ଦିନକୁ ଦିନ ଦେଶରେ ବୃଦ୍ଧି ପାଇବାକୁ ଲାଗିଛି କରୋନା ସ୍ଥିତି
୨୪ ଘଣ୍ଟାରେ ୬୨,୨୫୮ ପଜିଟିଭ୍ ଚିହ୍ନଟ, ୨୯୧ ଜଣ ମୃତ

କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଜାରି ତଥ୍ୟ ଅନୁଯାୟୀ, ଭାରତରେ ଗତ ୨୪ ଘଣ୍ଟାରେ ୬୨,୨୫୮ ନୂତନ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧, ୧୯, ୦୮, ୯୧୦ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୧,୬୧, ୨୪୦ ହୋଇଛି। ଶନିବାର ସୁଦ୍ଧା ଦେଶରେ ମୋଟ୍ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪, ୫୨, ୬୪୭ରେ ରହିଛି। ଅଦ୍ୟାବଧି ଦେଶରେ ୫ କୋଟି, ୮୧ ଲକ୍ଷ ୯ ହଜାର ୭୭୩ ଜଣଙ୍କ ଟିକାକରଣ ହୋଇ ସାରିଛି।କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ଶନିବାର କହିଛନ୍ତି, ଦେଶର ୧୨ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ନେଇ ଉଚ୍ଚସ୍ତରୀୟ ବୈଠକ କରାଯାଇଛି। ଏହି ସବୁ ରାଜ୍ୟରେ କରୋନାର ଅଧିକାଂଶ କେସ୍ ଚିହ୍ନଟ ହୋଇଛନ୍ତି।
ଏଥିରେ ସର୍ବାଧିକ କରୋନାପ୍ରବଣ ୪୬ ଜିଲ୍ଲା ଚିହ୍ନଟ କରାଯାଇଛି। କଣ୍ଟେନମେଣ୍ଟ ଜୋନ୍ ସହ କଡାକଡି କରୋନା ନିୟମ ମାନିବାକୁ ଏହି ସବୁ ଜିଲ୍ଲାକୁ ପରାମର୍ଶ ଦିଆଯାଇଛି।ଦେଶରେ ସବୁଠୁ ଅଧିକ ପ୍ରଭାବିତ ମହାରାଷ୍ଟ୍ରରେ ଶନିବାର ୩୫,୭୨୬ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନାରେ ୧୬୬ ଜଣଙ୍କ ପ୍ରାଣହାନୀ ଘଟିଛି। ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩ ଲକ୍ଷରେ ପହଞ୍ଚିଛି। ରାଜ୍ୟର ଅନେକ ସ୍ଥାନରେ ଲକ୍ଡାଉନ୍ ଲାଗୁ ହୋଇଛି। ଏହାର ଅବଧିକୁ ବଢାଇ ଏପ୍ରିଲ ୧୫ କରାଯାଇଛି।