Breaking PLUSଓଡ଼ିଶାମୁଖ୍ୟ ଖବର

କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଭାବ

ଜୟପୁର, ୧୧ ଡିସେମ୍ବର – କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଦେଖାଦେଇଛି ଡାକ୍ତର ଅଭାବ । ଉଚ୍ଚଶିକ୍ଷା ପାଇଁ ୧୫ ଜଣ ଗଲେଣି । ଆଉ ୫ ଜଣ ଯିବା ପ୍ରସ୍ତୁତିରେ ରହିଛନ୍ତି । ୧୩୧ ଜଣ ଡାକ୍ତର ରହିବା ସ୍ଥାନରେ ଡିଏମଓ ଓ ସୁପରିଟେଣ୍ଡେଂଟ ଆଦିଙ୍କୁ ମିଶାଇ ଏବେ ରହିଛନ୍ତି ମାତ୍ର ୪୨ ଜଣ ।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୨୦୧୮ମସିହାରେ କୋରାପୁଟରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜୟପୁର–ବୋରିଗୁମ୍ମା ଜାତୀୟ ରାଜପଥର ଫୁଲବାଡ଼ ଠାରେ ନୂତନ ଭାବେ ନିର୍ମାଣ କରାଯାଇଥିବା ମାତୃ ଓ ଶିଶୁ କଲ୍ୟାଣ ୱାର୍ଡକୁ ସ୍ଥାନାନ୍ତର ହୋଇଥିଲା । ଅଂଚଳବାସୀ ଉପଯୁକ୍ତ ସ୍ଵାସ୍ଥ୍ୟସେବା ପାଇବେ ବୋଲି ଏହାର ଉଦ୍ଦେଶ୍ୟ ଥିଲା । ଧାର୍ଯ୍ୟସଂଖ୍ୟକ ବିଶେଷଜ୍ଞ ଡାକ୍ତର ଏଠାରେ ନିଯୁକ୍ତ ହେବା ସହ ଅତ୍ୟାଧୁନିକ ସ୍ଵାସ୍ଥ୍ୟ ସେବା ପାଇବେ ବୋଲି ଆଶା କରିଥିଲେ । ତେବେ ତାହା ଏ ପର୍ଯ୍ୟନ୍ତ ହୋଇପାରିନି । ଅପରପକ୍ଷରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଯେଉଁ ଧାର୍ଯ୍ୟ ସଂଖ୍ୟକ ପାରା ମେଡିକାଲ ଷ୍ଟାଫ, ଏମବିବିଏସ୍ ଡାକ୍ତର ଏବଂ ବିଶେଷଜ୍ଞ ଡାକ୍ତର, ଷ୍ଟାଫ ନର୍ସ, ଟେକ୍ନିସିୟାନ, ଆଟେଣ୍ଡାଂଟ, ଫାର୍ମଶିଷ୍ଟ ଭଳି ପଦବି ମଧ୍ୟ ପୁରଣ ହୋଇ ପାରିନଥିଲା । ଯଦିଓ ପ୍ରସୂତି ଓ ସ୍ତ୍ରୀ ବିଶେଷଜ୍ଞ, ଭେଷଜ, ସର୍ଜରୀ, ଚକ୍ଷୁ ଆଦି ବିଶେଷଜ୍ଞ ରହିଥିଲେ ହେଁ ରେଡିଓଲୋଜୀ, କାର୍ଡିଆକ୍, ନ୍ୟୁରୋଲୋଜି ଭଳି ବହୁ ଜରୁରୀ ବିଶେଷଜ୍ଞ ପଦବୀ ଖାଲି ପଡ଼ିଛି । ଡିଏଚଏଚରେ ବିଶେଷଜ୍ଞ ଓ ସାଧାରଣ ଡାକ୍ତର ମିଶାଇ ୧୩୧ଟି ପଦବୀ ରାଜ୍ୟ ସରକାର ଧାର୍ଯ୍ୟ କରିଛନ୍ତି ।

