
ଲଣ୍ଡନ୍: ଆକ୍ସନ ମୋଡ୍ରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍। ନିଜ କ୍ୟାବିନେଟ୍ର ଅର୍ଥମନ୍ତ୍ରୀ କ୍ୱାସି କ୍ୱର୍ଟେଙ୍ଗଙ୍କୁ ସେ ବିଦା କରିଛନ୍ତି। ତାଙ୍କ ସ୍ଥାନରେ କଞ୍ଜରଭେଟିଭ ନେତୃତ୍ୱର ପୂର୍ବ ପ୍ରାର୍ଥୀ ଜେରେମୀ ହଣ୍ଟଙ୍କୁ ନୂଆ ଚାନ୍ସେଲର(ଅର୍ଥମନ୍ତ୍ରୀ) ନିଯୁକ୍ତ କରିଛନ୍ତି। ନିଜ ପ୍ରଧାନମନ୍ତ୍ରୀ ପଦ ରକ୍ଷା କରିବାକୁ ଯାଇ ଲିଜ ଟ୍ରସ୍ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଇଛି। ସରକାରଙ୍କ ବିବାଦୀୟ ଅର୍ଥନୈତିକ ଯୋଜନା ଯୋଗୁଁ ବଜାରରେ ଅସ୍ଥିରତା ସତ୍ତ୍ୱେ କ୍ୱାର୍ଟେଙ୍ଗ ଗତମାସ ଶେଷରେ ମିନି ବଜେଟ୍ ଉପସ୍ଥାପନ କରିଥିଲେ। ଏହା ପରେ ଦେଶରେ ଟ୍ୟାକ୍ସ କାଟ୍ ଆଶଙ୍କାରେ ଆର୍ଥିକ ଅସ୍ଥିରତା ଦେଖାଯାଇଥିଲା। ଏହା ପୂର୍ବରୁ ଅର୍ଥମନ୍ତ୍ରୀ ୱାଶିଂଟନରେ ଏକ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ବୈଠକ ଯୋଗ ଦେବାପାଇଁ ତାଙ୍କର ଆମେରିକା ଗସ୍ତକୁ ବାତିଲ କରି ଦେଇଥିଲେ। ଏହା ତାଙ୍କର ସ୍ଥାୟିତ୍ୱ ଏବଂ ସଂସଦରେ ଉପସ୍ଥାପିତ ଟିକସ ହ୍ରାସ ଉପରେ ସମ୍ଭାବ୍ୟ ୟୁ-ଟର୍ନ୍ ଉପରେ କଳ୍ପନାଜଳ୍ପନା ସୃଷ୍ଟି କରିଥିଲା। କାରଣ ତାଙ୍କ ଦ୍ୱାରା ହୋଇଥିବା ଟିକସ ହ୍ରାସ ଫଳରେ ଡଲାର ତୁଳନାରେ ପାଉଣ୍ଡର ମୂଲ୍ୟ ହ୍ରାସ ପାଇଥିଲା ଏବଂ ବ୍ୟାଙ୍କ ଅଫ୍ ଇଂଲଣ୍ଡ ପେନସନ୍ ପାଣ୍ଠିକୁ ସମ୍ଭାଳିବା ପାଇଁ ଦେଶ ଦୀର୍ଘକାଳୀନ ବଣ୍ଡ କିଣିବାକୁ ପଦକ୍ଷେପ ନେଇଥିଲା। ଏହାକୁ ସମର୍ଥନ କରିବା ପାଇଁ ଏକ ବିସ୍ତୃତ ପାଣ୍ଠି ଯୋଜନା ବିନା ଆନୁମାନିକ ଜିବିପି ୪୫ ବିଲିୟନ ମୂଲ୍ୟର ଟିକସ ହ୍ରାସ ଘଟଣାକୁ ବ୍ରିଟେନ ଅର୍ଥନୀତି ପାଇଁ ଏକ ବିପର୍ଯ୍ୟସ୍ତ ପଦକ୍ଷେପ ଭାବରେ ପରିଗଣିତ କରା ଯାଉଥିଲା। ସୁଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଟ୍ରସ୍ ଓ କ୍ୱାର୍ଟେଙ୍ଗଙ୍କ ମଧ୍ୟରେ ଦୀର୍ଘ ବର୍ଷର ବନ୍ଧୁତା ରହିଛି। ତେବେ ଅର୍ଥମନ୍ତ୍ରୀ କ୍ୱାସି କ୍ୱାର୍ଟେଙ୍ଗ ଟ୍ୱିଟ୍ କରି ତାଙ୍କ ଦରଖାସ୍ତ ପୁଷ୍ଟି କରିଛନ୍ତି। ଏଥିରେ ତାଙ୍କୁ ଚାନ୍ସେଲର ପଦରୁ ହଟିବା ଲାଗି କୁହାଯାଇଥିବା ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ କ୍ୱାର୍ଟେଙ୍ଗ ଙ୍କୁ ଦରଖାସ୍ତ କରିଦେଇଥିବାରୁ ଅର୍ଥମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳ ମାତ୍ର ୩୮ ଦିନର ରହିଛି।