ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଭାରତ-ଆମେରିକା ମିଳିତ ଯୁଦ୍ଧାଭ୍ୟାସକୁ ନେଇ ଆପତ୍ତି ଉଠାଇଛି ଚାଇନା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଏଲଏସିରେ ଭାରତ-ଆମେରିକା ମିଳିତ ଯୁଦ୍ଧାଭ୍ୟାସକୁ ନେଇ ଆପତ୍ତି ଉଠାଇଛି ଚାଇନା। ଏପରି ମିଳିତ ସମରାଭ୍ୟାସ ସୀମାରେ ଶାନ୍ତି ସ୍ଥାପନ ପାଇଁ କରାଯାଇଥିବା ଦ୍ୱିପାକ୍ଷିକ ଚୁକ୍ତିର ଉଲ୍ଲଙ୍ଘନ ବୋଲି ବେଜିଂ ଦାବି କରିଛି। ଭାରତ-ଆମେରିକା ମିଳିତ ଯୁଦ୍ଧାଭ୍ୟାସର ୧୮ତମ ସଂସ୍କରଣ ଉତ୍ତରାଖଣ୍ଡରେ ଚାଲିଛି। ଏଲଏସି ବା ଭାରତ-ଚାଇନା ସୀମାନ୍ତ ଠାରୁ ଯୁଦ୍ଧାଭ୍ୟାସ ସ୍ଥାନଟି ୧୦୦ କିମି ଦୂର। ତଥାପି ଏହାକୁ ନେଇ ଚାଇନା ଚିନ୍ତା ପ୍ରକଟ କରିଛି।

ନିଜ ନିଜ ସେନାର ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟ ନେଇ ୨୦୦୪ରୁ ପ୍ରତିବର୍ଷ ଭାରତ ଓ ଆମେରିକା ମଳିତ ଭାବେ ସମରାଭ୍ୟାସ କରୁଛନ୍ତି। ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ଦୁଇ ଦେଶ ନିଜ ନିଜର ରଣକୌଶଳ ପ୍ରସ୍ତୁତ କରୁଛନ୍ତି। ଗୋଟିଏ ପଟେ ଭାରତ-ଆମେରିକା ଯୁଦ୍ଧାଭ୍ୟାସ କରୁଥିବା ବେଳେ ଅନ୍ୟପଟେ ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ, ଏଲଏସି ନିକଟରେ ଭାରତ-ଆମେରିକାର ମିଳିତ ସାମରିକ ଯୁଦ୍ଧାଭ୍ୟାସ ନୂଆଦିଲ୍ଲୀ ଓ ବେଜିଂ ମଧ୍ୟରେ ୧୯୯୩ ଓ ୧୯୯୬ରେ ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ହୋଇଥିବା ଚୁକ୍ତିର ମୂଳଭାବନାକୁ ଉଲ୍ଲଙ୍ଘନ କରୁଛି। ଏଥିସହ ଦ୍ୱିପାକ୍ଷିକ ବିଶ୍ୱାସକୁ ସୁଦୃଢ଼ କରିବାରେ ଏହା କଣ୍ଟା ସାଜିଛି। ଏହି ମିଲାଟାରୀ ଅଭ୍ୟାସକୁ ନେଇ ଚାଇନା ପକ୍ଷରୁ ଭାରତ ଆଗରେ ନିଜର ଚିନ୍ତା ପ୍ରକଟ କରାଯାଉଛି।

ଏହାର ଜବାବ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି। ଚାଇନିଜ ପ୍ରତିରକ୍ଷା ମନ୍ତ୍ରଣାଳୟ ପୂର୍ବରୁ କହିଥିଲା ଯେ, ତୃତୀୟ ପକ୍ଷର ହସ୍ତକ୍ଷେପ ବଳରେ ପୂର୍ବ ଲଦାଖରେ ବିବାଦ ସୃଷ୍ଟି ହୋଇଥିବା ବେଳେ ଏପରି ସମରାଭ୍ୟାସ କରାଯାଉଛି। ଭାରତ-ଚାଇନା ବିବାଦରେ ତୃତୀୟ ପକ୍ଷର ହସ୍ତକ୍ଷେପ ରହିଥିବା ବେଜିଂ ଆଶଙ୍କା କରୁଛି।

ହେଲେ ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଚାଇନା କେଉଁ ତୃତୀୟ ପକ୍ଷ କଥା କହୁଛି, ତାହା ବୁଝାପଡ଼ୁନି। ପୂର୍ବ ଲଦାଖ ବିବାଦ ସମ୍ପର୍କରେ ଚାଇନା ଅଲଗା କିଛି ଚିନ୍ତା ନ କରି ଦୁଇ ଦେଶ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଚୁକ୍ତି ଉପରେ ଫୋକସ କରୁ। ଭାରତ-ଆମେରିକା ଯୁଦ୍ଧାଭ୍ୟାସ ସଂପୂର୍ଣ୍ଣ ଭାବେ ଗୋଟିଏ ଭିନ୍ନ ପ୍ରସଙ୍ଗ। ପ୍ରଚଳିତ ଚୁକ୍ତି ଉଲ୍ଲଙ୍ଘନ କଥା କହି ଏହି ସମରାଭ୍ୟାସକୁ କେଉଁ ପ୍ରକାରର ରଙ୍ଗ ଦେବାକୁ ଚେଷ୍ଟା କରାଯାଉଛି, ତାହା ବୁଝାପଡ଼ୁନି ବୋଲି ମନ୍ତ୍ରଣାଳୟ କହିଛି।

Show More

Related Articles

Back to top button