ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବରରାଜନୀତି

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ଜେରା କରିବ ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ଜେରା କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତଥା ସିବିଆଇ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କୁ ଆଜି ତାଙ୍କ ବାସଭବନରେ ସିବିଆଇ ପଚରାଉଚରା କରିବା। ତେବେ ପଚରାଉଚରା କରିବାର କିଛି ଘଣ୍ଟା ପୂର୍ବରୁ କବିତାଙ୍କ ବାସଭବନ ନିକଟରେ ସୁରକ୍ଷା କଡାକଡି କରାଯାଇଛି। ପୁଲିସ ପକ୍ଷରୁ ତାଙ୍କ ଘର ଆଗରେ ବ୍ୟାରିକେଡ୍ ଲଗାଯାଇଛି।

ହାଇଦ୍ରାବାଦର ବଞ୍ଜାରା ଠାରେ ଥିବା କବିତାଙ୍କ ବାସଭବନରେ ତାଙ୍କୁ ସିବିଆଇ ଜେରା କରିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ଗତକାଲି କବିତାଙ୍କ ବାସଭବନ ଆଗରେ ଏକ ପୋଷ୍ଟର ଦେଖିବାକୁ ମିଳିଥିଲା। ଯେଉଁଥିରେ କବିତା ସିବିଆଇ ଜେରାକୁ ଭୟ କରୁନଥିବା କଥା ଲେଖାଯାଇଥିଲା। କବିତା ଏହା ପୂର୍ବରୁ ସେ ଏହି ମାମଲାରେ ସିବିଆଇକୁ ସହଯୋଗ କରିବେ ବୋଲି କହିଥିଲେ।

ସୂଚନା ଥାଉକି ଦିଲ୍ଲୀରେ ନୂଆ ଅବକାରୀ ନୀତି ପ୍ରଚଳନ କରି କେଜ୍ରିୱାଲ ସରକାର କୋଟି କୋଟି ଟଙ୍କା ଦୁର୍ନୀତି କରିଥିବା ପ୍ରଥମେ ଦିଲ୍ଲୀ ଉପ ରାଜ୍ୟପାଳ ଅଭିଯୋଗ ଆଣିଥିଲେ। ଏହି ମାମଲାର ସିବିଆଇ ଯାଞ୍ଚ ହେଉ ବୋଲି ସେ ଆବେଦନ କରିଥିଲେ। ଏହାପରେ ଏହି ମାମଲାରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ଅନେକ ଲୋକଙ୍କ ନାମ ଉଠିଥିଲା।

ହେଲେ ସିବିଆଇ ତରଫରୁ କୋର୍ଟରେ ଦାଖଲ କରାଯାଇଥିବା ଚାର୍ଜସିଟରେ ମନୀଷ ସିସୋଦିଆଙ୍କ ନାମ ନଥିବାରୁ ଏହାକୁ ନେଇ ଆମ୍ ଆଦମୀ ପାର୍ଟି ବିଜେପିକୁ ଟାର୍ଗେଟ କରିଥିଲା। ଚାର୍ଜସିଟରେ ଆପ୍‌ର ଯୋଗାଯୋଗ ମୁଖ୍ୟ ବିଜୟ ନାୟାର ଏବଂ ହାଇଦ୍ରାବାଦ ଭିତ୍ତିକ ବ୍ୟବସାୟୀ ଅଭିଷେକ ବୋଇନାପାଲୀଙ୍କ ସମେତ ୭ଜଣ ଅଭିଯୁକ୍ତଙ୍କ ନାଁ ସାମିଲ ଅଛି।

Show More

Related Articles

Back to top button