Breaking PLUSଓଡ଼ିଶାମୁଖ୍ୟ ଖବର

ମୁଣ୍ଡ ଖରାପ କଲା କେମେଷ୍ଟ୍ରି ପ୍ରଶ୍ନ, ପରୀକ୍ଷା ହଲରେ ହାତ ଟେକି ବସିଲେ ଛାତ୍ରଛାତ୍ରୀ

ମାର୍କ ନେଇ ବଢିଲା ଚିନ୍ତା

ବୁଧବାର ଥିଲା ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କ କେମେଷ୍ଟ୍ରି ପରୀକ୍ଷା । ପ୍ରଶ୍ନପତ୍ର ଦେଖି ଛାତ୍ରଛାତ୍ରୀଙ୍କ ମୁଣ୍ଡ ବିନ୍ଧିଥିଲା । ଝାଳେଇ ଯାଇଥିଲେ ଅନେକ ପିଲା । ଦୀର୍ଘ ସମୟ ଧରି ହାତ ଟେକି ବସିଲେ ଛାତ୍ରଛାତ୍ରୀ । କ’ଣ ଉତ୍ତର ଲେଖିବେ ବୁଝିପାରିନଥିଲେ । ପ୍ରଥମ ଅଧ ଘଣ୍ଟା ସେମାନଙ୍କର ଖାଲି ପ୍ରଶ୍ନକୁ ଦେଖି ପଳାଇଥିଲା । ଆଉ ହଲ୍‌ରୁ ବାହାରିବା ପରେ ସଭିଙ୍କ ମୁହଁ ଶୁଖିଯାଇଥିଲା । କାହାରି ମୁହଁରେ ହସ ନଥିଲା । ପରସ୍ପର ଗୋଟିଏ ଆଲୋଚନା ଏ ବିଷୟରେ ଆଉ ଫେଲ୍‌ ହୋଇଯିବୁନି ତ? ଆମ ମାର୍କ କ’ଣ ହେବ? ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଯୁକ୍ତ ଦୁଇ ପିଲାଙ୍କ ପରୀକ୍ଷା ଚାଲିଛି । ଗତକାଲି (ବୁଧବାର) ଥିଲା ବିଜ୍ଞାନ ଛାତ୍ରଛାତ୍ରୀଙ୍କ କେମେଷ୍ଟି (ରସାୟନ ବିଜ୍ଞାନ) ବିଷୟ । ପୂର୍ବରୁ ୩୦ ମାର୍କର ପ୍ରାକ୍ଟିକାଲ୍‌ ପରୀକ୍ଷା ସରିଥିଲା । ଆଉ ୭୦ ମାର୍କର ପରୀକ୍ଷା ବୁଧବାର ହୋଇଥିଲା । ହେଲେ ପ୍ରଶ୍ନ ଦେଖି ଛାତ୍ରଛାତ୍ରୀଙ୍କ ମୁଣ୍ଡ କାମ କରିନଥିଲା । ସାରା ରାଜ୍ୟରୁ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଆସିଛି, ବିଷୟର ପାଖାପାଖି ୨୫ରୁ ୩୦ ମାର୍କର ପ୍ରଶ୍ନ ବହୁତ କଠିନ ଥିଲା । ଯାହା ଖାଲି ସାଧାରଣ ପିଲା ନୁହଁନ୍ତି ବହୁ ମେଧାବୀ ଛାତ୍ରଛାତ୍ରୀଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଥିଲା । ସେମାନେ ପ୍ରସ୍ତୁତ ଥାଇ ବି ଆଶାନୁଯାୟୀ ପରୀକ୍ଷା ଭଲ ହେଲାନି । ତେଣୁ ଫଳକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ । ଗତ ଦୁଇ ବର୍ଷ ଶିକ୍ଷାନୁଷ୍ଠାନ ବନ୍ଦ ରହିଲା । ଯୁକ୍ତ ଦୁଇ ପ୍ରଥମ ବର୍ଷ କେବଳ ଅନ୍‌ଲାଇନ୍‌ ପଢ଼ାରେ ଚାଲିଗଲା । ଦ୍ୱିତୀୟ ବର୍ଷର ଅଧା ସମୟ ବି ଅନ୍‌ଲାଇନ୍‌ରେ ପଢ଼ାହେଲା । ନା ପିଲା ସ୍କୁଲ ଗଲେ ନା ପାଠ ପଢ଼ିଲେ । ଅଧାରୁ ଅଧିକ ପିଲା ତ ଅନ୍‌ଲାଇନ୍‌ ଶିକ୍ଷା ବି ପାଇଲେନି । ଦୁଇ ବର୍ଷରୁ ମାତ୍ର ୯ ମାସ ପାଠ ପଢ଼ା ହୋଇଛି । ତେଣୁ ସମସ୍ତ ଭାବିଥିଲେ ପରୀକ୍ଷାର ପ୍ରଶ୍ନପତ୍ର ଏଥରକ ସହଜ ଆସିବ । ବରିଷ୍ଠ କେମେଷ୍ଟ୍ରି ଅଧ୍ୟାପକ ଡ. ଆର୍‌.ଏନ୍‌ ପଣ୍ଡାଙ୍କ କହିବା ଅନୁସାରେ କିଛି ପ୍ରଶ୍ନ ଯୁକ୍ତ ତିନି ଲେଭଲ୍‌ର ଆସିଛି । ଯୁକ୍ତ ଦୁଇ ପିଲାଙ୍କ ପାଇଁ ଏସବୁ ପ୍ରଶ୍ନର ଉତ୍ତର ନିଶ୍ଚୟ କଷ୍ଟକର । ବେସିକ୍‌ ସାଇନ୍ସ କଲେଜର ଛାତ୍ରୀ ପୁନମ୍‌ ସାହୁ କହିଛନ୍ତି, ମୋର ଏ-ସେଟ୍‌ ଥିଲା । ଏମ୍‌ସିକ୍ୟୁର ୮ରୁ ୧୦ ପ୍ରଶ୍ନ ବହୁତ କଷ୍ଟ ପଡ଼ିଥିଲା । ଦୁଇ ନମ୍ବର ‘ଏଚ୍‌’ ଓ ‘ଜେ’ ପ୍ରଶ୍ନରେ ବହୁତ ସମୟ ପଳାଇଲା । ଆଉ କୋର୍ଡିନେସନ୍‌ କେମେଷ୍ଟ୍ରି ଉପରେ ଗୋଟିଏ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ପାଠ୍ୟକ୍ରମ ବାହାରୁ ଆସିଥିଲା । ସବୁକିଛି ବୁଲେଇ ବଙ୍କେଇ ପଡ଼ିଥିଲା ।

