Breaking PLUSଓଡ଼ିଶାମୁଖ୍ୟ ଖବର

ଆସୁଛି ବାତ୍ୟା

ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ

ବାତ୍ୟା ଓଡ଼ିଶା ଉପକୂଳରେ ଘଷି ହୋଇ ଯାଇପାରେ । ଏଭଳି ଆକଳନ ଦେଖାଇଛି ଭାରତୀୟ ପାଣିପାଗ ବିଭାଗର ତାଜା ଚିତ୍ର। ତଥାପି ଉପକୂଳ ଓଡ଼ିଶା ପ୍ରଭାବିତ ହେବା ସହ ପବନ ସହ ଭୀଷଣ ବର୍ଷା ହୋଇପାରେ । ସ୍ଥିତି ମୁକାବିଲା ପାଇଁ ରାଜ୍ୟ ସରକାର ୧୪ ଜିଲ୍ଲା ପ୍ରଶାସନକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଇଏମଡିର ତାଜା ଆକଳନ ହେଲା, ସମ୍ଭାବ୍ୟ ବାତ୍ୟା ‘ଜୱାଦ’ ୪ ତାରିଖ (ଶନିବାର) ସକାଳେ ଉତ୍ତର ଆନ୍ଧ୍ର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ପାଖରେ ଥିବ । ତା’ପରେ ଏହା ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବରେ ଗତି କରିବ । ଏହା ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳରେ ଘଷି ହୋଇ ଏହା ଆଗକୁ ବଢ଼ିବ । ଶନିବାର ସନ୍ଧ୍ୟା ସାଢ଼େ ୫ଟାବେଳକୁ ଏହି ବାତ୍ୟା ଭୀଷଣ ରୂପ ନେଇସାରିଥିବ । ବାତ୍ୟାର କେନ୍ଦ୍ର ବଳୟରେ ସେତେବେଳେ ୯୦ରୁ ୧୦୦ କିମି ପବନ ସହ ମଝିରେ ମଝିରେ ପବନ ଧକ୍କା ୧୧୦ କିମି ପବନ ହୋଇପାରେ । ୩ ତାରିଖ ମଧ୍ୟରାତ୍ରିରୁ ରାଜ୍ୟରେ ୪୫-୫୫ ପବନ ଓ ମଝିରେ ମଝିରେ ୬୫ କିମି ଝଟ୍‌କା ଦେଇପାରେ ।୪ ତାରିଖ ସକାଳୁ ପବନ ବେଗ ଆହୁରି ବଢ଼ିବ । ବହିବ ୭୦-୮୦ କିମି ବେଗରେ । ମଝିରେ ମଝିରେ ପବନ ଧକ୍କା ୯୦ କିମି ବେଗରେ ଦେଇପାରେ । ପ୍ରବଳ ବର୍ଷା ହେବ ଉପକୂଳ ଓଡ଼ିଶାରେ । ୪ରେ ଦକ୍ଷିଣ ଉପକୂଳ ଓ ୫ରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ବିଶିଷ୍ଟ କୃଷି ପାଣିପାଗ ବୈଜ୍ଞାନିକ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ହେଲା, ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳର ବହୁ ଦୂରରୁ ଦିଗ ବଦଳାଇବ । ଏହା ଓଡ଼ିଶାର ଉପକୂଳରୁ ଦୂରରେ ସମୁଦ୍ରରେ ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଆଡ଼କୁ ମୁହଁଇବା ସମ୍ଭାବନା ଅଛି ।

