ଦେଶ ବିଦେଶମୁଖ୍ୟ ଖବରରାଜନୀତି

ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଜିତି ଫସିଗଲା କଂଗ୍ରେସ

ଶିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟ ହେବା ସହ ରାଜ୍ୟରେ ସରକାର ଗଠନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ବିଜେପିକୁ ଗାଦିଚ୍ୟୁତ କରିବାକୁ ସକ୍ଷମ ହୋଇଥିବା କଂଗ୍ରେସ ବେଶ କିଛି ବର୍ଷ ପରେ ସେଲିବ୍ରେସନ କରିବାକୁ ସୁଯୋଗ ପାଇଛି।

କିନ୍ତୁ ହିମାଚଳ ପ୍ରଦେଶରେ କଂଗ୍ରେସ ନିର୍ବାଚନ ଜିତିଥିବାରୁ ଦଳୀୟ ନେତୃବୃନ୍ଦଙ୍କ ଟେନସେନ ବଢ଼ି ଯାଇଛି। ଦଳ ସରକାର ଗଠନ କରିବାକୁ ଯାଉଥିବାରୁ ହାଇକମାଣ୍ଡ ଖୁସି ହେଉଛନ୍ତି। ହେଲେ ନିର୍ବାଚନ ଜିତିବା କ୍ଷଣି କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଆରମ୍ଭ ହୋଇଯାଇଛି।

ହିମାଚଳ ପ୍ରଦେଶରେ କଂଗ୍ରେସ କାହାକୁ ମୁଖ୍ୟମନ୍ତ୍ରୀ କରିବ, ତା’କୁ ନେଇ ଛକାପଞ୍ଝା ଆରମ୍ଭ ହୋଇ ଯାଇଛି। ଆଜି କଂଗ୍ରେସ କର୍ମୀମାନେ ନିଜ ଦଳର ନେତାଙ୍କ କାର୍‌କୁ ଅଧା ରାସ୍ତାରେ ଅଟକାଇ ନିଜର ଦାବି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ସବୁଠାରୁ ଆଗରେ ଥିବା ପ୍ରତିଭା ସିଂହଙ୍କ ସମର୍ଥକମାନେ ଏପରି ଆଚରଣ କରିବା ଦଳୀୟ ହାଇକମାଣ୍ଡଙ୍କୁ ଚିନ୍ତାରେ ପକାଇଛି।

ବିଜେପି ୨୫ଟି ଆସନ ଜିତିଥିବାରୁ କଂଗ୍ରେସ ଦଳ ବିରୋଧରେ ଘୋଡ଼ା ବେପାରର ଅଭିଯୋଗ ଆଣି ସାରିଛି। ଗୋଆ ଓ ମଧ୍ୟପ୍ରଦେଶ ଭଳି ବିଜେପି କିଛି କଂଗ୍ରେସ ବିଧାୟକଙ୍କୁ ଟଙ୍କା ଦେଇ କିଣି ନେବ ବୋଲି ବରିଷ୍ଠ ନେତାମାନେ ଆଶଙ୍କା କରୁଛନ୍ତି। ଘୋଡ଼ା ବେପାରରୁ ବିଧାୟକଙ୍କୁ ଦୂରେଇ ରଖିବା ପାଇଁ କଂଗ୍ରେସ ରଣନୀତି ମଧ୍ୟ ପ୍ରସ୍ତୁତ କରୁଛି।

ହେଲେ ଏବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦଳ ମଧ୍ୟରେ ଟଣାଓଟରା କଂଗ୍ରେସ ହାଇକମାଣ୍ତଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।
ଆଜି ପ୍ରତିଭା ସିଂହଙ୍କ ସମର୍ଥକମାନେ ଶିମଲାର ଓବେରୋଇ ସେସିଲ ନିକଟରେ ଏକାଠି ହୋଇଥିଲେ। ଏହି ସମୟରେ ସେହି ରାସ୍ତା ଦେଇ କଂଗ୍ରେସର କେନ୍ଦ୍ର ନେତୃବୃନ୍ଦଙ୍କ ନିର୍ଦ୍ଦେଶରେ ହିମାଚଳ ଯାଇଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ କନଭୟ ଅତିକ୍ରମ କରିଥିଲା।

