବିଦ୍ୟାଳୟକୁ ଏହାର ଯାଞ୍ଚ କରି ସୂଚନା ଦେବା ପାଇଁ ପତ୍ର ଲେଖିଥିଲେ। ତେବେ ହରିୟାନା ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ପକ୍ଷରୁ ଏହା ସଂପୂର୍ଣ୍ଣ ନକଲି ଏପରି କୌଣସି ବ୍ୟକ୍ତିଙ୍କୁ ବିଇଡି ସାର୍ଟିଫିକେଟ ଦିଆ ଯାଇନି ବୋଲି ପତ୍ର ମାଧ୍ୟମରେ ଜିଲ୍ଲାପାଳଙ୍କୁ ଜଣାଇବା ପରେ ନବରଙ୍ଗପୁର ଜିଲ୍ଳାପାଳ ଉମରକୋଟ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ରବିନ୍ଦ୍ରଙ୍କ ବିରୋଧରେ ଉମରକୋଟ ଥାନାରେ ଏତଲା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ଏତେଲାକୁ ଆଧାର କରି ରବିନ୍ଦ୍ର କୁମାର ସ୍ୱାଇଁଙ୍କୁ ଉମରକୋଟ ଥାନା ଅଧିକାରୀ ଲିମାରାଜ ପ୍ରଧାନ ଏବଂ ଅନ୍ୟ ପୋଲିସ କର୍ମୀ ମିଶି ରବିନ୍ଦ୍ର ସ୍ୱାଇଁ ରହୁଥିବା କୁସୁମ ଗୁଡା ସାହିରୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।