୧୦ ଦିନିଆ ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୮ ତାରିଖରେ ୧୦ଦିନିଆ ବିଦେଶ ଗସ୍ତରେ ଯିବେ। ସେ ଇଟାଲୀ ଓ ଦୁବାଇ ଯାତ୍ରା କରିବେ ବୋଲି ସୂଚନା ମିଳିଛି । ଦୁବାଇରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜିନେସ୍ ମିଟ୍ ଆୟୋଜିତ ହେଉଥିବାରୁ ସେଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଦୁବାଇରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ମନ୍ତ୍ରୀ ଓ ସଚିବମାନେ ସାମିଲ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।ଦୁବାଇରେ କାର୍ଯ୍ୟକ୍ରମ ସରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଟାଲି ଗସ୍ତ କରିବେ ବୋଲି ସୂଚନାମିଳିଛି । ସେଠାରେ ସେ ରୋମ୍ ଇନଭେଷ୍ଟର୍ସ ମିଟ୍ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ନିବେଶକଙ୍କୁ ଓଡ଼ିଶାରେ ଅଧିକ ନିବେଶ ପାଇଁ ଅନୁରୋଧ କରିବେ ମୁଖ୍ୟମନ୍ତ୍ରୀ। ଇପିକଲ୍, ଫିକି ଓ ଦୁବାଇସ୍ଥିତ ଇଣ୍ଡିଆନ କନସଲେଟ୍ ପକ୍ଷରୁ ଏଥିନିମନ୍ତେ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଓଡ଼ିଶାକୁ ଏକ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ କରିବା ଏବଂ ଏହାକୁ ଇନଭେଷ୍ଟମେଣ୍ଟ ହବରେ ପରିଣତ କରିବା ସହ ବିଦେଶୀ ନିବେଶକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବାକୁ ୨୦୧୬ରୁ ଚେଷ୍ଟା ଚଳାଇଛନ୍ତି ରାଜ୍ୟ ସରକାର। ପ୍ରତି ୨ ବର୍ଷରେ ଥରେ ଏଥିପାଇଁ କନକ୍ଲେଭ ଆୟୋଜିତ ହେଉଛି। ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ପରେ ଏହି ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହେବା ସହ ବିଦେଶୀ ନିବେଶକ ଓଡ଼ିଶା ମୁହାଁ ହେବେ ବୋଲି କୁହାଯାଉଛି।