ଓଡ଼ିଶାଦେଶମୁଖ୍ୟ ଖବରସାକ୍ଷାତକାର

ନଭେମ୍ୱର ୪ରେ ମମତା ବାନାର୍ଜୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଆସନ୍ତା ନଭେମ୍ବର ୪ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବାର ସମ୍ଭାବନା ରହିଛି । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବାଂଚଳ ଜୋନାଲ ପରିଷଦ ବୈଠକରେ ଯୋଗ ଦେବା ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିବେ ବୋଲି ସୂଚନାମିଳିଛି । ମୁଖ୍ୟମନ୍ତ୍ରୀ ହେବା ପରେ ନବୀନ ପଟ୍ଟନାୟକଙ୍କ ପଶ୍ଚିମବଙ୍ଗକୁ ଏହା ପ୍ରଥମ ସରକାରୀ ଗସ୍ତ ହେବ । ସୂଚନା ଅନୁସାରେ, ଆସନ୍ତା ନଭେମ୍ବର ୫ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ଅଧ୍ୟକ୍ଷତାରେ କୋଲକାତାସ୍ଥିତ ରାଜ୍ୟ ସଚିବାଳୟ(ନବାନ୍ନା)ରେ ପୂବାଂଚଳ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ମମତା ବାନାର୍ଜୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଯୋଗ ଦେବାର ସମ୍ଭାବନା ଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅବଗତ କରାଯାଇନଥିବା ସୂଚନାମିଳିଛି । ଏହି ପୂର୍ବାଂଚଳ ଜୋନାଲ ପରିଷଦ ବୈଠକରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା ୪ତାରିଖରେ ଦୁଇଦିନିଆ କୋଲକାତା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ଶ୍ରୀ ପଟ୍ଟନାୟକ ସ୍ୱତନ୍ତ୍ର ଭାବେ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ମମତା ୨ଦିନିଆ ଚେନ୍ନାଇ ଗସ୍ତରେ ଯାଇ ୩ରେ କୋଲକାତା ଫେରି ଆସିବାର କାର୍ଯ୍ୟକ୍ରମ ଥିବାବେଳେ ୪ରେ ନବୀନଙ୍କୁ କୋଲକାତା ବିମାନ ବନ୍ଦରରେ ମମତାଙ୍କ ମନ୍ତ୍ରିମଣ୍ଡଳର ବରିଷ୍ଠ ମନ୍ତ୍ରୀ ସ୍ୱାଗତ କରିବେ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଗସ୍ତ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନି । ତେବେ ପୂର୍ବାଂଚଳ ଜୋନାଲ ପରିଷଦ ବୈଠକରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଲକାତା ଯିବାର ସମ୍ଭାବନା ଅଧିକ ବୋଲି ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନାମିଳୁଛି ।

Show More

Related Articles

Back to top button