ଓଡ଼ିଶାମୁଖ୍ୟ ଖବର

ଠିକା କର୍ମଚାରୀଙ୍କୁ ପୂଜା ଭେଟି

ଠିକା କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ଦଶହରା ପୂଜା ଭେଟି । ଠିକା ନିଯୁକ୍ତି ପ୍ରକ୍ରିୟାକୁ ଉଠାଇ କର୍ମଚାରୀଙ୍କ ଭାଗ୍ୟ ବଦଳାଇ ଦେଇଛନ୍ତି । ଠିକା କର୍ମଚାରୀଙ୍କୁ ଏଣିକି ଇନିସିଆଲ୍ ଆପଏଣ୍ଟିଜ୍ ବୋଲି ବିବେଚନା କରାଯିବ ଏବଂ ସେହି ଅନୁଯାୟୀ ସୁବିଧା ସୁଯୋଗ ମିଳିବ । ଏଥିସହ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ସେମାନଙ୍କ ଦରମା ହାର ସଂଶୋଧିତ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି ।

ପୂର୍ବରୁ ସ୍ଥାୟୀ ହେଲା ଯାଏଁ ୬ ବର୍ଷ ପର୍ଯ୍ୟନ୍ତ ଠିକା କର୍ମଚାରୀମାନେ ସ୍ୱଳ୍ପ ବେତନରେ କାମ କରୁଥିଲେ । ମାତ୍ର ଏବେ ନିଯୁକ୍ତି ପାଇବା ଦିନୁଁ ହିଁ ସେମାନେ ୫୦% ଅଧିକ ବେତନ ପାଇବେ । ସିଧାସଳଖ କହିଲେ, ଠିକା କର୍ମଚାରୀଙ୍କୁ ୪୨୦୦ ଗ୍ରେଡ୍ ପେ’ ରେ ୯,୩୦୦ ଟଙ୍କା ଦରମା ମିଳୁଥିଲା । ଷଷ୍ଠ ବର୍ଷରେ ସ୍ଥାୟୀ ନିଯୁକ୍ତି ପରେ ଦରମା ମିଳୁଥିଲା ୨୭, ୨୧୦ ଟଙ୍କା । ଏଣିକି ଚାକିରି ଆରମ୍ଭରୁ ୨୫, ୩୦୦ ଟଙ୍କା ଦରମା ମିଳିବ । ସାଙ୍ଗକୁ ମେଡ଼ିକାଲ୍ ଟ୍ରିଟମେଣ୍ଟ ରିଏମ୍ବର୍ସମେଣ୍ଟ ସୁବିଧା ବି ମିଳିବ । ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ୨୫୦ କୋଟି ଟଙ୍କାର ଆର୍ଥିକ ବୋଝ ବହନ କରିବେ ।

ଠିକା କର୍ମଚାରୀମାନଙ୍କର ଏହା ଦୀର୍ଘଦିନର ଦାବି ଥିଲା । ରାଜ୍ୟ ସରକାର ଏହାକୁ ପୂରଣ କରିଥିବାରୁ କର୍ମଚାରୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କୁ ସେମାନେ କୃତଜ୍ଞତା ଜଣାଇଛନ୍ତି । ଏହାକୁ ମିଶାଇ ରାଜ୍ୟ କ୍ୟାବିନେଟ୍ ରେ ଆଜି ମୋଟ ୧୭ଟି ପ୍ରସ୍ତାବ ମଂଜୁର ପାଇଛି । ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରେ ରହିଛି, ଜାତୀୟ ପେନସନ ସିଷ୍ଟମ(ଏନପିଏସ) ରେ ଅନ୍ତର୍ଭୁକ୍ତ ରାଜ୍ୟ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ସରକାରଙ୍କ ମାସିକ ଅବଦାନକୁ ୧୦ ପ୍ରତିଶତରୁ ୧୪ ପ୍ରତିଶତକୁ ବୃଦ୍ଧି କରାଯାଇଛି । ୨୦୧୯ ଏପ୍ରିଲ୍ ୧ ତାରିଖରୁ ଏହା ପିଛିଲା ଭାବେ ଲାଗୁ ହେବ । ଏହାଫଳରେ ୨ ଲକ୍ଷ ୮ ହଜାର ରାଜ୍ୟ ସରକାରୀ କର୍ମଚାରୀ ଉପକୃତ ହେବେ ।

