Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି‘ଲକ୍ଷ୍ମୀ’ ଯୋଜନାର ଶୁଭାରମ୍ଭ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ବଣ୍ଡାଘାଟିରୁ ‘ଲକ୍ଷ୍ମୀ’ ଯୋଜନାରେ ବସ୍‌‌ ଚଳାଚଳ ସେବାର ଶୁଭାରମ୍ଭ କରିବେ। ଏହି ବସ୍‌‌ଗୁଡ଼ିକ ପଞ୍ଚାୟତରୁ ବ୍ଲକ ଓ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଗମନାଗମନ କରିବାର ନିଷ୍ପତ୍ତି ନିଆଯାଇଛି।

ଏହି ଯୋଜନା ପାଇଁ ବଜେଟ୍‌‌ରେ ସରକାର ୩ ହଜାର ୧୭୮ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ସେହିଭଳି ଗତ ମାସ ୧୫ ତାରିଖରେ ରାଜ୍ୟ କ୍ୟାବିନେଟ୍‌‌ ବୈଠକରେ ଲକ୍ଷ୍ମୀ ଯୋଜନା ପାଇଁ ୩ ହଜାର ୧୭୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସୂଚନା ଅନୁସାରେ, ଏଥିପାଇଁ ସରକାର ନୂଆ ବସ୍‌‌ କ୍ରୟ କରିଥିବାବେଳେ ୩୬ଟି ବସ୍‌‌ ମାଲକାନଗିରିରେ ପହଞ୍ଚିସାରିଛି। ଏହି ଯୋଜନା ଅଧୀନରେ ହଜାରେରୁ ଅଧିକ ବସ୍‌‌ ନିୟୋଜିତ କରାଯିବ ବୋଲି ଜଣାପଡ଼ିଛି।

ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣାଞ୍ଚଳର ୬ଟି ଜିଲ୍ଲା ମାଲକାନଗିରି, ନବରଙ୍ଗପୁର,କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳରେ ବସ୍‌‌ ଚଳାଚଳ କରିବ। ଏହି ବସ୍‌ ଯୋଜନାରେ ଛୋଟ ପିଲାଠାରୁ ଆରମ୍ଭ କରି ଚାଷୀ, ବ୍ୟବସାୟୀ, ମିଶନ୍ ଶକ୍ତି ମା’ମାନେ ଉପକୃତ ହେବେ। ସ୍କୁଲ କଲେଜର ପିଲାମାନେ ସେମାନଙ୍କ ଶିକ୍ଷାନୁଷ୍ଠାନକୁ ଯାଇପାରିବେ। ଚାଷୀ ତାର ଉତ୍ପାଦିତ ଦ୍ରଦ୍ୟକୁ ନେଇ ବଜାରରେ ବିକ୍ରିବଟା କରିପାରିବ। ବ୍ୟବସାୟୀମାନେ ସୁରୁଖୁରୁରେ ବ୍ୟବସାୟ କରିପାରିବେ। ରୋଗୀମାନେ ଡାକ୍ତରଖାନାରେ ସୁବିଧାରେ ପହଞ୍ଚିପାରିବେ। ମିଶନ ଶକ୍ତି ମା’ ମାନେ ମଧ୍ୟ ସେମାନଙ୍କ କାର୍ଯ୍ୟ ପାଇଁ ଯାତାୟାତ କରିବା ସହଜ ହେବ। ଲକ୍ଷ୍ମୀ ସମୃଦ୍ଧିର ପ୍ରତୀକ। ତେଣୁ ଏହି ପରିବହନ ସେବା ଗାଁ ଗାଁରେ ସମୃଦ୍ଧି ଆଣିବ। ଗ୍ରାମାଞ୍ଚଳ କ୍ଷେତ୍ରକୁ ରୂପାନ୍ତରିତ କରିବ।

Show More

Related Articles

Back to top button