ଓଡ଼ିଶାଦେଶଦେଶ ବିଦେଶସ୍ୱତନ୍ତ୍ର

କନ୍ଧମାଳ ହଳଦୀକୁ ମିଳିଲା ଏନ୍‌ଆଇପି ମାନ୍ୟତା

୨୦୨୧-୨୨ ବର୍ଷ ପାଇଁ ଓଡ଼ିଶାର ପ୍ରସିଦ୍ଧ କନ୍ଧମାଳ ହଳଦୀକୁ ମିଳିଲା ଏନ୍‌ଆଇପି ଆୱାର୍ଡ । କୃଷିବର୍ଗରେ ସର୍ବାଧିକ ଭୋଟ୍‌ ପାଇ ଏହି ପୁରସ୍କାର ପାଇବାରେ ସକ୍ଷମ ହୋଇଛି କନ୍ଧମାଳ । ଗତ ଶନିବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା ଆଇପି କନ୍‌ଫରେନ୍ସରେ ଏହି ପୁରସ୍କାର ମିଳିଥିଲା । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଉପସ୍ଥିତି ରହିଥିଲାବେଳେ ଏହାକୁ ଗ୍ରହଣ କରିବା ଲାଗି ଓଡ଼ିଶାରୁ କୌଣସି ପ୍ରତିନିଧି ଉପସ୍ଥିତ ନଥିଲେ ।

ଜିଆଇ ଉପରେ କାମ କରୁଥିବା ଗବେଷିକା ଡ. ଅନୀତା ସାବତ କହିଛନ୍ତି, ଏହା ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ବହୁତ ବଡ଼ ଗର୍ବର କଥା । ଅଧିକ ମାତ୍ରାରେ ପ୍ରଚାର, ପ୍ରସାର ହୋଇପାରିଥିଲେ ଆମେ ଅନ୍ୟ ବର୍ଗରେ ବି ପୁରସ୍କାର ହାସଲ କରିପାରିଥାଆନ୍ତେ । ସେ କହିଛନ୍ତି, ପ୍ରଥମ ଥର ପାଇଁ ଜିଆଇ ମାନ୍ୟତା ପାଇଥିବା ସାମଗ୍ରୀକୁ ନେଇ ନ୍ୟାସନାଲ୍‌ ଇଣ୍ଟେଲେକ୍‌ଚୁଆଲ୍‌ ପ୍ରପର୍ଟି (ଏନ୍‌ଆଇପି) ଆୱାର୍ଡସ୍‌ ଆୟୋଜିତ ହୋଇଥିଲା । ଏଥିପାଇଁ ସାରା ଦେଶରେ ଭୋଟିଂ ମାଧ୍ୟମରେ ଜନମତ ସର୍ଭେ ଚାଲିଥିଲା । ଏଥିରେ ସର୍ବାଧିକ ଭୋଟ୍‌ ପାଇଥିବା ଜିଆଇ ସାମଗ୍ରୀଗୁଡ଼ିକୁ ପୁରସ୍କୃତ କରାଯାଇଛି ।

କନ୍ଧମାଳ ହଳଦୀ ଏକ ଭିନ୍ନ ଧରଣର ହଳଦୀ ପ୍ରଜାତି । ଯାହା ବିଶ୍ୱ ଦରବାରରେ ନିଜର ଉତ୍କୃଷ୍ଟ ଗୁଣବତ୍ତା ଏବଂ ଔଷଧୀୟ ଗୁଣ ପାଇଁ ଅନେକ ସୁଖ୍ୟାତି ଅର୍ଜନ କରିଛି । 2019ରେ ଭାରତ ସରକାରଙ୍କ ଦ୍ୱାରା ଏହାକୁ ଜିଆଇ ମାନ୍ୟତା ଦିଆଯାଇଥିଲା ।

ସେହିପରି ଏଥିରେ ଓଡ଼ିଶାର ୧୭ଟି ଜିଆଇ ସାମଗ୍ରୀ ସାମିଲ ହୋଇଥିଲା । ସବୁଠୁ ବଡ଼ କଥା ଥିଲା ୫ଟି ବର୍ଗରୁ ୪ଟି ବର୍ଗରେ ଓଡ଼ିଶାର ଜିଆଇ ସାମଗ୍ରୀ ଥିବାବେଳେ କେବଳ ନ୍ୟାଚୁରାଲ୍‌ ବର୍ଗରେ ଓଡ଼ିଶାର କୌଣସି ଜିଆଇ ସାମଗ୍ରୀ ସାମିଲ ନ ଥିଲା । କୃଷି ବର୍ଗରେ ଓଡ଼ିଶାର ୩ଟି ସାମଗ୍ରୀ ଯଥା କନ୍ଧମାଳ ହଳଦୀ, ଗଞ୍ଜାମର କେୱଡ଼ା ଫ୍ଲାୱାର ବା କିଆ ଫୁଲ (କେତକୀ) ଏବଂ ଆର୍‌କୁ ଭ୍ୟାଲି ଆରବିକା କଫିରହିଥିଲା । ସେହିପରି ଖାଦ୍ୟ ବର୍ଗରେ ଏକମାତ୍ର ଓଡ଼ିଶାର ରସଗୋଲା ସ୍ଥାନ ପାଇଥିଲା । ହସ୍ତକଳାରେ ୧୨ଟି ସାମଗ୍ରୀ ସ୍ଥାନ ପାଇଥିବାବେଳେ ୯ଟି ହସ୍ତତନ୍ତ ଏବଂ ୩ଟି ହସ୍ତକଳା ସାମଗ୍ରୀ ରହିଥିଲା । ଉତ୍ପାଦିତ ସାମଗ୍ରୀରେ ଗଞ୍ଜାମର କେୱଡ଼ା ରୁହ ସ୍ଥାନ ପାଇଥିଲା ।

Show More

Related Articles

Back to top button