ଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ଧାମନଗର ଉପନିର୍ବାଚନ : ଆଜିଠାରୁ ପ୍ରଚାର ଅଭିଯାନ ଆରମ୍ଭ

ଭଦ୍ରକ : ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ସରିଥିବା ବେଳେ ଏବେ ଭୋଟ ମାଗିବାର ବେଳ । ଗତକାଲି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବା ବେଳେ ଆଜିଠାରୁ ପ୍ରଚାର ଅଭିଯାନ ଆରମ୍ଭ ହୋଇଛି। ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହ ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ମଇଦାନରେ ଥିବା ୫ ପ୍ରାର୍ଥୀଙ୍କ ମଧ୍ୟରୁ ୪ ପ୍ରାର୍ଥୀ ପ୍ରଚାରରେ ଲାଗି ପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ବିଜେଡିର ବିଦ୍ରୋହୀ ନେତା ରାଜେନ୍ଦ୍ର ଦାସଙ୍କୁ ନେଇ ସବୁଠି ଚର୍ଚ୍ଚା ହେଉଛି । ପ୍ରଚାରରେ ସବୁଠୁ ଆଗରେ ଅଛନ୍ତି ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ । ନାମାଙ୍କନ ପତ୍ର ଦାଖଲ ପରଠାରୁ ସେ ଗାଁ ଗାଁ, ଘର ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି । ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ନିର୍ବାଚନ ପ୍ରଚାରରେ ଲାଗି ପଡ଼ିଛନ୍ତି। ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ଦଳୀୟ କର୍ମୀ ଓ ନେତା ପ୍ରତ୍ୟେକ ପଞ୍ଚାୟତରେ ରହି ପ୍ରଚାର ଚଳାଇଛନ୍ତି । ଅବନ୍ତୀ ନିଜେ ବିଭିନ୍ନ ସ୍ଥାନରେ ସଭା ସମିତି କରି ଭୋଟ୍ ମାଗୁଛନ୍ତି  । ଅନ୍ୟପକ୍ଷରେ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଆଜିଠାରୁ ପ୍ରଚାରରେ ବାହାରି ପଡ଼ିଛନ୍ତି । ଗତକାଲି ତାଙ୍କର ଚିହ୍ନ ଆସିବା ପରେ ନିଜ ସମର୍ଥକଙ୍କୁ ଧରି ପ୍ରଚାର କରୁଛନ୍ତି  ।  କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଚାରିଦିନ ଭିତରେ ସବୁ ଜୋନ୍‌ରେ ବୈଠକ କରି କର୍ମୀଙ୍କ ସମର୍ଥନ ନେବା ପରେ ଆଜିଠାରୁ ରୋଡ ଶୋ’ କରିବା ସହ ଦୁଆର ଦୁଆର ବୁଲି ଭୋଟ୍ ମାଗୁଛନ୍ତି । ଧାମନଗର ବିଜୟ ପାଇଁ ବିଜେଡି ସହଜ ବାଟ ଖୋଜୁଥିବା ବେଳେ ଫେଲ୍ ମାରିଛି ମ୍ୟାନେଜ ଗଣିତ ।  ଆଉ ଏବେ  ବିଜେଡି  ଟିକଟ୍‌ରୁ ବଞ୍ଚିତ ହେବାପରେ ବିଦ୍ରୋହ କରି ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସଙ୍କ ଉପରେ ରହିଛି ନଜର । ନିଜ ନିଷ୍ପତ୍ତିରେ ସେ କାଏମ୍ ରହିଥିବାରୁ ଧାମନଗର ଓ ସାରା ରାଜ୍ୟ ଦେଖିବାକୁ ଯାଉଛି ଏକ ରୋଚକ ଲଢ଼େଇ । ବିଜେଡି ବନାମ୍ ଅସନ୍ତୁଷ୍ଟ ବିଜେଡି । ଯେଉଁ ଅବନ୍ତୀ ଦାସଙ୍କୁ ତିହିଡି ବ୍ଲକ ଅଧ୍ୟକ୍ଷା ପଦବୀରେ ରାଜେନ୍ଦ୍ର ବସାଇଥିଲେ, ଏବେ ତାଙ୍କ ସହ ହେବ ସାମନାସାମନି ଲଢ଼େଇ ।  ସେପଟେ ରାଜୁଙ୍କୁ ନେଇ ଫୁଲ୍ ଟେନସେନ୍‌ରେ ଶଙ୍ଖ ଶିବିର । ଅପରପକ୍ଷେ, ବିଜେପି ପକ୍ଷରୁ ସ୍ୱର୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀଙ୍କୁ ଛିଡ଼ା କରାଯାଇଥିବା ବେଳେ ଅନୁକମ୍ପାମୂଳକ ଭୋଟ ତାଙ୍କ ଝୁଲାକୁ ଯିବ ବୋଲି ରାଜନୈତିକ ବିଶ୍ଳେଷକମାନେ ପୂର୍ବାନୁମାନ କରିଛନ୍ତି।

Show More

Related Articles

Back to top button