Breaking PLUSମୁଖ୍ୟ ଖବରରାଜନୀତି

ଉପନିର୍ବାଚନରେ କୋଭିଡ୍‌ ନିୟମାବଳୀ କଡାକଡି ପାଳନ ହେବ

ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପରିଚାଳନାର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ବାଲେଶ୍ବର ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ହୋଇଥିବା ଏହି ସମୀକ୍ଷା ବୈଠକରେ ନିର୍ବାଚନ କମିସନ୍‌ଙ୍କ କୋଭିଡ୍‌ ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ ଉପରେ ସିଇଓ ଗୁରୁତ୍ବାରୋପ କରିଥିଲେ

ଚଳିତ ଉପନିର୍ବାଚନରେ ବୁଥ୍‌ ସଂଖ୍ୟାରେ ବୃଦ୍ଧି ଯୋଗୁ ପୁଲିଂ ଅଧିକାରୀମାନଙ୍କର ବୃଦ୍ଧି ଘଟିଛି। ବାଲେଶ୍ବର ପାଇଁ ୨୭୬୮ ଜଣ ଓ ତିର୍ତ୍ତୋଲ ପାଇଁ ୨୯୮୪ ଜଣ ପୁଲିଂ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଏଥର ଅତିରିକ୍ତ ଭାବେ ଦୁଇ ଜଣ ବ୍ୟକ୍ତି ବୁଥ୍‌ରେ ନିୟୋଜିତ ହେବେ। ଜଣେ ଆଶାକର୍ମୀ ବୁଥ୍‌ ବାହାରେ ରହି ସମସ୍ତ ଭୋଟର୍‌ଙ୍କୁ ଥର୍ମାଲ୍‌ ସ୍କାନିଂ, ସାନିଟାଇଜିଂ କରିବା ସହ ଗ୍ଲୋବ୍‌ସ୍‌ ବାଣ୍ଟିବେ ଏବଂ ଆଉ ଜଣେ ଭୋଟର୍‌ମାନଙ୍କୁ ସାମାଜିକ ଦୂରତା ରକ୍ଷା କରି ଧାଡ଼ିରେ ରହିବାରେ ସହଯୋଗ କରିବେ। ନିର୍ବାଚନ ପୂର୍ବରୁ ସମସ୍ତ ଭୋଟ୍‌ ଗ୍ରହଣ କେନ୍ଦ୍ରକୁ ବିଶୋଧନ ସହ ପରିଷ୍କାର ପରିଚ୍ଛନ୍ନ କରି ପୁଲିଂ ଅଧିକାରୀ ଓ ଭୋଟର୍‌ମାନଙ୍କୁ ଏକ ସ୍ବଚ୍ଛ ପରିବେଶ ମଧ୍ୟରେ ରଖିବାକୁ ସିଇଓ ଜିଲ୍ଲାପାଳ ଦ୍ବୟଙ୍କୁ ନିର୍ଦ୍ଦେଶ ଦେଇଥିଲେ।ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ନିର୍ବାଚନ କମିସନ୍‌ଙ୍କ ନିର୍ଦ୍ଦେଶ ଅନୁସାରେ ସ୍ବତନ୍ତ୍ର କୋଭିଡ୍‌ କିଟ୍‌ ମଧ୍ୟରେ ମାସ୍କ, ସାନିଟାଜର୍‌, ଫେସ୍‌ସିଲ୍‌ଡ୍‌, ପିପିଇ କିଟ୍‌ ଓ ଗ୍ଲୋବ୍‌ସ୍‌ ରହିବ।

ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀଙ୍କୁ ସେମାନଙ୍କ ସୁରକ୍ଷା ନିମନ୍ତେ ଏଡା ଯୋଗାଇ ଦିଆଯିବ। ସେହି ଅନୁଯାୟୀ ୮୭୫ ଆଇ ଆର୍‌ ଥର୍ମୋମିଟର୍‌, ୪୩୧୪ ପିପିଇ କିଟ୍‌, ୬.୫ ଲକ୍ଷ ଗ୍ଲୋବ୍‌ସ୍‌, ୭୮୩୦ ଫେସ୍‌ସିଲ୍‌ଡ୍‌ ଓ ପର୍ଯ୍ୟାନ୍ତ ପରିମାଣରେ ହ୍ୟାଣ୍ଡ୍‌ ସାନିଟାଇଜର୍‌, ବ୍ଳିଚିଂ ପାଉଡର୍‌, ସାବୁନ୍, ନାପ୍‌କିନ୍ସ ପ୍ରଭୃତି ଯୋଗାଇ ଦିଆଯିବ। ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ପୁଲିଂ କର୍ମଚାରୀମାନଙ୍କୁ ବିଭିନ୍ନ ବୁଥ୍‌କୁ ପଠାଇବା ବେଳେ ପର୍ଯ୍ୟାପ୍ତ ଗାଡ଼ିର ବ୍ୟବସ୍ଥା କରିବା ସହ ସେମାନଙ୍କ ସୁରକ୍ଷା ପ୍ରତି ସ୍ବତନ୍ତ୍ର ଭାବେ ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଥିଲା। ଏହି ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଭବାନୀ ପ୍ରସାଦ ରାୟ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ସଂଘମିତ୍ରା ଶତପଥୀ ଓ ଶତ୍ରୁଘ୍ନ କର, ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁଙ୍କ ସହ ଏଏସ୍‌ଇ ଇଦ୍ରିଶ ଅଲ୍ଲି ଖାନ୍ ଉପସ୍ଥିତ ଥିଲେ।

Show More

Related Articles

Back to top button