
ଭୁବନେଶ୍ୱର : ଏବେ ଲମ୍ପି ଭାଇରସ କବଳରେ ଗୋରୁ ଗାଈ । ଏହି ଗୃହପାଳିତ ପ୍ରାଣୀଙ୍କ ଉପରକୁ ମାଡ଼ି ଆସିଛି ଲମ୍ପି ଭାଇରସ୍ । ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଡେଉଁଛି ଏହି ସ୍କିନ୍ ରୋଗ । ଏହି ମହାମାରିରେ କବଳିତ ହୋଇ ସାରିଲାଣି ଦେଶର ୮ଟି ରାଜ୍ୟ । ବିଶେଷ କରି ମଇଁଷିଙ୍କ ଦେହରେ ଦେଖାଦେଉଛି ଏହି ଲମ୍ପି ଭାଇରସ ଚର୍ମ ରୋଗ। ଗୋଟିଏ ପରେ ଗୋଟିଏ ରାଜ୍ୟର ଗୋରୁ ଗାଈ ଏହି ରୋଗ ଦ୍ୱାରା କବଳିତ ହେବା ପରେ ତତ୍ପର ହୋଇ ଉଠିଛନ୍ତି ରାଜ୍ୟ ସରକାର। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ବାଲେଶ୍ୱର, ଝାରସୁଗୁଡା, ଗଞ୍ଜାମ ସମେତ ୧୪ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପ୍ରାଣୀ ସମ୍ପଦ ବିଭାଗ। ବିଶେଷ ଭାବେ ସୀମାନ୍ତ ଜିଲ୍ଲାର ବ୍ଲକ ଗୁଡିକ ଉପରେ ଖାସ ନଜର ରଖାଯାଇଛି। ଆନ୍ତଃରାଜ୍ୟ ଗୋ-ମଇଁଷି ପରିବହନ ଉପରେ ମଧ୍ୟ କଡ଼ା କଟକଣା ଲଗାଇଛି ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ । ଲମ୍ପି ଭାଇରକୁ ନିୟନ୍ତ୍ରଣକୁ ଆଣିବାକୁ ଏବେ ରାଜ୍ୟର ସୀମାନ୍ତବର୍ତ୍ତୀ ଜିଲ୍ଲାକୁ ସ୍କାନରରେ ରଖିଛନ୍ତି ରାଜ୍ୟ ସରକାର । ମୁଖ୍ୟତଃ ସୀମାନ୍ତ ଜିଲ୍ଲା, ବ୍ଲକ ଓ ଗାଁ ଗୁଡିକରେ ବ୍ୟାପକ ସଚେତନତା ସହ ୫ କିମି ପରିଧି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୋ-ମଇଁଷି ପରିବହନ ଉପରେ କଟକଣା ଲଗାଯିବା ସହ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମଶା ଓ ଟିଙ୍କ ଦ୍ୱାରା ଏହି ରୋଗ ଗୋଟିଏ ପଶୁଠାରୁ ଅନ୍ୟକୁ ବ୍ୟାପିଥାଏ । ରୋଗରେ ଆକ୍ରାନ୍ତ ଗାଈଗୋରୁ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିଲେ ମଧ୍ୟ ଏହା ବ୍ୟାପିଥାଏ ।ଗାଁ ଗହଳିରେ ଗାଈ ଦୁହିଁବାକୁ ଆସୁଥିବା ଲୋକେ ହାତ ନ ଧୋଇ ବିଭିନ୍ନ ଗାଇ ଦୁହିଁଲେ ଏହି ରୋଗ ବ୍ୟାପୁଥିବା ପ୍ରାଣୀ ଚିକିତ୍ସକ ଏହି ମତ ଦେଇଛନ୍ତି । ତେଣୁ ଗାଇ ଖିର ଖାଉଥିଲେ କ୍ଷୀରକୁ ଭଲ ଭାବରେ ଗରମ କରି ଖାଇବା ପାଇଁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଏହି ରୋଗ ହେଲେ ପ୍ରଥମେ ଗୋରୁଗାଈଙ୍କୁ ଜ୍ୱର ହେବ । ପରେ ଚର୍ମରେ ଗୋଲ ଗୋଲ ବିଣ୍ଡି ଭଳି ହୋଇଯିବ । ନିମୋନିଆ ହେବା ସହ ଲଙ୍ଗସ୍ ଇନଫକେସନ ହୋଇ ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ । ଫଳରେ ଗୋରୁଗାଇ ଖାଇବା ବନ୍ଦ କରି ଦେଇଥାନ୍ତି । ଏପରକି ଆସନ୍ନ ପ୍ରସବା ଗାଈର ଛୁଆ ବାହାରିଯାଏ । କ୍ଷୀର ଦେଉଥିବା ଗାଈ ମାନଙ୍କର କ୍ଷୀର ବହୁତ କମି ଯାଏ । ଯଦି ଗାଈ ଥରେ ଏହି ରୋଗରେ ଆକ୍ରାନ୍ତ ହୁଏ, ତେବେ ବହୁ ଦିନ ଯାଏ ଛୁଆ ଜନ୍ମ କରିପାରିବେ ନାହିଁ । ପ୍ରତିକାର ପାଇଁ ଗୋ ମଇଁଷି ରହୁଥିବା ସ୍ଥାନରେ ନିୟମିତ ବିଶୋଧନ କରିବାକୁ ହେବ । ଏଥିସହ ଗାଈ ଗୁହାଳରେ ସୋଡିୟମ ହାଇପ୍ରୋ କ୍ଲୋରାଇଡ଼ ସ୍ପ୍ରେ କରିବା ପାଇଁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଲମ୍ପି ଭାଇରସ ରୋଗରେ ଏହି ସବୁ ଲକ୍ଷଣ ଥାଏ ।