ଦୁଇଦିନିଆ ରୁଷ୍ ଗସ୍ତରେ ଯିବେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର

ଆସନ୍ତା ୭ ତାରିଖରେ ଦୁଇଦିନିଆ ରୁଷ୍ ଗସ୍ତରେ ଯିବେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର । ଏନେଇ ଗୁରୁବାର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି ।ଏହି ଅବସରରେ ସେ ନିଜର ରୁଷ୍ ସମକକ୍ଷ ସର୍ଗେଇ ଲାଭରୋଭ୍ଙ୍କ ସହ ବ୍ୟାପକ ଆଲୋଚନା କରିବେ । ୟୁକ୍ରେନ୍ରେ ଜାରି ସଂଘର୍ଷ ମଧ୍ୟରେ ଏହି ଗସ୍ତ ଆୟୋଜିତ ହୋଇଛି । ବିଦେଶ ମନ୍ତଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍ଚି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମସ୍କୋ ଗସ୍ତ ଅବସରରେ ଜୟଶଙ୍କର ରୁଷ୍ ବିଦେଶ ମନ୍ତ୍ରୀ ଲାଭରୋଭ୍ଙ୍କ ସହ ଦ୍ୱିପାକ୍ଷିକ, ଆଞଳିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ ।
ପାଶ୍ଚାତ୍ୟ ଦେଶଗୁଡ଼ିକ ପକ୍ଷରୁ ଗତ କିଛିମାସ ଧରି ଚାପ ସୃଷ୍ଟି କରାଯାଉଥିବା ସତ୍ତ୍ୱେ ରୁଷ୍ରୁ ଭାରତ ରିହାତି ତୈଳ ଆମଦାନି ବୃଦ୍ଧି କରିଛି । ଫେବୃଆରୀରୁ ୟୁକ୍ରେନ୍ ସଂକଟ ଆରମ୍ଭ ହେବା ପରଠାରୁ ଜୟଶଙ୍କର ଓ ଲାଭରୋଭ୍ଙ୍କ ମଧ୍ୟରେ ଚାରିଥର ସାକ୍ଷାତ ଆଲୋଚନା ହୋଇସାରିଛି । ରୁଷ୍ ବିଦେଶ ମନ୍ତ୍ରୀ ଏପ୍ରିଲ୍ରେ ଭାରତ ଗସ୍ତରେ ଆସିଥିଲେ । ଏହି ଅବସରରେ ଲାଭରୋଭ୍ ଜୟଶଙ୍କରଙ୍କ ସହ ବ୍ୟାପକ ଆଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଭାରତ-ରୁଷ୍ ବାର୍ଷିକ ଶିଖର ସମ୍ମେଳନରେ ଭାଗନେବା ପାଇଁ ଗତବର୍ଷ ଡିସେମ୍ବରରେ ଭାରତ ଆସିଥିଲେ ।