ଅପରାଧଆଇନ କାନୁନଓଡ଼ିଶାମୁଖ୍ୟ ଖବରରାଜନୀତି

ବିଡିଓଙ୍କୁ ମାଡ଼ ମାରି ଜେଲ୍ ଗଲେ ବିଜେପି ବିଧାୟକ

୭ ରେ ଜାମିନ ଆବେଦନ ଶୁଣାଣି

ବିଡିଓଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ଜେଲ୍ ଯାଇଛନ୍ତି ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ । ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ଥିବା ବିଧାୟକଙ୍କୁ ଆଜି ସକାଳେ ଦେବଗଡ଼ ପୁଲିସ ଗିରଫ କରିଥିଲା । ବିଧାୟକଙ୍କ ଦୁଇ ସହଯୋଗୀ ଅକାଳୁ ଧଳ ଓ କୁମରମଣି ସାହୁ ମଧ୍ୟ ଗିରଫ ହୋଇଛନ୍ତି । ଦେବଗଡ଼ ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଙ୍କ କୋର୍ଟରେ ସେମାନଙ୍କୁ ହାଜର କରାଯାଇଥିଲା । କୋର୍ଟ ତାଙ୍କୁ ୭ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଆସନ୍ତା ୭ ତାରିଖରେ ଜାମିନ ଆବେଦନ ଉପରେ ଶୁଣାଣି ହେବ ।
ଦେବଗଡ଼ ଜିଲ୍ଲାର ତିଲେଇବଣି ବ୍ଲକ୍ ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ବିଜେପି ବିଧାୟକ ଶ୍ରୀ ପାଣିଗ୍ରାହୀ ଓ ତାଙ୍କର ସମର୍ଥକମାନେ ପ୍ରାଣାନ୍ତକ ଆକ୍ରମଣ କରିଥିବା ଗତକାଲି ସେ ଦେବଗଡ଼ ଥାନାରେ ଅଭିଯୋଗ କରିଥିଲେ ।

ବିଡିଓଙ୍କ ଅଭିଯୋଗ ଅନୁଯାୟୀ, ଶନିବାର ଦିନ ପୂର୍ବାହ୍ନରେ ସେ ଛେପିଲିପାଲି ପଞ୍ଚାୟତ ଅନ୍ତର୍ଗତ ଭାଳିଆଗୁଡ଼ି ଗ୍ରାମକୁ ଏକ ଯୁଗ୍ମ ତଦନ୍ତରେ ଯାଇଥିଲେ । ଏହି ସମୟରେ ବିଧାୟକ ତାଙ୍କୁ ଦେଖା କରିବାକୁ ଚାହୁଁଥିବା ତାଙ୍କ ଲୋକମାନେ ବାରମ୍ବାର ଫୋନ୍ କରିଥିଲେ । ସେ କାର୍ଯ୍ୟବ୍ୟସ୍ତତା ଥିବାରୁ ପରେ ଦେଖା କରିବେ ବୋଲି କହିଥିଲେ । ଏହାର କିଛି ସମୟ ପରେ ବିଧାୟକ ଶ୍ରୀ ପାଣିଗ୍ରାହୀ ୧୦ ରୁ ଅଧିକ କର୍ମୀଙ୍କୁ ସାଙ୍ଗରେ ଧରି ସେଠାରେ ପହଞ୍ଚିଥିଲେ ଏବଂ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ବୋଲି ବିଡିଓ ତାଙ୍କ ଏତଲାରେ ଲେଖିଛନ୍ତି । ତାଙ୍କଠାରୁ ମୋବାଇଲ୍ ଫୋନ୍, ଡାଏରି ଓ ଅନ୍ୟ ସରକାରୀ କାଗଜପତ୍ର ଲୁଟି ନେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ।

ବିଧାୟକ ଏହାକୁ ଖଣ୍ଡନ କରିବା ସହ ବିଡିଓଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି । ବିଡିଓ ତାଙ୍କୁ ଦୁର୍ବ୍ୟବହାର କରିବା ସହ ହତ୍ୟା ଧମକ ଦେଇଥିବା ବିଧାୟକ ଏତଲା ଦେଇଛନ୍ତି । ଦେବଗଡ଼ ପୁଲିସ ଉଭୟଙ୍କ ଅଭିଯୋଗର ତଦନ୍ତ କରି ବିଡିଓଙ୍କ ଅଭିଯୋଗର ସତ୍ୟତାର ପ୍ରମାଣ ପାଇଥିଲା । ଶନିବାର ରାତିରେ ଭୁବନେଶ୍ୱର ଫେରି ଆସିଥିବା ବିଧାୟକଙ୍କୁ ଆଜି ସକାଳୁ ତାଙ୍କ ସରକାରୀ ବାସଭବନରୁ ଗିରଫ କରିଥିଲା । ଦେବଗଡ଼ ନେବା ବାଟରେ ବିଧାୟକ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଅପରାହ୍ନରେ କୋର୍ଟରେ ହାଜର କରିଥିଲା ପୁଲିସ ।

ବିଧାୟକଙ୍କ ଗିରଫଦାରିର ନିନ୍ଦା ଓ ଦୃଢ଼ ପ୍ରତିବାଦ କରିଛି ବିଜେପି । ବିଧାୟକଙ୍କୁ ଗିରଫ କରାଯିବା ପଛରେ ବିଜେଡିର ସୁପରିକଳ୍ପିତ ଯୋଜନା ରହିଥିବା ଦଳର ମୁଖପାତ୍ର ଗୋଲକ ମହାପାତ୍ର ଅଭିଯୋଗ କରିବା ସହ ପୁଲିସର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି । ବିଧାୟକ ଆଗ ଥାନାରେ ଏତଲା ଦେଇଥିବା ବେଳେ ପୁଲିସ ବିଡିଓଙ୍କ ଏତଲା ଉପରେ କେବଳ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିନ୍ଦା କରିଛନ୍ତି ।
ପ୍ରତିବାଦସ୍ୱରୂପ ଦଳ ପକ୍ଷରୁ ଆଜି ଦେବଗଡ଼ ଥାନା ଘେରାଉ କରାଯାଇଥିଲା । ବିଧାୟକ ମୋହନ ମାଝୀ, କୁସୁମ ଟେଟେ, ଭବାନୀ ଭୋଇ ଏବଂ ପୂର୍ବତନ ବିଧାୟକ ରବି ନାୟକ ଏହାର ନେତୃତ୍ୱ ନେଇଥିଲେ । ବିଡିଓଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସେମାନେ ଦାବି କରିଥିଲେ । ଦଳ ପକ୍ଷରୁ ସୋମବାର ଦେବଗଡ଼ ବନ୍ଦ ଡ଼ାକରା ଦିଆଯାଇଛି ।

Show More

Related Articles

Back to top button