ବାଘେଲ ରାଜ୍ୟରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’ର ବିଚାର କରିବାକୁ ହିମାଚଳ ଯାଇଛନ୍ତି। ହେଲେ ବିଧାୟକଙ୍କ ସହ ବୈଠକ କରିବା ପୂର୍ବରୁ ପ୍ରତିଭା ସିଂହଙ୍କ ସମର୍ଥକମାନେ ତାଙ୍କ ଗାଡ଼ିକୁ ଅଧା ରାସ୍ତାରେ ଅଟକାଇ ନିଜର ଦାବି ଜଣାଇଛନ୍ତି। କଂଗ୍ରେସ ପ୍ରତିଭା ସିଂହଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରୁ ବୋଲି ସେମାନେ ବାଘେଲଙ୍କୁ କହିଛନ୍ତି।

ସାମ୍ନାକୁ ଆସିଥିବା ଭିଡିଓରେ କଂଗ୍ରେସ କର୍ମୀମାନେ ବାଘେଲଙ୍କ କାର୍‌କୁ ଘେରି ଯିବା ସହ ପ୍ରତିଭା ସିଂହଙ୍କ ସପକ୍ଷରେ ନାରା ଦେଉଥିବା ଦେଖିବାକୁ ମିଳୁଛି। ପ୍ରତିଭା ସିଂହ ହେଉଛନ୍ତି କଂଗ୍ରେସର ଜଣେ ସାଂସଦ। ସେ ହିମାଚଳ ପ୍ରଦେଶରେ କଂଗ୍ରେସର ପ୍ରଚାର ମଙ୍ଗ ସମ୍ଭାଳିଥିଲେ। କିନ୍ତୁ ନିର୍ବାଚନ ଲଢ଼ି ନଥିଲେ।

ଆଜି କଂଗ୍ରେସ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ବିଧାୟକ ଦଳ ବୈଠକ ଡାକିଛି। ଏହାପୂର୍ବରୁ ପ୍ରତିଭା ଆଣ୍ଡ କୋ ହାଇକମାଣ୍ଡଙ୍କୁ ପରୋକ୍ଷରେ ନିଜର ଦାବି ଜଣାଇବାକୁ ଚେଷ୍ଟା କରିଛନ୍ତି। ହିମାଚଳ ପ୍ରଦେଶ କଂଗ୍ରେସ ମୁଖିଆ ପ୍ରତିଭା କହିଛନ୍ତି, “କୌଣସି ପ୍ରକାରର ଗୋଷ୍ଠୀ କନ୍ଦଳ ନାହିଁ। ସମସ୍ତେ ଆମ ସହ ଅଛନ୍ତି।”

ଏଥିସହ ସେ ଦଳକୁ ମନେ ପକାଇ ଦେଇଛନ୍ତି ଯେ ଗତବର୍ଷ ଦେହାନ୍ତ ହୋଇଥିବା ତାଙ୍କ ସ୍ୱାମୀ ବିର୍ଦ୍ଦଭ ସିଂହଙ୍କ ନାଁରେ କଂଗ୍ରେସ ଏଠାରେ ନିର୍ବାଚନ ଲଢ଼ିଛି ଓ ଜିତିଛି।

ସେ କହିଛନ୍ତି, “ରାଜ୍ୟକୁ ମୁଁ ମୁଖ୍ୟମନ୍ତ୍ରୀ ଭାବେ ଲିଡ୍‌ କରିପାରିବି ବୋଲି ଭାବୁଛି। କାରଣ ନିର୍ବାଚନ ପୂର୍ବରୁ ସୋନିଆ ଗାନ୍ଧି ଓ କଂଗ୍ରେସ ହାଇକମାଣ୍ଡ ଦଳର ନେତୃତ୍ୱ ନେବାକୁ ମୋତେ ଦାୟିତ୍ୱ ଦେଇଥିଲେ। ବିର୍ଦ୍ଦଭ ସିଂହଙ୍କ ନାଁରେ ନିର୍ବାଚନ ଲଢ଼ି କଂଗ୍ରେସ ଜିତିଛି। ତେଣୁ ବିର୍ଦ୍ଦଭ ସିଂହଙ୍କ ପରିବାରୁ ଅଲଗା କରିବା ଠିକ ହେବନି।

 

Show More

Related Articles

Back to top button