ଉପଖଣ୍ଡ ଡାକ୍ତରଖାନା ଜୟପୁରରେ ଥିବା ସମୟରେ ଡାକ୍ତର ଓ ବିଶେଷଜ୍ଞ ଡାକ୍ତର ଅଭାବ ଲାଗି ରହିଥିବା ବେଳେ ଡିଏଚଏଚ ହେବା ପରେ ତାହା ଦୂର ହେବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ବି ହୋଇ ପାରିନି । ବହୁ କଷ୍ଟରେ ୫୭କୁ ଡାକ୍ତର ସଂଖ୍ୟା ପହଚିଂଥିବା ବେଳେ ୧୫ ଜଣ ଉଚ୍ଚଶିକ୍ଷା ପଢ଼ିବାକୁ ଯିବା ପରେ ପୁଣି ଯଥାପୂର୍ବଂ ତଥା ପରଂ ଅବସ୍ଥାକୁ ପଳାଇ ଆସିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୦୨୧-୨୨ ମସିହାରେ ବର୍ହିବିଭାଗକୁ ୧ ଲକ୍ଷ ୭୬ ହଜାର ୪୯୧ ଜଣ ରୋଗୀ ଆସିଥିବା ବେଳେ ଅନ୍ତଃ ବିଭାଗରେ ୨୫ ହଜାର ୪୪୨ ଜଣ ଭର୍ତି ହୋଇ ଚିକିତ୍ସିତ ହୋଇଥିଲେ । ୨୦୨୨-୨୩ ମସିହାରେ ୨ ଲକ୍ଷ ୨୯ ହଜାର ୧୬୩ ଜଣ ବର୍ହିବିଭାଗ ଓ ୩୨ ହଜାର ୧୭ ଜଣ ଅନ୍ତଃବିଭାଗରେ ରହି ଚିକିତ୍ସାଧୀନ ହୋଇଥିଲେ । ୨୦୨୧-୨୨ ମସିହାରେ ୬୩୮୨ ଜଣ ଓ ୨୦୨୨-୨୩ ମସିହାରେ ୬୦୯୪ ଜଣ ରୋଗୀଙ୍କୁ କୋରାପୁଟ, ବିଶାଖାପାଟଣା, ବ୍ରହ୍ମପୁର ଆଦି ସ୍ଥାନକୁ ରେଫର କରାଯାଇଛି ।
ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଧାର୍ଯ୍ୟ ସଂଖ୍ୟକ ଡାକ୍ତର ନଥିବାରୁ ବହୁ ରୋଗୀ ଏବେ ଘରୋଇ ନର୍ସିଂହୋମ, କ୍ଲିନିକ୍, ଡାକ୍ତରଖାନା ଆଦି ଉପରେ ନିର୍ଭର ହେବାକୁ ବାଧ୍ୟ ହେଉଛନ୍ତି । ଏପରି ସ୍ଥିତିରେ ଗତ କିଛି ଦିନ ମଧ୍ୟରେ ସହରରେ ଖୋଲିଥିବା ଏକ ଘରୋଇ ଡାକ୍ତରଖାନାରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଉଚ୍ଚଶିକ୍ଷା ପାଇଁ ୧୫ ଜଣ ଡାକ୍ତର ଯାଇଛନ୍ତି, ପାରିପାର୍ଶ୍ଵିକ ଡାକ୍ତରଖାନାରୁ ଡାକ୍ତର ଆଣି ଡିଏଚଏଚ୍ ଚାଲିଛି ବୋଲି କହିଛନ୍ତି ଡିଏମଓ ଡ. ଆରଏନ୍ ମିଶ୍ର । ସେଭଳି ଆଉଟସୋର୍ସିଂରେ ୨୬ ଜଣ ଷ୍ଟାଫନର୍ସ ଏହାରି ମଧ୍ୟରେ ଯୋଗ ଦେଇଥିବା କହିଛନ୍ତି ଡିଏମଓ । ଲୋକ ପ୍ରତିନିଧି ଓ ସରକାର, ପ୍ରଶାସନ ଦୃଷ୍ଟି ଦେଇ ଖାଲିପଡ଼ିଥିବା ବିଶେଷଜ୍ଞ ଡାକ୍ତର ଓ କର୍ମଚାରୀ ପଦ ପୁରଣ କରି ଉପଯୁକ୍ତ ସ୍ଵାସ୍ଥ୍ୟ ସେବା ଯୋଗାଇବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

Show More

Related Articles

Back to top button