
ଭୁବନେଶ୍ୱର : କଂଗ୍ରେସ ବିଧାୟକ ତଥା ମେଟ୍ରୋ ବିଲ୍ଡର୍ସର ଏମ୍ଡି ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ (ORHDC) ଦୁର୍ନୀତି ମାମଲାରେ ତାଙ୍କୁ ଆଜି ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ମୋକିମ୍ଙ୍କ ସହିତ ପୂର୍ବତନ ଆଇଏଏସ୍ ଅଫିସର ବିନୋଦ କୁମାର, କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଂଜନ ମହାନ୍ତି ଓ ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷ ଜେଲ୍ ଲେଖାଏଁ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ସେମାନଙ୍କୁ ଜେଲ୍ ଦଣ୍ଡ ସହ ସମସ୍ତଙ୍କ ଉପରେ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି କୋର୍ଟ। ଜରିମାନା ଅନାଦେୟ ହେଲେ ସେମାନେ ଅଧିକ ୬ ମାସ ଜେଲ୍ରେ ରହିବେ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି। ୨୦୦୦ ମସିହା ଜାନୁଆରୀ ୪ ତାରିଖରୁ ୨୦୦୧ ମସିହା ମେ’ ୧୫ ତାରିଖ ପର୍ଯ୍ୟନ୍ତ ପୂର୍ବତନ ଆଇଏଏସ୍ ଅଫିସର ବିନୋଦ କୁମାର ORHDCର ପରିଚାଳନା ନିର୍ଦ୍ଦେଶକ ଥିଲେ। ସେହି ସମୟରେ ସ୍ୱସ୍ତି ରଞ୍ଜନ ମହାପାତ୍ର ORHDCର କମ୍ପାନୀ ସେକ୍ରେଟେରୀ ଭାବେ କାର୍ଯ୍ୟ କରୁଥିଲେ। ୨୦୦୦ ଜୁନ୍ ୨୪ ତାରିଖରେ ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍ ORHDCରେ ୧୫୦ ଲକ୍ଷ ଟଙ୍କାର ଋଣ ଆବେଦନ କରିଥିଲା। ଭୁବନେଶ୍ୱର ନୟାପଲ୍ଲୀରେ ମେଟ୍ରୋ ସିଟି-୨ ପ୍ରୋଜେକ୍ଟରେ ୫୦ଟି ଫ୍ଲାଟ ନିର୍ମାଣ ପାଇଁ କଂପାନୀ ପକ୍ଷରୁ ଋଣ ଆବେଦନ କରାଯାଇଥିଲା। ବିନୋଦ କୁମାରଙ୍କ ନିର୍ଦ୍ଦେଶ ପ୍ରକାରେ ସ୍ୱସ୍ତି ରଞ୍ଜନ ମହାପାତ୍ର ଋଣ ଆବେଦନ ଦରଖାସ୍ତକୁ ଯାଞ୍ଚ କରି ପୂରା ପ୍ରକ୍ରିୟା ସଂପାଦନ କରିଥିଲେ। ପରେ ଏହାକୁ ଅନୁମୋଦନ କରିବାକୁ ସେ ବିନୋଦ କୁମାରଙ୍କ ପାଖକୁ ପଠାଇଥିଲେ। ୧୫୦ ଲକ୍ଷର ଋଣକୁ ବିନୋଦ କୁମାର ଅନୁମୋଦନ କରିଥିଲେ ଏବଂ ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍କୁ ତିନିଟି କିସ୍ତିରେ ୨୦୦୦ ଜୁଲାଇ ୬ ତାରିଖରୁ ୨୦୦୦ ଅଗଷ୍ଟ ୨୮ ତାରିଖ ମଧ୍ୟରେ ଋଣ ଅର୍ଥ ପ୍ରଦାନ କରାଯାଇଥିଲା। ପ୍ରଥମ କିସ୍ତିରେ ୧୦୦ ଲକ୍ଷ ଟଙ୍କା, ଦ୍ୱିତୀୟ କିସ୍ତିରେ ୩୦ ଓ ତୃତୀୟ କିସ୍ତିରେ ୨୦ ଲକ୍ଷ ଟଙ୍କା ଦିଆଯାଇଥିଲା। ଲୋନ୍ ଏଗ୍ରିମେଣ୍ଟ ଓ ଏ ସଂପର୍କିତ ଅନ୍ୟାନ୍ୟ କାଗଜପତ୍ରରେ ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଏହାର ନିର୍ଦ୍ଦେଶକ ପୀୟୂଷ ମହାନ୍ତି ଦସ୍ତଖତ କରିଥିଲେ। ଅନ୍ୟପକ୍ଷରେ ORHDCର ପରିଚାଳନା ନିର୍ଦ୍ଦେଶକ ଭାବେ ଋଣ ଅନୁମୋଦନ କରିବା ତଥା ଚେକ୍ରେ ଦସ୍ତଖତ କରିବାର ଅଧିକାର ସେତେବେଳେ ବିନୋଦ କୁମାରଙ୍କ ପାଖରେ ନଥିଲା। ORHDCର ବୋର୍ଡ ଅଫ୍ ଡାଇରେକ୍ଟର୍ସ ପକ୍ଷରୁ ତାଙ୍କୁ ଏମିତି କିଛି କ୍ଷମତା ଦିଆଯାଇ ନଥିଲା। ଏ ବିଷୟରେ ଅବଗତ ଥିବା ସତ୍ତ୍ୱେ ସ୍ୱସ୍ତି ରଞ୍ଜନ ମହାପାତ୍ର ସହ ମିଶି ବିନୋଦ କୁମାର ମେଟ୍ରୋ ବିଲଡର୍ସକୁ ଅନୁଚିତ ଅନୁଗ୍ରହ ଦେଖାଇ ଏହି କାର୍ଯ୍ୟ କରିଥିଲେ।