ଚାକିରି ଅବଧି ମଧ୍ୟରେ ମୃତ୍ୟୁ କ୍ଷେତ୍ରରେ ଏନପିଏସରେ ଅନ୍ତର୍ଭୁକ୍ତ ଯୋଗ୍ୟ ରାଜ୍ୟ ସରକାରୀ କର୍ମଚାରୀ ଏକ ବିକଳ୍ପ ଚୟନ କରି ଓସିଏସ୍ ପେନସନ୍ ରୁଲ୍, ୧୯୯୨ ଅନୁସାରେ ଫ୍ୟାମିଲି ପେନସନର ସୁବିଧା ପାଇପାରିବେ । ଉପରୋକ୍ତ ସୁବିଧା, ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନର ଯୋଗ୍ୟ କର୍ମଚାରୀ ଏବଂ ଓଡ଼ିଶା ଗ୍ରୁପ୍ “ବି’ ପଦ(ଚୁକ୍ତିଭିତ୍ତିକ ନିଯୁକ୍ତି) ନିୟମ,୨୦୧୩ ମାଧ୍ୟମରେ ନିଯୁକ୍ତି ଚୁକ୍ତିଭିତ୍ତିକ ଗ୍ରୁପ୍ “ବି’ କର୍ମଚାରୀ ଏବଂ ଓଡ଼ିଶା ଗ୍ରୁପ୍ “ସି’ ଓ “ଡି’ ପଦ(ଚୁକ୍ତିଭିତ୍ତିକ ନିଯୁକ୍ତି) ନିୟମ, ୨୦୧୩ ମାଧ୍ୟମରେ ନିଯୁକ୍ତ ଚୁକ୍ତିଭିତ୍ତିକ ଗ୍ରୁପ୍ “ସି’ ଓ “ଡି’ କର୍ମଚାରୀଙ୍କ ପାଇଁ ମଧ୍ୟ ଲାଗୁ ହେବ ।

ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ “ଜେଏମଏମ’ ଯୋଜନାରେ ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରେ ଦୁଇଟି ଲେଖାଏଁ ବୃହତ୍ତ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ଏବଂ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଦୁଇଗୋଟି ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ମଂଜୁରୀ ମିଳିଛି ।

କ୍ୟାବିନେଟ୍ ରେ ଗୃହୀତ ଅନ୍ୟ ପ୍ରସ୍ତାବଗୁଡ଼ିକ ମଧ୍ୟରେ ରହିଛି, ଓଡ଼ିଶା କର୍ମଚାରୀ ରାଜ୍ୟ ବୀମା ଚିକିତ୍ସା ସେବା(ନିଯୁକ୍ତି ଓ ସେବା ସର୍ତ୍ତାବଳୀ), ନିୟମାବଳୀ ୨୦୧୪ ର ସଂଶୋଧନ, ପ୍ରଚଳିତ ଓଡ଼ିଶା ଅବକାରୀ ସେବା ନିୟମକୁ ବାତିଲ କରି “ଓଡ଼ିଶା ଅବକାରୀ ସେବା ଶ୍ରେଣୀ-ଏ(ଚୟନ ପ୍ରକ୍ରିୟା ଓ ସେବା ସର୍ତ୍ତାବଳୀ) ନିୟମ ୨୦୨୧ ଏବଂ ” ଓଡ଼ିଶା ଅବକାରୀ ସେବା ଶ୍ରେଣୀ-ବି(ଚୟନ ପ୍ରକ୍ରିୟା ଓ ସେବା ସର୍ତ୍ତାବଳୀ) ନିୟମ, ୨୦୨୧ ର ପ୍ରଚଳନ, ଓଡ଼ିଶା ବେସାମରିକ ଯୋଗାଣ ବିପଣୀ ଗୁପ୍ତବାର୍ତ୍ତା ସେବା(ନିଯୁକ୍ତି ପ୍ରକ୍ରିୟା ଏବଂ ଚାକିରି ସର୍ତ୍ତାବଳୀ) ଅଧିନିୟମ, ୨୦୨୧ର ପ୍ରଣୟନ, ଖରିଫ ବିପଣନ ବର୍ଷ, ୨୦୨୧-୨୨ ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତି, ଓଡ଼ିଶା ବୈଧ ମାପବିଜ୍ଞାନ ସେବା(ନିଯୁକ୍ତି ପଦ୍ଧତି ଏବଂ ଚାକିରି ସର୍ତ୍ତାବଳୀ) ଅଧିନିୟମ,୨୦୨୧ ପୁନର୍ବିନ୍ୟାସ, ଓଡ଼ିଶା ଜିଲ୍ଲା ଆରକ୍ଷୀ ଅମଲା ସେବା(ନିଯୁକ୍ତି ପ୍ରଣାଳୀ ଏବଂ ଚାକିରି ସର୍ତ୍ତାବଳୀ)ନିୟମାବଳୀ, ୨୦୨୧ ପ୍ରସ୍ତୁତି ଏବଂ ଓଡ଼ିଶା ସଚିବାଳୟ କ୍ଷିପ୍ର ଲେଖକ ଓ ବ୍ୟକ୍ତିଗତ ସହାୟକ(ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତ) ନିୟମାବଳୀ, ୧୯୯୭ ର ସଂଶୋଧନ ।

Show More

Related Articles

Back to top button