Breaking PLUSଦେଶମୁଖ୍ୟ ଖବରରାଜନୀତି

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜିତ

ପଞ୍ଜାବର ୧୬ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜିତ ସିଂହ । ଚଣ୍ଡିଗଡରେ ଏହି ଶପଥ ସମାରୋହ ଆୟୋଜିତ ହୋଇଥିଲା । ତାଙ୍କୁ ପଞ୍ଜାବ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତାଙ୍କ ସହ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ଶପଥ ନେବା ପୂର୍ବରୁ ଚରଣଜିତ ଗୁରୁଦ୍ୱାରା ଯାଇ ପୂଜାର୍ଚ୍ଚନା କରିଥିଲେ ।

ପଞ୍ଜାବର ଉପମୁଖ୍ୟମନ୍ତ୍ରୀ ଭାବେ ସୁଖଜିନ୍ଦର ସିଂହ ରନ୍ଧାୱା ମଧ୍ୟ ଶପଥ ନେଇଛନ୍ତି ।  ସେହିପରି ସୁଖଜିନ୍ଦର ସିଂହ ରନ୍ଧାୱାଙ୍କ ପରେ ଦ୍ୱିତୀୟ ଉପ-ମୁଖ୍ୟମନ୍ତ୍ରୀ ଭାବେ ଓପି ସୋନୀ ଶପଥ ନେଇଛନ୍ତି । ଏହି ଶପଥ ସମାରୋହରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମେତ ଅନେକ ବଡ ବଡ ନେତା ଉପସ୍ଥିତ ଥିଲେ ।

ସୂଚନା ମୁତାବକ, କ୍ୟାପଟେନ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ ୫୮ ବର୍ଷୀୟ ଚରଣଜିତ ସିଂହ ଚନ୍ନିଙ୍କୁ ପଞ୍ଜାବ କଂଗ୍ରେସର ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି । ସେ ପଞ୍ଜାବର ପ୍ରଥମ ଦଳିତ ଶିଖ ସମ୍ପ୍ରଦାୟର ନେତା ଯିଏକି, ରାଜ୍ୟର ମୁଖ୍ୟମନ୍ତ୍ରୀ ବନିଛନ୍ତି । ସେ ପଞ୍ଜାବରେ ଜଣେ ପ୍ରମୁଖ ଦଳିତ ଶିଖ୍ ନେତା ଭାବେ ବେଶ୍ ପରିଚିତ ।

ଚରଣଜିତ୍ ସିଂହ ଚନ୍ନି ପଞ୍ଜାବର ଚମକୌର ସାହିବ ଆସନରୁ କଂଗ୍ରେସ ବିଧାୟକ ଅଛନ୍ତି । ସେ ଅମରିନ୍ଦର ସିଂହଙ୍କ ସରକାରରେ ଶିକ୍ଷା ମନ୍ତ୍ରୀ ଥିଲେ । ଗତ ବିଧାନସଭା ନିର୍ବାଚନରେ ସେ ଆମ୍ ଆଦମୀ ପାର୍ଟି (ଆପ୍)ର ଚରଣଜିତ୍ ସିଂହଙ୍କୁ ୧୨ହଜାରରୁ ଅଧିକ ଭୋଟରେ ହରାଇଥିଲେ । ଏହା ପୂର୍ବରୁ ୨୦୧୨ ନିର୍ବାଚନରେ ସେ ପାଖାପାଖି ୩୬୦୦ ଭୋଟରେ ବିଜୟୀ ହୋଇଥିଲେ । ଚରଣଜିତ୍ ସିଂହ ଚନ୍ନି ଯୁବ କଂଗ୍ରେସ ସହ ମଧ୍ୟ ସାମିଲ୍ ହୋଇଥିଲେ ଏବଂ ଏହାରି ଭିତରେ ସେ ରାହୁଲ୍ ଗାନ୍ଧିଙ୍କ ନିକଟତର ମଧ୍ୟ ହୋଇଥିଲେ ।

Show More

Related Articles

Back to top button