ସମ୍ଭାବ୍ୟ ବାତ୍ୟା ଭୀଷଣ ରୂପ ନେବା ସମ୍ଭାବନା କମ୍‌ । ଓଡ଼ିଶାରେ ବର୍ଷା, ପବନ ଅପେକ୍ଷାକୃତ କମ୍‌ ରହିପାରେ ।ତାଙ୍କ ଆକଳନ ଅନୁସାରେ କଣାସରୁ କେନ୍ଦ୍ରାପଡ଼ା ଭିତରେ ୪୫ କିମି ବେଗରେ ପବନ ସହ ୬୦ରୁ ୮୦ ମିଲିମିଟର ବର୍ଷା ହୋଇପାରେ । ଅନ୍ୟାନ୍ୟ ଉପକୂଳ ଜିଲ୍ଲା ଓ ସଂଲଗ୍ନ ଅଞ୍ଚଳରେ ପବନ ବେଗ ଘଣ୍ଟା ପ୍ରତି ୩୦ କିମି ଭିତରେ ରହିବା ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ୩ ତାରିଖ (ଶୁକ୍ରବାର) ମଧ୍ୟାହ୍ନ ପରେ ପାଗ ବଦଳିବ । ୪ ଓ ୫ରେ ବର୍ଷା ହେବ । ସମ୍ଭାବ୍ୟ ବାତ୍ୟା ୫ ତାରିଖ ରାତି କିମ୍ବା ୬ ତାରିଖ ସକାଳେ ବାଂଲାଦେଶରେ ପହଞ୍ଚିପାରେ । ସେ ଆହୁରି ଆକଳନ କରିଛନ୍ତି, ଉପର ବାୟୁମଣ୍ଡଳରେ ବାୟୁର ଦିଗ ପରିବର୍ତ୍ତନର ସମ୍ଭାବନା ଥିବାରୁ ଉତ୍ତର ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁଲେ ଏହା ଉପକୂଳ ଓ ସଂଲଗ୍ନ ଜିଲ୍ଲା ମଧ୍ୟ ଦେଇ ପଶ୍ଚିମବଙ୍ଗ ଗଲେ ପବନ ରହିବ ନାହିଁ । କିନ୍ତୁ, ପ୍ରବଳ ବର୍ଷା ହୋଇପାରେ ବୋଲି ଡକ୍ଟର ପଶୁପାଳକ ଆକଳନ କରିଛନ୍ତି । ପାଣିପାଗ ବିଭାଗ ସୂଚନା ମୁତାବକ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଘନୀଭୂତ ହୋଇ ଗୁରୁବାର ଅପରାହ୍ନରେ ଅବପାତ (ଡିପ୍ରେସନ) ରୂପ ନେଇଛି । ଅପରାହ୍ନ ସାଢ଼େ ୫ଟାବେଳେ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୧୦୨୦ କିଲୋମିଟର ଓ ପାରାଦୀପରୁ ୧୦୬୦ କିମି ଏବଂ ବିଶାଖାପାଟଣାରୁ ୯୬୦ କିମି ଦୂରରେ ଥିଲା । ଗତି କରୁଥିଲା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ । ଆଇଏମଡି କହିଛି, ଶୁକ୍ରବାରଠାରୁ କ୍ରମଶଃ ପାଗ ବଦଳିବ । ଦକ୍ଷିଣ ଓଡ଼ିଶା ଉପକୂଳରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ଗଞ୍ଜାମ, ଗଜପତିରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । କୋରାପୁଟ, ରାୟଗଡ଼ା, ପୁରୀ, ଜଗତସିଂହପୁରରେ ପ୍ରବଳ ବର୍ଷା ହୋଇପାରେ ଗୋଟିଏ ଦୁଇଟି ସ୍ଥାନରେ ।

ସର୍ବାଧିକ ପ୍ରଭାବ ପଡ଼ିବ ଶନିବାର । ସାରା ଉପକୂଳରେ ବର୍ଷା ହେବ । ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁରରେ ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏମିତିକି ୨୦୦ ମିମିରୁ ଅଧିକ ବର୍ଷା ଆଶଙ୍କା ଅଛି । କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମାଲକାନଗିରିର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି ।

ରବିବାର (୫ ତାରିଖ) ଉତ୍ତର ଉପକୂଳରେ ଅଧିକ ବର୍ଷା ହେବ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କଟକରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ସୋମବାର (୬ ତାରିଖ) ଉତ୍ତର ଉପକୂଳରେ କେତେକ ଜାଗାରେ ବର୍ଷା ହେବ । କିଛି ଜିଲ୍ଲାରେ ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ହୋଇପାରେ । ଶୁକ୍ରବାର ମଧ୍ୟରାତ୍ରିରୁ ସମୁଦ୍ର ଅଧିକ ଅଶାନ୍ତ ହୋଇ ଉଠିବ । ତେଣୁ ୫ ତାରିଖ ଯାଏଁ ସମୁଦ୍ର ଓ ଚିଲିକାରେ ମାଛ ଧରିବା ବାରଣ କରାଯାଇଛି ।

ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି, ଯଦିଓ ବାତ୍ୟାର ସ୍ଥଳଭାଗ ଛୁଇଁବା ସମୟ ଓ ନିର୍ଦ୍ଦିଷ୍ଟ ସ୍ଥାନ ନେଇ ଏବେ ଆଇଏମଡି ସ୍ପଷ୍ଟ କରିନାହିଁ, ତଥାପି ରାଜ୍ୟ ସରକାର ସବୁ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ୧୪ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ସତର୍କ ରହିବାକୁ କୁହାଯାଇଛି । ଜିଲ୍ଲାପାଳ ଓ କ୍ଷେତ୍ରୀୟ ଅଧିକାରୀଙ୍କୁ ପ୍ରତିକୂଳ ସ୍ଥିତି ମୁକାବିଲା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫର ୬୦ଟି ଟିମ୍‌, ଏନଡିଆରଏଫର ୩୪ଟି ଟିମ୍‌, ଅଗ୍ନିଶମର ୧୭୨ଟି ଟିମ୍‌ ଗଠନ କରାଯାଇଛି । ଲୋକଙ୍କୁ ସ୍ଥାନାନ୍ତର ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଅମଳ ହେବାକୁ ଥିବା ଫସଲକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନେବା ସହ ଯାହା ଅମଳ ନ ହୋଇପାରିବ ସେଠାରେ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ନେଇ ପୂର୍ବତଟ ରେଳପଥ ଦେଇ ଯାଉଥିବା ୯୫ଟି ଟ୍ରେନକୁ ବାତିଲ କରାଯାଇଛି ।

Show More

Related Articles

Back to top button