ବିଜେବି କଲେଜର ଛାତ୍ରୀ ଶୁଭଶ୍ରୀ ସ୍ୱାଇଁ କହିଛନ୍ତି, କେମେଷ୍ଟ୍ରିର ୨ ଓ ୫ ମାର୍କର ପ୍ରଶ୍ନ ସବୁ ଠିକ୍‌ ଥିଲା । କିନ୍ତୁ ଏମ୍‌ସିକ୍ୟୁର ୨୦ଟି ପ୍ରଶ୍ନ ବହୁତ କଠିନ ଥିଲା । ଅର୍ଗାନିକ୍‌, ଫିଜିକାଲ୍‌ର ୫ଟା ଚାପ୍ଟର ପ୍ରଶ୍ନ ଆଦୌ ସହଜ ନଥିଲା । ଆଉ ଇଲୋକ୍ଟ୍ରୋ କେମେଷ୍ଟ୍ରିର ପ୍ରଶ୍ନ ମୋର ଆଦୌ ଭଲ ହୋଇନି । ଆମକୁ ଏଥିପାଇଁ ଗ୍ରେସ୍‌ ମାର୍କ ମିଳୁ । ଜଣେ ବରିଷ୍ଠ ଅଧ୍ୟାପକ ମନୋଜ ପୃଷ୍ଟି କହିଛନ୍ତି, ଯୁକ୍ତ ଦୁଇ କେମେଷ୍ଟ୍ରି ପ୍ରଶ୍ନରେ ୭୦ ପ୍ରତିଶତ ସହଜ ଆସିବା କଥା । କିନ୍ତୁ ଏଥରକ ୫୦ ପ୍ରତିଶତ କଠିନ ଥିଲା । ସିଲାବସ୍‌ ବାହାରୁ ପ୍ରଶ୍ନ ପଡ଼ିନଥିଲେ ବି ଅନେକ ପ୍ରଶ୍ନ ବୁଲେଇବଙ୍କେଇ ଆସିଥିଲା । ଯେଉଁଥିପାଇଁ ଅନେକ ଛାତ୍ରଛାତ୍ରୀ ବହୁ ପ୍ରଶ୍ନ ଛାଡ଼ି ଦେଇଥିଲେ । ସିଏଚ୍‌ଏସ୍‌ଇର ପରୀକ୍ଷା ନିୟନ୍ତ୍ରକ ଡ. ଅଶୋକ କୁମାର ନାୟକ କହିଛନ୍ତି, ସିଲାବସ୍‌ ହିସାବରେ ସବୁ ପ୍ରଶ୍ନପତ୍ର ହୋଇଛି । ବାହାରୁ କିଛି ପ୍ରଶ୍ନ ଆସିନାହିଁ । ତଥାପି ପିଲାମାନଙ୍କର କ’ଣ ଅସୁବିଧା ହୋଇଛି ସେମାନେ ଆବେଦନ କଲେ, ପରୀକ୍ଷା କମିଟିରେ ଏକଥା ଆଲୋଚନା ହେବ । ଏହାପରେ ଯାହା ନିଷ୍ପତ୍ତି ନିଆଯିବ ।

Show More

Related Articles

Back to top button