
ଆନନ୍ଦ ଉଲ୍ଲାସକୁ ସାଙ୍ଗରେ ନେଇ ପାଖେଇ ଆସୁଛି ବଡ଼ଦିନ । ଏହି ଦିନକୁ ଯିଶୁଙ୍କ ଜନ୍ମ ଦିନ ଭାବରେ ପାଳନ କରାଯାଏ । ପ୍ରଭୁ ଯିଶୁ ଇଶ୍ୱରଙ୍କ ଅନ୍ୟତମ ମନୁଷ୍ୟ ଅବତାର ବୋଲି କୁହାଯାଏ । ଯିଶୁଙ୍କ ଏହି ଅବତାର ଗ୍ରହଣ ଘଟଣାକୁ ମେରି ଖ୍ରୀଷ୍ଟମାସ ବା ବଡ଼ଦିନ ରୂପେ ବିଶ୍ୱବ୍ୟାପି ପାଳନ କରାଯାଏ । ଡିସେମ୍ବର ୨୫ରେ ବିଶ୍ୱର କୋଟି କୋଟି ଲୋକଙ୍କ ମଧ୍ୟରେ ଏହା ଏକ ଧାର୍ମିକ ତଥା ସାଂସ୍କୃତିକ ଉତ୍ସବ ଭାବରେ ପାଳନ କରାଯାଏ ।
ଯିଶୁ କୁଷ୍ଠ ରୋଗୀ ମାନଙ୍କୁ ସ୍ପର୍ଶ କରି ସମ୍ପୂର୍ଣ୍ଣ ସୁସ୍ଥ କରିଥିଲେ । ସାଧାରଣତଃ କୁଷ୍ଠ ରୋଗୀ ମାନଙ୍କୁ ସମାଜରେ ଘୃଣା କରାଯାଏ । କିନ୍ତୁ ପ୍ରଭୁ ଯିଶୁ ସେମାନଙ୍କୁ ଆପଣାର କରିଥିଲେ । ଆର୍ଥାତ ସେ ସମଗ୍ର ମାନବ ଜାତି ନିମନ୍ତେ ଅବତାର ନେଇଥିଲେ ।
ଦିନେ କେତେକ ଆତ୍ମଗର୍ବୀ ଧାର୍ମିକ ଲୋକ ଜଣେ ମହିଳାଙ୍କୁ ଦେହ ବ୍ୟବସାୟରେ ଲିପ୍ତ ଥିବା ଦେଖି ତାଙ୍କୁ ଘେରି ଦଣ୍ଡ ଦେବା ପାଇଁ ଉଦ୍ୟମ କରୁଥିଲେ । ଏହି ସମୟରେ ପ୍ରଭୁ ଯିଶୁ ସେଠାରେ ପହଞ୍ଚିଥିଲେ । ମହିଳା ଜଣଙ୍କ ଯିଶୁଙ୍କ ପାଦ ତଳେ ପଡି ତାଙ୍କୁ ରକ୍ଷା କରିବା ପାଇଁ ନିବେଦନ କରିଥିଲେ । ପ୍ରଭୁ ଉତ୍ତ୍ୟକ୍ତ ଲୋକମାନଙ୍କୁ ପଚାରିଲେ- ଏପରି ପାପିନୀକୁ କିପରି ଦଣ୍ଡ ଦେବା ପାଇଁ ଧର୍ମଶସ୍ତ୍ରରେ ଲେଖା ଅଛି? ସେମାନେ କହିଲେ, ଏପରି ପାପିନୀକୁ ପଥର ଫୋପାଡି ମୃତ୍ୟୁ ଦଣ୍ଡ ଦେବା ପାଇଁ ମୋସା କହିଛନ୍ତି । ଯିଶୁ କହିଲେ, ତା’ହେଲେ ଠିକ୍ ଅଛି- ତୁମମାନଙ୍କ ମଧ୍ୟରୁ ଯିଏ କେବେ ବି ଜୀବନରେ ପାପ କରିନାହିଁ, ସେ ପ୍ରଥମେ ମାରୁ । ଏହା ଶୁଣିଲା ପରେ ସମସ୍ତେ ଜଣ ଜଣ କରି ତଳେ ପଥର ପକାଇ ସେହି ସ୍ଥାନ ଛାଡି ଚାଲିଗଲେ । କାରଣ କେହି ହେଲେ ସମ୍ପୂର୍ଣ୍ଣ ନିଷ୍ପାପ ନଥିଲେ । ତା’ପରେ ଯିଶୁ ସେହି ମହିଳାଙ୍କୁ କହିଲେ,”ଯାଅ, ଆଜିଠାରୁ ପାପ କର ନାହିଁ” । ସେହି ମହିଳା ଜଣଙ୍କ ଥିଲେ ମେରି ମ୍ୟାଗଡାଲିନ୍, ଯେ କି ପରେ ପ୍ରଭୁ ଯିଶୁଙ୍କ ପରମ ଭକ୍ତ ପାଲଟି ଯାଇଥିଲେ ।
ଯିଶୁଙ୍କ ଜନ୍ମର ଏକମାତ୍ର ଲକ୍ଷ ଥିଲା, ପାପୀ ମଣିଷକୁ ଉଦ୍ଧାର କରିବା ।